୯ କୋଟିର ଚା’
ଚୀନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି, ଯେଉଁଠାରେ ମିଳୁଥିବା ‘ଦା-ହୋଙ୍ଗ ପାଓ’ ନାମକ ଏକ ସ୍ୱତନ୍ତ୍ର କିସମର ଚା’ ବର୍ତ୍ତମାନ ବିଶ୍ୱର ସବୁଠାରୁ ମହଙ୍ଗା ଚା’ର ମାନ୍ୟତା ପାଇଛି। ଯାହାର ଏକ କିଲୋଗ୍ରାମର ମୂଲ୍ୟ ପ୍ରାୟ ୯ କୋଟି ଟଙ୍କାରୁ ଅଧିକ ବୋଲି ଜଣାପଡିଛି । ଏହାର ମାତ୍ର ୨୦ ଗ୍ରାମ ପ୍ରାୟ ୨୬ ଲକ୍ଷ ଟଙ୍କାରେ ନିଲାମ ହୋଇଥିବା ଜଣାପଡିଛି । ଚୀନର ଫୁଜିଆନ ପ୍ରାନ୍ତରେ ଅବସ୍ଥିତ ୱୁଇୟୀ ପାହାଡ଼ିଆ ଅଞ୍ଚଳରେ ଏହି ଚା’ ଚାଷ କରାଯାଉଥିବାରୁ ଏହାକୁ ସ୍ଥାନୀୟ ଅଞ୍ଚଳରେ ‘ରକ୍ ଟି’ ବୋଲି କୁହାଯାଏ। ଏହି ଚା’ ଏତେ ଅଧିକ ମୂଲ୍ୟବାନ ହେବାର ମୁଖ୍ୟ କାରଣ ହେଉଛି ଏହାର ଉତ୍ପତ୍ତିସ୍ଥଳ ଏବଂ ଏହାର ପ୍ରାଚୀନତା। ପ୍ରକୃତରେ ଏହି ଚା’ କେବଳ କିଛି ନିର୍ଦ୍ଦିଷ୍ଟ ‘ମଦର ପ୍ଲାଣ୍ଟସ’ରୁ ହିଁ ମିଳିଥାଏ, ଯେଉଁଗୁଡିକର ବୟସ ପ୍ରାୟ ୩୦୦ ରୁ ୩୫୦ ବର୍ଷରୁ ଅଧିକ ବୋଲି କୁହାଯାଉଛି । ଏହି ପ୍ରାଚୀନ ଗଛଗୁଡିକର ସୁରକ୍ଷା ପାଇଁ ଚୀନ ସରକାର ୨୦୦୬ ମସିହାରୁ ଏହି ଗଛରୁ ଚା’ ପତ୍ର ତୋଳିବା ଉପରେ କଡ଼ା କଟକଣା ଏବଂ ନିଷେଧାଦେଶ ଜାରି କରିଛନ୍ତି। ଯାହା ଫଳରେ ବଜାରରେ ଏହାର ଉପଲବ୍ଧତା ଅତ୍ୟନ୍ତ କମ ରହିଛି । ଏହି ଚା’କୁ ଅତ୍ୟନ୍ତ ପବିତ୍ର ଏବଂ ଔଷଧୀୟ ଗୁଣରେ ଭରପୂର ବୋଲି ବିବେଚନା କରାଯାଏ, ଯାହା ପୂର୍ବ କାଳରେ କେବଳ ରାଜକୀୟ ପରିବାର ଏବଂ ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଏହାର ଅତୁଳନୀୟ ସ୍ୱାଦ, ସୁଗନ୍ଧ ଏବଂ ସ୍ୱାସ୍ଥ୍ୟଗତ ଉପକାରିତା ଯୋଗୁଁ ଆଜି ବି ବିଶ୍ୱର ବଡ଼ ବଡ଼ ପୁଞ୍ଜିପତିମାନେ ଏହାକୁ କିଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ରହୁଛନ୍ତି। ଯାହା ଏହି ଚା’କୁ ସୁନା କିମ୍ବା ହୀରା ଅପେକ୍ଷା ବି ଅଧିକ ମୂଲ୍ୟବାନ କରାଇଛି ।



