ସଂଘର୍ଷରୁ ସଫଳତା

ସଂଘର୍ଷରୁ ସଫଳତା
Ipsita Picture
By: Ipsita
Published On

 

ଅନେକ ପ୍ରତିଯୋଗୀଙ୍କୁ ପଛରେ ପକାଇ 'ଫେମିନା ମିସ୍ ଇଣ୍ଡିଆ ୨୦୨୬'ର ବିଜେତା ମୁକୁଟ ପିନ୍ଧିଛନ୍ତି ଗୋଆର ସାଧ୍ବୀ ସତୀଶ । ଭୁବନେଶ୍ବରରେ ଆୟୋଜିତ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ହୋଇ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ସାଧ୍ବୀ ।

ଗ୍ଲାମର ଦୁନିଆର ସବୁଠାରୁ ବଡ଼ ମଞ୍ଚ 'ଫେମିନା ମିସ୍ ଇଣ୍ଡିଆ ୨୦୨୬'ର ମୁକୁଟ ପିନ୍ଧି ସାଧ୍ୱୀ ସତୀଶ ଆଜି କେବଳ ଏକ ପରିଚିତ ନାମ ନୁହଁନ୍ତି, ବରଂ କୋଟି କୋଟି ଯୁବତୀଙ୍କ ପାଇଁ ଏକ ପ୍ରେରଣା ପାଲଟିଛନ୍ତି । ଏକ ସାଧାରଣ ମଧ୍ୟବିତ୍ତ ପରିବାରରୁ ଆସିଥିବା ସାଧ୍ୱୀଙ୍କର ଏହି ଯାତ୍ରା ଆଦୌ ସହଜ ନଥିଲା । ପିଲାଦିନରୁ ମଡେଲିଂ ପ୍ରତି ରୁଚି ରଖିଥିବା ସାଧ୍ୱୀଙ୍କୁ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ଆହ୍ୱାନର ସାମ୍ନା କରିବାକୁ ପଡ଼ିଥିଲା । ପରିବାରର ଆର୍ଥିକ ସଙ୍କଟ ଏବଂ ସମାଜର ରକ୍ଷଣଶୀଳ ମନୋଭାବ ସତ୍ତ୍ୱେ ସେ କେବେ ହାର ମାନିନଥିଲେ । ନିଜର ପାଠପଢ଼ା ଜାରି ରଖିବା ସହିତ ସେ ଛୋଟ ଛୋଟ ପାର୍ଟ-ଟାଇମ୍ କାମ କରି ନିଜର ମଡେଲିଂ ପ୍ରଶିକ୍ଷଣ ପାଇଁ ଅର୍ଥ ଯୋଗାଡ଼ କରୁଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କୁ ଅନେକ ଅଡିସନ୍ରୁ ପ୍ରତ୍ୟାଖ୍ୟାନ କରାଯାଇଥିଲା, କିନ୍ତୁ ପ୍ରତିଟି ବିଫଳତାକୁ ସେ ସଫଳତାର ସିଡ଼ି ଭାବେ ଗ୍ରହଣ କରିଥିଲେ। ତାଙ୍କର ଏଭଳି ବି ଦିନ ଥିଲା ଯେ ସେ ଗୋଟିଏ ଓଳି ଖାଇ ଅନ୍ୟ ପଇସାରେ ଶରୀର ଓ ଚେହେରାର ଯତ୍ନ ନେବାକୁ ପଡ଼ୁଥିଲା । ତଥାପି ନିଜ ଆଖିରେ ଥିବା ସ୍ୱପ୍ନ ତାଙ୍କୁ କେବେ ଶୋଇବାକୁ ଦେଇନଥିଲା । ସାଧ୍ୱୀଙ୍କ ମଡେଲିଂ କ୍ୟାରିୟର ସ୍ଥାନୀୟ ଫ୍ୟାଶନ ଶୋରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ତାଙ୍କର ଆତ୍ମବିଶ୍ୱାସ ଏବଂ ଚମତ୍କାର ଚାଲିଚଳନ ସମସ୍ତଙ୍କୁ ମୁଗ୍ଧ କରିଥିଲା । ଜଣେ ସଫଳ ମଡେଲ ହେବା ପାଇଁ ସେ କେବଳ ବାହ୍ୟ ସୌନ୍ଦର୍ଯ୍ୟ ନୁହେଁ, ବରଂ ନିଜର ବୁଦ୍ଧିମତା ଏବଂ ବ୍ୟକ୍ତିତ୍ୱ ଉପରେ ମଧ୍ୟ ବହୁତ କାମ କରିଥିଲେ । ମିସ୍ ଇଣ୍ଡିଆ ମଞ୍ଚରେ ତାଙ୍କର ପ୍ରତିଟି ଉତ୍ତରରେ ସାମାଜିକ ସଚେତନତା ଏବଂ ଦୟାଭାବ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଥିଲା । ବିଶେଷ କରି ମହିଳା ସଶକ୍ତିକରଣ ଏବଂ ଶିକ୍ଷା କ୍ଷେତ୍ରରେ କାମ କରିବା ପାଇଁ ତାଙ୍କର ଯେଉଁ ସଂକଳ୍ପ ରହିଛି, ତାହା ବିଚାରକମାନଙ୍କୁ ବହୁତ ପ୍ରଭାବିତ କରିଥିଲା । ଏହି ପ୍ଲାଟଫର୍ମରେ ବିଜୟ ହେବା ପରେ ତାଙ୍କ କ୍ୟାରିୟରକୁ ଏକ ଭଲ ଦିଗ ମିଳିବ ବୋଲି ସେ ଆଶା ରଖିଛନ୍ତି । ସେହିଭଳି ସୋସିଆଲ ମିଡିଆରେ ସେ ଅନେକ ପ୍ରଶଂସା ସାଉଁଟୁଥିବା ଦେଖିବାକୁ ମିଳୁଛି ।

Tags: