ସୁପର ଡାଡି
ଚୀନର ଜଣେ ପିଇଟି ଶିକ୍ଷକ ବାଇ ଜିୟାନ୍ ଖୁବ ଚର୍ଚ୍ଚାରେ ଅଛନ୍ତି । ଗତ ୩୦ ବର୍ଷ ଧରି ସେ ପ୍ରାୟ ୩୦୦ ଅସହାୟ ଏବଂ ପରିତ୍ୟକ୍ତ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । ସମଗ୍ର ବିଶ୍ୱରେ ବର୍ତ୍ତମାନ ସେ 'ଚୀନର ସୁପରଡାଡି' ଭାବେ ପରିଚିତ ହୋଇପାରିଛନ୍ତି । ସୂଚନା ଅନୁସାରେ ଏକଦା ବାଇ ଜଣେ କ୍ଷୁଧାର୍ଥ ପିଲାକୁ ଦେଖିଲେ ଏବଂ ଜାଣିବାକୁ ପାଇଲେ ଯେ ତା'ର ପିତାମାତା ତାକୁ ଛାଡ଼ି ଚାଲିଯାଇଛନ୍ତି। ଏହାପରଠାରୁ ତାଙ୍କର ଏଭଳି ପିଲାଙ୍କ ପ୍ରତି ଏକ ଦୁର୍ବଳତା ଆସିଥିଲା ଏବଂ ସେ ସେମାନଙ୍କୁ ସାହାଯ୍ୟ କରିବାକୁ ମନ ବଳାଇଥିଲେ । ଏହି ଦିନ ଠାରୁ ସେ ଶିଶୁମାନଙ୍କର ଖାଇବା, ରହିବା ତଥା ପାଠପଢ଼ା ଖର୍ଚ୍ଚ ତୁଲାଇବା ପାଇଁ ଅନେକ ସମୟରେ ଋଣ କରିବା ସହ ଦିନରାତି ଅତିରିକ୍ତ ପରିଶ୍ରମ ମଧ୍ୟ କରିଛନ୍ତି। ବାଇଙ୍କର ଏହି ନିସ୍ୱାର୍ଥପର ସେବା ଓ ଦୃଢ଼ ସଂକଳ୍ପର ଫଳସ୍ୱରୂପ ଆଜି ତାଙ୍କର ପାଳିତ ୩୦୦ ଶିଶୁଙ୍କ ମଧ୍ୟରୁ ୧୦୦ରୁ ଅଧିକ ପିଲା ଉଚ୍ଚଶିକ୍ଷା ପାଇଁ ବିଶ୍ୱବିଦ୍ୟାଳୟରେ ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଆଜି ସମାଜରେ ପ୍ରତିଷ୍ଠିତ ଖେଳାଳି, ଦେଶରକ୍ଷା ପାଇଁ ସୈନିକ, ଶିକ୍ଷକ ଏବଂ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ବାଇ ଜିୟାନ୍ଙ୍କର ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବା ସହିତ ତାଙ୍କୁ ସାଧୁବାଦ ଜଣାଇବାରେ ଲାଗିଛନ୍ତି ।



