ବଦଳୁଛି ରୁଚି
ଡିଜିଟାଲ୍ ଥକ୍କାପଣରୁ ମୁକ୍ତି ପାଇବା ପାଇଁ ଯୁବପିଢ଼ି ଏବେ ସେମାନଙ୍କ ଜୀବନଶୈଳୀରେ ବଡ଼ ପରିବର୍ତ୍ତନ ଆଣୁଥିବା ଦେଖିବାକୁ ମିଳୁଛି । ଏଠାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କ୍ଲବରେ ପାର୍ଟି କରୁଥିବା ଯୁବକଯୁବତୀମାନେ ବର୍ତ୍ତମାନ ସମୟରେ ବୁଣାବୁଣି, ଫୁଲ ସଜାସଜ୍ଜା, ମାଛ ଧରିବା ଏବଂ ପାତ୍ର ତିଆରି ଭଳି ପୁରୁଣା ଶୈଳୀର ସଉକ ଆପଣାଉଛନ୍ତି । ଏହି ନୂତନ ଧାରାକୁ ‘ଗ୍ରାନିକୋର’ କୁହାଯାଉଛି, ଯେଉଁଥିରେ ‘ବୁମର୍ସ’ ବା ପୂର୍ବ ପିଢ଼ିର ଅଭ୍ୟାସଗୁଡ଼ିକୁ ପୁନର୍ଜୀବିତ କରାଯାଉଛି । କାରଣ ବୈଜ୍ଞାନିକମାନଙ୍କ ମତରେ ସିଲେଇ-ବୁଣା ଭଳି କାମ ଏକାଗ୍ରତା ବଢ଼ାଇବା ସହ ମାନସିକ ଚାପ କମାଇବାରେ ସାହାଯ୍ୟ କରେ । ଆମେରିକା, ବ୍ରିଟେନ ଓ ଜର୍ମାନୀଠାରୁ ଆରମ୍ଭ କରି ଏସିଆର ସିଙ୍ଗାପୁର ଓ ଭିଏତନାମ ପର୍ଯ୍ୟନ୍ତ ଏହି ଟ୍ରେଣ୍ଡ ବ୍ୟାପିବାରେ ଲାଗିଛି । ଯେଉଁଠି ‘ଇଭେଣ୍ଟବ୍ରାଇଟ୍’ ଅନୁଯାୟୀ ଜେନ୍-ଜି ପିଢ଼ି ମଧ୍ୟରେ ବେକିଂ, ବିଙ୍ଗୋ ଖେଳ ଏବଂ ପକ୍ଷୀ ନିରୀକ୍ଷଣ ପ୍ରତି ଆଗ୍ରହ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି । ଟ୍ରେଣ୍ଡ ଆନାଲିଷ୍ଟଙ୍କ ଅନୁସାରେ, ସ୍କ୍ରିନ୍ ଏବଂ ଆପ୍ସର ଦୁନିଆରୁ ବିରକ୍ତ ହୋଇ ଯୁବପିଢ଼ି ଏବେ ନିଜର ପୁରୁଣା ଦିନରେ ବଞ୍ଚିବାକୁ ଚାହୁଁଛନ୍ତି । ଫୋନଠାରୁ ଦୂରେଇ ରହି ଏହି ସୃଜନଶୀଳ କାର୍ଯ୍ୟ ମାଧ୍ୟମରେ ନିଜର ‘ସେଲ୍ଫ-କେୟାର’ କରୁଛନ୍ତି ।



