ଖରାରେ ରୁହନ୍ତୁ ସଚେତନ
ଭାରତରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସତର୍କ ରହିବାର ଆବଶ୍ୟକତା ଅଛି । ସମ୍ପ୍ରତି ଦେଶର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି, ଯାହା ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ସେହିଭଳି ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏନସିଆରବି ରିପୋର୍ଟ ଅନୁଯାୟୀ, ୨୦୦୦ ରୁ ୨୦୨୦ ମଧ୍ୟରେ ପ୍ରବଳ ଖରା ଯୋଗୁଁ ପ୍ରାୟ ୨୦,୬୧୫ ଜଣ ପ୍ରାଣ ହରାଇଛନ୍ତି। ଅତ୍ୟଧିକ ଖରାରେ କାମ କରିବା ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରଣ ପ୍ରଣାଳୀ ବିଗିଡ଼ିଯାଏ, ଯାହା ଫଳରେ ହିଟ୍ ଷ୍ଟ୍ରୋକ୍, ଡିହାଇଡ୍ରେସନ ଏବଂ ଅତ୍ୟଧିକ ଝାଳ ଯୋଗୁଁ ଇଲେକ୍ଟ୍ରୋଲାଇଟ୍ସର ଅଭାବ ଦେଖାଦିଏ । ତେଣୁ ଉଚ୍ଚ ତାପମାତ୍ରାରେ ଦୀର୍ଘ ସମୟ କାମ କଲେ ହୃଦୟ ଉପରେ ଅତିରିକ୍ତ ଚାପ ପଡ଼ିଥାଏ ଏବଂ ଜଳୀୟ ଅଂଶ କମିବା ଯୋଗୁଁ କିଡନୀର କାର୍ଯ୍ୟଦକ୍ଷତା ମଧ୍ୟ ପ୍ରଭାବିତ ହୁଏ ।
ହାଇଡ୍ରେସନ _ ଡିହାଇଡ୍ରେସନରୁ ବଞ୍ଚିବା ପାଇଁ ଦିନକୁ ଅତିକମରେ ୩-୪ ଲିଟର ପାଣି ପିଇବା ଉଚିତ, ବିଶେଷ କରି ବାହାରେ କାମ କରୁଥିବା ବ୍ୟକ୍ତିମାନେ ଅଧିକ ପାଣି ପିଇବା ଆବଶ୍ୟକ। କେବଳ ସାଧା ପାଣି ଯଥେଷ୍ଟ ନୁହେଁ; ଶରୀରରେ ଲବଣ ଓ ମିନେରାଲ୍ସ ସନ୍ତୁଳନ ରଖିବା ପାଇଁ ଦହି, ନଡ଼ିଆ ପାଣି, ଲେମ୍ବୁ ପାଣି କିମ୍ବା ଓଆରଏସ୍ ଗ୍ରହଣ କରିବା ଜରୁରୀ ।
ପୋଷାକ _ ଖରାକୁ ବାହାରିବା ପୂର୍ବରୁ ଖାଲି ପେଟରେ ନ ଯାଇ ହାଲୁକା ପୌଷ୍ଟିକ ଜଳଖିଆ ଖାଇବା ଉଚିତ ଏବଂ ଶରୀରକୁ ଥଣ୍ଡା ରଖିବା ପାଇଁ ହାଲୁକା ରଙ୍ଗର ଢିଲା ସୂତା କପଡ଼ା ପିନ୍ଧିବା ଆବଶ୍ୟକ। ଟାଇଟ ପୋଷାକଠାରୁ ଏହି ସମୟରେ ଦୂରରେ ରୁହନ୍ତୁ ।
ସତର୍କତା _ କାମ ମଝିରେ ସମୟ ସମୟରେ ଛାଇ କିମ୍ବା ଥଣ୍ଡା ସ୍ଥାନରେ ବିଶ୍ରାମ ନେବା ଉଚିତ ଏବଂ ମୁଣ୍ଡକୁ ଟୋପି କିମ୍ବା ଗାମୁଛାରେ ଢାଙ୍କି ରଖିବା ଜରୁରୀ। କଳା ଚଷମା ପିନ୍ଧି ଖରାରେ ବାହାରକୁ ବାହାରିବାର ଆବଶ୍ୟକତା ରହିଛି । ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ମଧୁମେହ ରୋଗୀ ଏବଂ ହୃଦୟ କିମ୍ବା କିଡନୀ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଖରାରେ ବାହାରକୁ ଯିବା ସମୟରେ ବିଶେଷ ସାବଧାନତା ଅବଲମ୍ବନ କରିବା ଉଚିତ ।



