ତାଞ୍ଜାନିଆର ବିସ୍ମୟ ଲାଲ ହ୍ରଦ
ଆଫ୍ରିକାର ତାଞ୍ଜାନିଆରେ ଅବସ୍ଥିତ 'ଲେକ୍ ନାଟ୍ରୋନ୍' ନାମକ ଏକ ରହସ୍ୟମୟ ଲାଲ୍ ହ୍ରଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ପାଣିରେ ମୃତ୍ୟୁବରଣ କରୁଥିବା ପକ୍ଷୀ ଓ ଜୀବଜନ୍ତୁଙ୍କ ଶବ ଗୁଡ଼ିକ ଶୁଖି ଶକ୍ତ ପଥର ଭଳି ଦୃଶ୍ୟମାନ ହୋଇଥାନ୍ତି । ଏହି ହ୍ରଦର ପାଣିରେ ପ୍ରଚୁର ପରିମାଣରେ ଲବଣ ଓ ସୋଡ଼ିଅମ୍ କାର୍ବୋନେଟ୍ ଭଳି ଖଣିଜ ପଦାର୍ଥ ରହିଥିବାରୁ, ଏହା ସଂସ୍ପର୍ଶରେ ଆସୁଥିବା ଜୀବଜନ୍ତୁଙ୍କ ଶରୀରରୁ ଜଳୀୟ ଅଂଶ ଶୀଘ୍ର ବାଷ୍ପୀଭୂତ ହୋଇଯାଇଥାଏ । ଯାହା ଫଳରେ ଶରୀର ଶକ୍ତ ହେବାସହ ଏହାର ପଚନ ପ୍ରକ୍ରିୟାକୁ ଧୀର କରିଦେଇଥାଏ । ଯାହା ପ୍ରାଚୀନ ମିଶରରେ ମମି ସଂରକ୍ଷଣ ପାଇଁ ବ୍ୟବହୃତ ହେଉଥିଲା । ଆଖପାଖର ପାହାଡ଼ ଓ ଉଷ୍ମ ପ୍ରସ୍ରବଣରୁ ପ୍ରବାହିତ ଲବଣ ଓ ଖଣିଜ ପଦାର୍ଥ ଯୋଗୁଁ ଏହି ହ୍ରଦର ରଙ୍ଗ ଗାଢ଼ ଲାଲ୍ ଦେଖାଯାଇଥାଏ । ଏହାର ବିଷାକ୍ତ ତଥା ପ୍ରତିକୂଳ ପରିବେଶ ସତ୍ତ୍ୱେ ଏଠାରେ ପ୍ରଚୁର ସାଲୁଅ (ଆଲଗି) ମିଳୁଥିବାରୁ ଲକ୍ଷାଧିକ 'ଲେସର୍ ଫ୍ଲାମିଙ୍ଗୋ' ପକ୍ଷୀ ବଂଶବୃଦ୍ଧି ଓ ଆହାର ପାଇଁ ଏଠାକୁ ଆସିଥାନ୍ତି । ଅନ୍ୟ ହିଂସ୍ର ଜନ୍ତୁଙ୍କ ଭୟ ନଥିବାରୁ ପ୍ରଜନନ ଋତୁରେ ମଧ୍ୟ ଏହି ରହସ୍ୟମୟ ଲାଲ୍ ହ୍ରଦ ନିକଟରେ ନିୟୁତାଧିକ ଫ୍ଲାମିଙ୍ଗୋ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଥାଏ ।




