ଗ୍ରୀଷ୍ମ ସ୍ବାଦ
ଗ୍ରୀଷ୍ମ ଋତୁ କେବଳ ଝାଞ୍ଜି ପବନ ବା ଗରମର ଋତୁ ନୁହେଁ, ବରଂ ଏହା ହେଉଛି ପାରମ୍ପରିକ ପାନୀୟ ଏବଂ ଶରୀରକୁ ଶୀତଳତା ପ୍ରଦାନ କରୁଥିବା ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନର ସମୟ। ଓଡ଼ିଶାର ପଖାଳଠାରୁ ଆରମ୍ଭ କରି ମହାରାଷ୍ଟ୍ରର ଆମ୍ରଖଣ୍ଡ ପର୍ଯ୍ୟନ୍ତ, ଭାରତର ବିଭିନ୍ନ ପ୍ରାନ୍ତରେ ଖାଦ୍ୟ ମାଧ୍ୟମରେ ଗ୍ରୀଷ୍ମକୁ ଉପଭୋଗ କରିବାର ଶୈଳୀ ଅତ୍ୟନ୍ତ ନିଆରା ।
ଓଡ଼ିଶାର ପଖାଳ କଂସା
ଓଡ଼ିଶାରେ ଗ୍ରୀଷ୍ମ ଋତୁର ନାମ ନେଲେ ପ୍ରଥମେ ମନକୁ ଆସେ 'ପଖାଳ'। ଏହା କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଂଶ। ବିଶେଷ କରି ଦହି-ପଖାଳ, ଯେଉଁଥିରେ ଭାତ ସହିତ ଦହି, ଭଜା ଜିରା ଗୁଣ୍ଡ, କଞ୍ଚା ଲଙ୍କା ଏବଂ ଲେମ୍ବୁ ପତ୍ର ପଡ଼ିଥାଏ, ତାହା ଶରୀରକୁ ଅପୂର୍ବ ଶାନ୍ତି ପ୍ରଦାନ କରେ। କେବଳ ଦହି ନୁହେଁ ପଖାଳର ବିଭିନ୍ନ ପ୍ରକାର ଓଡିଆ ଘରର ରୋଷେଇ ଘରେ ପ୍ରସ୍ତୁତ ହୋଇଥାଏ । ସେହିଭଳି ଏହି ପଖାଳ କଂସାର ସାଥୀ ସାଜନ୍ତି ବଡ଼ି ଚୁରା, ଶାଗ ଭଜା, ଆଳୁ ଭର୍ତ୍ତା ଏବଂ ମାଛ ଭଜା । ପଖାଳ କଂସାରୁ ଶେଷରେ ପିଇବାକୁ ମିଳୁଥିବା ସେହି 'ତୋରାଣି' ମୁନ୍ଦାକ ଯେକୌଣସି ଶୀତଳ ପାନୀୟଠାରୁ ମଧ୍ୟ ଅଧିକ ତୃପ୍ତିଦାୟକ। ଏହା ବ୍ୟତୀତ ଓଡ଼ିଶାର ପାରମ୍ପରିକ ପାନୀୟ ମଧ୍ୟରେ ବେଲ ପଣା ଏବଂ ଟଙ୍କ ତୋରାଣି ଅତ୍ୟନ୍ତ ଲୋକପ୍ରିୟ। ପଣା ସଂକ୍ରାନ୍ତିଠାରୁ ଆରମ୍ଭ କରି ସାରା ଗ୍ରୀଷ୍ମ କାଳରେ ଛେନା, କଦଳୀ ଏବଂ ଗୋଲମରିଚ ଗୁଣ୍ଡ ମିଶା ବେଲ ପଣା ପ୍ରତିଟି ଘରେ ଏବଂ ରାସ୍ତା କଡ଼ରେ ମିଳିଥାଏ । ଯାହା ପେଟ ସଫା ରଖିବା ସହ ଅଂଶୁ ଘାତରୁ ରକ୍ଷା କରିଥାଏ ।
ପଶ୍ଚିମ ଓ ଦକ୍ଷିଣ ଭାରତରେ ଆମ୍ବର ଯାଦୁ
ଓଡ଼ିଶା ବାହାରେ ଦେଖିଲେ, ଗୁଜରାଟ ଏବଂ ମହାରାଷ୍ଟ୍ରରେ ଗ୍ରୀଷ୍ମ କାଳ ହେଉଛି ଆମ୍ବର ସମୟ। ସେଠାରେ 'ଆମ୍ରସ' ଏବଂ ପୁରିର ଚଳଣି ବହୁତ ଅଧିକ । ଏହା ସହିତ ଦହିରେ ପ୍ରସ୍ତୁତ 'ଶ୍ରୀଖଣ୍ଡ' ଏବଂ 'ଆମ୍ରଖଣ୍ଡ' ଗ୍ରୀଷ୍ମକାଳୀନ ଭୋଜିର ମୁଖ୍ୟ ଆକର୍ଷଣ । ପାନୀୟ ମଧ୍ୟରେ କୋଙ୍କଣ ଅଞ୍ଚଳର 'ସୋଲ କଢି', ଯାହା ନଡ଼ିଆ କ୍ଷୀର ଏବଂ କୋକମ୍ରୁ ପ୍ରସ୍ତୁତ ହୁଏ, ତାହା ହଜମ ପ୍ରକ୍ରିୟା ପାଇଁ ଉତ୍କୃଷ୍ଟ । ଏହି ସମସ୍ତ ଖାଦ୍ୟ ଗ୍ରୀଷ୍ମର ସ୍ବାଦକୁ ଖୁବ ସ୍ବତନ୍ତ୍ର ଓ ନିଆରା କରିଥାଏ । ଦକ୍ଷିଣ ଭାରତର ରାଜ୍ୟ ଯଥା ତାମିଲନାଡୁ ଏବଂ କେରଳରେ 'ତାୟିର ସାଦମ'ର ବହୁଳ ବ୍ୟବହାର ଦେଖିବାକୁ ମିଳେ । ସେଠାରେ ତାଳ ସଜକୁ ଖରାରୁ ରକ୍ଷା ପାଇବା ପାଇଁ ଏକ ପ୍ରାକୃତିକ ଉପାୟ ଭାବେ ଗ୍ରହଣ କରାଯାଇଛି। କେରଳରେ ଜିରା ଏବଂ ପୁଦିନା ପଡ଼ିଥିବା ମୋରୁ ପ୍ରତିଟି ଭୋଜନର ଶେଷରେ ପରଷାଯାଇଥାଏ ।

ଉତ୍ତର ଭାରତ ମସଲାଦାର ପାନୀୟ
ଉତ୍ତର ଭାରତରେ ପ୍ରବଳ ଗରମ ହେଉଥିବାରୁ ସେଠାରେ ଖାଦ୍ୟାଭ୍ୟାସରେ ତରଳ ପଦାର୍ଥ ଉପରେ ଅଧିକ ଗୁରୁତ୍ୱ ଦିଆଯାଏ । ପଞ୍ଜାବ ଓ ଦିଲ୍ଲୀରେ ଏକ ବଡ଼ ଗ୍ଲାସରେ ମଲାଇ ଦିଆ 'ମିଠା ଲସି' ନ ପିଇଲେ ଖରା ଶେଷ ହୁଏନି । ରାଜସ୍ଥାନ ଏବଂ ହରିୟାଣାରେ ବାଜରା ରାବିଡି ଏବଂ 'ସତ୍ତୁ' ର ଶରବତ ବହୁତ ଲୋକପ୍ରିୟ। ବିହାର ଏବଂ ଉତ୍ତର ପ୍ରଦେଶରେ ସତ୍ତୁ ଖୁବ ପରିଚିତ, ଯାହା ଶରୀରକୁ ଥଣ୍ଡା ରଖିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ 'ଆମ ପାନା' ବା ପୋଡ଼ା ଆମ୍ବର ପଣା ଉତ୍ତର ଭାରତୀୟ ଘରର ଏକ ଅବିଚ୍ଛେଦ୍ୟ ଅଂଶ।

ଫଳରେ ସ୍ବତନ୍ତ୍ରତା
ଦେଶର ସବୁ ପ୍ରାନ୍ତରେ ଗ୍ରୀଷ୍ମ ଋତୁରେ ପାଣି ଜାତୀୟ ଫଳର ଚାହିଦା ବଢ଼ିଯାଏ। ତରଭୁଜ, ଖରଭୁଜ, କାକୁଡ଼ି ଏବଂ ନଡ଼ିଆ ପାଣି ସବୁ ସହରର ଛକମାନଙ୍କରେ ସଜା ହୋଇ ରହିଥିବା ଦେଖିବାକୁ ମିଳେ । ପନିପରିବା କଥା କହିଲେ ଜହ୍ନି, ପୋଟଳ ଏବଂ ଲାଉ ଭଳି ହାଲୁକା ଖାଦ୍ୟକୁ ଅଧିକ ପ୍ରାଧାନ୍ୟ ଦିଆଯାଏ, ଯାହା ସହଜରେ ହଜମ ହୋଇପାରିବ ।




