ସୁପରମ୍ୟାନ ରୋବୋଟ
ଚୀନର ପ୍ରଯୁକ୍ତିବିଦ୍ୟା କମ୍ପାନୀ 'ୟୁନିଟ୍ରି' ଦ୍ୱାରା ନିର୍ମିତ 'ସୁପରମ୍ୟାନ୍' ନାମକ ଏକ ହ୍ୟୁମାନୋଏଡ୍ ରୋବୋଟ୍ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ଏହା ଡେମୋ ଟେଷ୍ଟରେ ବିଶ୍ୱର ସବୁଠାରୁ ଦ୍ରୁତତମ ଆଥଲେଟ୍ ଉସେନ୍ ବୋଲ୍ଟଙ୍କ ରେକର୍ଡକୁ ପଛରେ ପକାଇ ନୂଆ ଇତିହାସ ରଚିଛି । ସାଂଘାଇଠାରେ ଅନୁଷ୍ଠିତ ଏହି ଡେମୋ ପ୍ରଦର୍ଶନରେ ରୋବୋଟ୍ଟି ସେକେଣ୍ଡ ପ୍ରତି ୧୨.୬୬ ମିଟରର ସର୍ବାଧିକ ଗତିରେ ଦୌଡି ଏହି ସଫଳତା ଅର୍ଜନ କରିଛି । ଏହା ୨୦୦୯ ମସିହାରେ ବୋଲ୍ଟଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ସେକେଣ୍ଡ ପ୍ରତି ୧୨.୪୨ ମିଟରର ଶୀର୍ଷ ଗତିଠାରୁ ଅଧିକ । ମାତ୍ର ୩ ମାସରେ ତିଆରି ହୋଇଥିବା ଏହି ରୋବୋଟ୍ ଏହି ବେଗରେ ୧୦୦ ମିଟର ଦୌଡ଼କୁ ମାତ୍ର ୭.୯ ସେକେଣ୍ଡରେ ପୂରଣ କରିବା ସହ ଗୋଟିଏ ସ୍ଥାନରେ ଛିଡ଼ା ହୋଇ ୨ ମିଟର ଉଚ୍ଚତା ପର୍ଯ୍ୟନ୍ତ ଡେଇଁବାର ଦକ୍ଷତା ପ୍ରଦର୍ଶନ କରିଛି । କେବଳ ଦୌଡ଼ିବା ନୁହେଁ, ପୂର୍ବରୁ ଡ୍ୟାନ୍ସ ଏବଂ ମାର୍ଶଲ ଆର୍ଟ କରିବାରେ ମଧ୍ୟ ନିଜର ପାରଙ୍ଗମତା ଦେଖାଇସାରିଥିବା ଏହି କମ୍ପାନୀ ଜୁଲାଇ ଶେଷ ସୁଦ୍ଧା ପ୍ରାୟ ୧୮ ହଜାର ବାଇପେଡାଲ୍ ହ୍ୟୁମାନୋଏଡ୍ ରୋବୋଟ୍ ନିର୍ମାଣ କରିସାରିଛି । ତେବେ ଏହି ସେକେଣ୍ଡ ପ୍ରତି ୧୨.୬୬ ମିଟର ଗତିର ଅଫିସିଆଲ୍ ପୁଷ୍ଟି ହେବା ବାକି ଅଛି ।




