୧୦ ବର୍ଷରୁ ସଫଳ
ସୁପରଷ୍ଟାର ବିଜୟଙ୍କ ସଫଳତାର ଯାତ୍ରା ୧୯୮୪ ମସିହାରେ ମାତ୍ର ୧୦ ବର୍ଷ ବୟସରୁ ଆରମ୍ଭ ହୋଇଥିଲା । ତାଙ୍କୁ ଯେତେବେଳେ ମାତ୍ର ୧୦ ବର୍ଷ ସେତେବେଳେ ସେ ତାଙ୍କ ପିତା ଏସ.ଏ. ଚନ୍ଦ୍ରଶେଖରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଭେତ୍ରି'ରେ ପ୍ରଥମ କରି ଜଣେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ଏହି ଫିଲ୍ମରେ କାମ କରିବା ପାଇଁ ତାଙ୍କୁ ୫୦୦ ଟଙ୍କା ପାରିଶ୍ରମିକ ମିଳିଥିଲା । ଏହାପରେ ୧୧ ବର୍ଷରେ ତାଙ୍କୁ ନାନ ସିଗାପୁ ମାନିଥନ ନାମକ ଫିଲ୍ମରେ ଶିଶୁ କଳାକାର ଭାବେ ଦର୍ଶକ ଦେଖିଥିଲେ । ତେବେ ସେହି ସମୟରେ ତାଙ୍କ ପରିବାର ଆର୍ଥିକ ସଂଘର୍ଷ ଦେଇ ଗତି କରୁଥିଲା । ବାପା ଫିଲ୍ମ ଇଣ୍ଡଷ୍ଟ୍ରୀରେ ସଂଘର୍ଷ କରୁଥିବାବେଳେ, ତାଙ୍କ ମାଆ ଶୋଭା ଚନ୍ଦ୍ରଶେଖର କନସର୍ଟରେ ଗୀତ ଗାଇ ଘର ଚଳଉଥିଲେ । ତେବେ ପରେ ତାଙ୍କ ପରିବାରର ସ୍ଥିତି ବଦଳିଥିଲା, ପରେ ତାଙ୍କ ମାଆ ଜଣେ ସଫଳ ପ୍ଲେବ୍ୟାକ୍ ସିଙ୍ଗର ଭାବେ ନିଜ ପରିଚୟ ସୃଷ୍ଟି କରିଥିଲେ । ବିଜୟ ନିଜର ଅଭିନୟ ନିଶା ଯୋଗୁଁ କଲେଜ ପାଠପଢ଼ା ଅଧାରୁ ଛାଡ଼ିଥିଲେ ଏବଂ ୧୯୯୨ ମସିହାରେ ୧୮ ବର୍ଷ ବୟସରେ 'ନାଲାଇୟା ଥିର୍ପୁ' ଚଳଚ୍ଚିତ୍ର ମାଧ୍ୟମରେ ଜଣେ ନାୟକ ଭାବେ ପରଦାକୁ ଆସିଥିଲେ । ୧୯୯୩ରେ 'ସେନ୍ଦୁରପାଣ୍ଡି' ଭଳି ଏକ ବଡ଼ ହିଟ୍ ଫିଲ୍ମ ଦେବା ପରେ ସେ ଆଉ ପଛକୁ ଚାହିଁନାହାନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୯ଟି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରି ଦେଶର ସବୁଠାରୁ ମହଙ୍ଗା ଅଭିନେତାଙ୍କ ତାଲିକାରେ ସାମିଲ ହୋଇଛନ୍ତି ।




