ବେଲୁନ ରୋକିବ ଖରା

ବେଲୁନ ରୋକିବ ଖରା
Ipsita Picture
By: Ipsita
Published On

 

ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ଏକ ଷ୍ଟାର୍ଟଅପ୍ କମ୍ପାନୀ 'ମେକ୍ ସନସେଟ୍ସ' ଗ୍ଲୋବାଲ ୱାର୍ମିଂ କମାଇବା ଏବଂ ପୃଥିବୀକୁ ଥଣ୍ଡା କରିବା ଉଦ୍ଦେଶ୍ୟରେ ଆକାଶର ଷ୍ଟ୍ରାଟୋସ୍ଫିୟର ସ୍ତରକୁ ୧୨୦ରୁ ଅଧିକ ସଲଫର ଡାଇଅକ୍ସାଇଡ୍ ଗ୍ୟାସ୍‌ଭର୍ତ୍ତି  ବେଲୁନ୍ ଛାଡ଼ିଥିବା ଚର୍ଚ୍ଚା ହେଉଛି । ଏହାଦ୍ବାରା ସୂର୍ଯ୍ୟଙ୍କ ଆଲୋକକୁ ରୋକାଯାଇ ପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ହେଉଛି ସୂର୍ଯ୍ୟଙ୍କର କିଛି କିରଣକୁ ପୁନର୍ବାର ମହାକାଶକୁ ଫେରାଇଦେବା । ବାସ୍ତବରେ, ଏହି ଉପାୟଟି ଆଗ୍ନେୟଗିରି ବିସ୍ଫୋରଣରୁ ପ୍ରେରିତ ହୋଇଛି, କାରଣ ବଡ଼ ଆଗ୍ନେୟଗିରି ଫାଟିବା ଦ୍ୱାରା ବାୟୁମଣ୍ଡଳରେ ସଲଫର ଗ୍ୟାସ୍ ବ୍ୟାପିଯାଇଥାଏ ଏବଂ କିଛି ସମୟ ପାଇଁ ପୃଥିବୀର ତାପମାତ୍ରା ହ୍ରାସ ପାଇଥାଏ । ଯାହାକୁ ବୈଜ୍ଞାନିକ ଭାଷାରେ 'ସୋଲାର ଜିଓଇଞ୍ଜିନିୟରିଂ'  କୁହାଯାଏ । ତେବେ ଏହି ଘଟଣାକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି, କାରଣ ସଲଫର ଡାଇଅକ୍ସାଇଡ୍ ଆମେରିକାରେ ୧୯୧ ମସିହାରୁ ଏକ ନିୟନ୍ତ୍ରିତ ବାୟୁ ପ୍ରଦୂଷକ  ଭାବେ ମାନ୍ୟତା ପାଇଛି । ସମାଲୋଚକମାନଙ୍କ ମତରେ ବାୟୁମଣ୍ଡଳ ସହ ଏଭଳି କରିବା ଦ୍ୱାରା ପାଣିପାଗ ବିଗିଡ଼ିବା ସହ ଓଜୋନ ସ୍ତରର ଗୁରୁତର କ୍ଷତି ହୋଇପାରେ । ଏହି ଅଭିଯାନ ପାଇଁ କମ୍ପାନୀ 'କୁଲିଂ କ୍ରେଡିଟ୍ସ' ବିକ୍ରି କରି ଟଙ୍କା ରୋଜଗାର କରୁଥିଲା, ଯେଉଁଥିରେ ସାଧାରଣ ଲୋକ ଓ ଅନ୍ୟ ସଂସ୍ଥାଗୁଡ଼ିକ ଅର୍ଥ ଦେଇ ଏହି ବେଲୁନ୍ ମାଧ୍ୟମରେ ପୃଥିବୀକୁ ଥଣ୍ଡା କରିବା ପ୍ରକ୍ରିୟାର ଅଂଶ ହୋଇପାରୁଥିଲେ । ଏହିପରି ବିପଦପୂର୍ଣ୍ଣ କାର୍ଯ୍ୟକଳାପ ଯୋଗୁଁ ମେକ୍ସିକୋ ସରକାର ଏହି କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି ଏବଂ ଏହି ସଲଫର ଡାଇଅକ୍ସାଇଡ୍ କମ୍ପାନୀ କେଉଁଠାରୁ ଆଣୁଥିଲା, ସେ ନେଇ ବର୍ତ୍ତମାନ ତଦନ୍ତ ଜାରି ରହିଛି ।

Tags: