ପିଲାଦିନ ଖେଳ

ସମସ୍ତଙ୍କର ପିଲାଦିନ ବେଶ୍‌ ସ୍ମରଣୀୟ ହୋଇଥାଏ । ପିଲାଦିନର ଏଭଳି କିଛି ସ୍ମୃତି ରହିଥାଏ, ଯାହା ବଡହେଲାପରେ ବି ବ୍ୟକ୍ତିମାନଙ୍କୁ ଖୁସି ଦେଇଥାଏ । ସେହି ସ୍ମୃତିରୁ ଗୋଟିଏ ଅଂଶ ହେଲା ପିଲାଦିନର ଖେଳ, ଯାହା ବଡହେବା ପରେ ମଧ୍ୟ ଆମ ମାନଙ୍କ ମନରେ ସତେଜ ରହିଥାଏ । ଆଜିକାଲିର ପିଲାଙ୍କ ଭଳି ନବେଦଶକର ପିଲାଙ୍କ ପିଲାଦିନ ମୋବାଇଲ ଧରି କଟୁନଥିଲା । ସେହିସମୟରେ ଶିଶୁଟିଏ ପିଲାଦନେ ଖେଳୁଥିଲା ବିଭିନ୍ନ ପ୍ରକାରର ଖେଳ, ଯାହା ତାକୁ ଶାରୀରିକ […]

ପିଲାଦିନ ଖେଳ
Samaya Live Picture
Published On


ସମସ୍ତଙ୍କର ପିଲାଦିନ ବେଶ୍‌ ସ୍ମରଣୀୟ ହୋଇଥାଏ । ପିଲାଦିନର ଏଭଳି କିଛି ସ୍ମୃତି ରହିଥାଏ, ଯାହା ବଡହେଲାପରେ ବି ବ୍ୟକ୍ତିମାନଙ୍କୁ ଖୁସି ଦେଇଥାଏ । ସେହି ସ୍ମୃତିରୁ ଗୋଟିଏ ଅଂଶ ହେଲା ପିଲାଦିନର ଖେଳ, ଯାହା ବଡହେବା ପରେ ମଧ୍ୟ ଆମ ମାନଙ୍କ ମନରେ ସତେଜ ରହିଥାଏ । ଆଜିକାଲିର ପିଲାଙ୍କ ଭଳି ନବେଦଶକର ପିଲାଙ୍କ ପିଲାଦିନ ମୋବାଇଲ ଧରି କଟୁନଥିଲା । ସେହିସମୟରେ ଶିଶୁଟିଏ ପିଲାଦନେ ଖେଳୁଥିଲା ବିଭିନ୍ନ ପ୍ରକାରର ଖେଳ, ଯାହା ତାକୁ ଶାରୀରିକ ଓ ମାନସିକ ଉଭୟ ସ୍ତରରେ ଆକଫିଭ ରଖୁଥିଲା । ଏହି ସବୁ ଖେଳ ଶିଶୁଟିର ସାମଗ୍ରିକ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଭାରତରେ ନବେଦଶକରେ ଅନେକ ପାରମ୍ପରିକ ଖେଳ ଦେଖିବାକୁ ମିଳିଥାଏ, ଯାହା ଦେଶର ବିଭିନ୍ନ ପ୍ରାନ୍ତରେ ଖେଳାଯାଉଥିଲା । ହେଲେ ବର୍ତ୍ତମାନ ଏହି ପାରମ୍ପରିକ ଖେଳ ଧୀରେଧୀରେ ବିଲୁପ୍ତ ହେଉଛି । ଏହି ଖେଳ ଆଉ କୌଣସି ସ୍ଥାନରେ ଖେଳାଯାଉଥିବା ଦେଖିବାକୁ ମିଳୁନାହିଁ । ଏହି ତାଲିକାରେ ଏଭଳି ଅନେକ ଖେଳ ରହିଛି । ଆସନ୍ତୁ ଜାଣିବା ସେହି ବିଲୁପ୍ତ ଖେଳ ସମ୍ପର୍କରେ ଯାହା ଦିନେ ଆମ ପିଲାଦିନର ସ୍ମୃତି ଥିଲା ।

ବୋହୂ ଚୋରି
ପିଲାଦିନର ଖେଳ ଭିତରେ ଛୋଟ ପିଲାଙ୍କ ଭିତରେ ଏହି ବୋହୂଚୋରି ଖେଳର ଅନେକ କ୍ରେଜ ଦେଖିବାକୁ ମିଳିଥାଏ । ଏହି ଖେଳରେ ଦୁଇଟି ଦଳ ହୋଇ ଖେଳହୋଇଥାଏ । ଗୋଟିଏ ଦଳ ଜଣେ ପିଲା ବୋହୂ ହୋଇ ବସିଥିବାବେଳେ ସେହି ଦଳ ଅନ୍ୟ ଦଳଠାରୁ ବୋହୁକୁ ବଞ୍ଚାଇଥାଏ । ଏହି ଖେଳରେ ସାମିଲ ହୋଇଥିବା ପିଲାମାନେ ଖୁବ ମଜା କରିଥାଆନ୍ତି । ଏହି ଖେଳରେ ଉଭୟ ପୁଅଝିଅ ସାମିଲ ହୋଇ ଖେଳୁଥିବାର ଦେଖିବାକୁ ମିଳିଥାଏ ।
ବାସ୍କେଟ୍‌ ବଲ୍‌
ଏହାର ନାଁ ବାସ୍କେଟ ବଲ୍‌ ହୋଇଥାଏ ହେଲେ ଏହି ଖେଳରେ ନାଁ ଥାଏ ବାସ୍କେଟ ନାଁ ଥାଏ ରବରର ବଲ୍‌ । ଏହି ଖେଳ ମଧ୍ୟ ଦୁଇଦଳ ଭିତରେ ଖେଳ ହୋଇଥାଏ । କିଛି ସଢେଇକୁ ଏକାଠି ତଳଉପର କରି ସଜାଯାଇ ରଖାଯାଇଥାଏ । ଯାହାକୁ ଅନ୍ୟ ଦଳର ଲୋକ ଏକ ହାତ ତିଆରି ବଲରେ ଭାଙ୍ଗି ଥାଆନ୍ତି । ଏହାପରେ ସେହି ବଲକୁ ଫୋପଡା ଫୋପଡି କରି ଖେଳ ଆରମ୍ଭ ହୋଇଥାଏ । ତେବେ ଯେଉଁ ଦଳ ସଢେଇ ଗୁଡିକୁ ଭାଙ୍ଗିଥାଏ ସେମାନେ ସଢେଇ ଗୁଡିକୁ ସଜାଡିଥାଆନ୍ତି । ସଜଡା ସରିବା ପରେ ଥରକର ଖେଳ ସରିଥାଏ । ଯଦି ସଜାଡିବା ସମୟରେ ଷଢେଇ ସଜାଡୁଥିବା ଦଳର କୌଣସି ସଦସ୍ୟଙ୍କ ଦେହରେ ବଲ ବାଜିଥାଏ ତେବେ ଏହି ଟର୍ମ ରଦ୍ଦ ହୋଇଥାଏ । ଆଉଥରେ ବିଜେତା ଦଳ ଖେଳ ଆରମ୍ଭ କରିଥାଏ । ଏଥିରେ ବ୍ୟବହାର ହେଉଥିବା ବଲ୍‌କୁ ଜରି, ବ୍ୟବହାର ହେଉନଥିବା କପଡାରୁ ପ୍ରସ୍ତୁତ କରାଯାଇଥାଏ । ଏହି ଖେଳଟିରେ ପିଲାମାନଙ୍କର ଖୁବ ବ୍ୟାୟାମ ହୋଇଥାଏ । ଏହାସହିତ ପିଲାମାନେ ଖୁବ ଉପଭୋଗ ମଧ୍ୟ କରିଥାଆନ୍ତି । ତେବେ କିଛି ସ୍ଥାନରେ ସଢେଇ ପରିବର୍ତ୍ତେ ବଡ ଗୋଡିକୁ ମଧ୍ୟ ରଖାଯାଇଥାଏ ।
ଗିଲିଦଣ୍ଡା
ନବେଦଶକର ପିଲା ଦିନର ବେଶ୍‌ ପପୁଲାର ଖେଳ ଥିଲା ଗିଲିଦଣ୍ଡା । ଏହି ଖେଳ ମଧ୍ୟ ଦୁଇଟି ଦଳରେ ଖେଳ ହୋଇଥାଏ । ଏଥିରେ ଛୋଟଛୋଟ କାଠର ବଲ ବ୍ୟବହାର କରାଯାଇଥାଏ, ଯାହାକୁ ଗିଲି କୁହନ୍ତି ଏବଂ ବ୍ୟାଟ୍‌ ଭଳି ଏକ ବାଡି ବ୍ୟବହାର କରାଯାଇଥାଏ ଯାହାକୁ ଦଣ୍ଡା କୁହାଯାଇଥାଏ । ଏହାକୁ ଏକ ଖୋଲା ପଡିଆରେ ଖେଳାଯାଇଥାଏ । ଖେଳରେ ଭାଗ ନେଇଥିବା ଖେଳାଳୀଙ୍କ ଭିତରେ ଜଣେ ଏହି ଗିଲିକୁ ଦଣ୍ଡାରେ ଉଛାଳି ଦୂରକୁ ପକାଇଥାଏ । ଏହାପରେ ଏହି ଖେଳ ଆରମ୍ଭ ହୋଇଥାଏ । ଏହି ଗିଲିକୁ ଧରିବା ପାଇଁ ଅନ୍ୟ ଖେଳାଳୀମାନେ ଜଗିଥାଆନ୍ତି । ଏହି ଖେଳଟି ସେତେବେଳେ ପିଲାଙ୍କର ପ୍ରଥମ ପସନ୍ଦ ଥିଲା । ତେବେ ଏହି ଖେଳରେ ବିଶେଷ ପୁଅପିଲାମାନେ ଭାଗ ନେଇଥାଆନ୍ତି ।
ବାଟି ଖେଳ
ନବେଦଶକର ପପୁଲାର ଗେମ୍‌ ଭିତରେ ବାଟିଖେଳ ସବୁଠାରୁ ଆଗରେ । ଏବେ ମଧ୍ୟ କେତେକ ସ୍ଥାନରେ ଏହି ଖେଳ ଖେଳାଯାଉଥିବାର ଦେଖିବାକୁ ମିଳିଥାଏ । ଏହି ଖେଳ କିଛି ପିଲାଙ୍କ ଭିତରେ ଖେଳାଯାଇଥାଏ । ଏଥିରେ କାଚ କିମ୍ବା ଚୂନପଥରରେ ଗୋଲଗୋଲ ବାଟିକୁ ବ୍ୟବହାର କରାଯାଇଥାଏ । ଏହି ଖେଳରେ ଯିଏ ହାରେ ତାକୁ ଏକ ପ୍ରକାର ଦଣ୍ଡ ଦିଆଯାଇଥାଏ, ଯାହାକୁ ବାଟି ଖଟେଇବା କୁହାଯାଇଥାଏ । ହାରିଥିବା ବ୍ୟକ୍ତିଙ୍କୁ ବାଟିକୁ ଗଡେଇଗଡେଇ ଏକ ସ୍ଥାନକୁ ନେବାକୁ ହୋଇଥାଏ, ଯାହା ବିଜେତାମାନଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଇଥାଏ । ଏହି ଖେଳକୁ ଉଭୟ ପୁଅ ଝିଅ ସମସ୍ତେ ଖେଳୁଥିବାର ଦେଖିବାକୁ ମିଳିଥାଏ । ଖେଳଟିକୁ ପିଲାମାନେ ବେଶ୍‌ ଆନନ୍ଦର ସହ ଖେଳିଥାଆନ୍ତି ।
ଲୁଚ କାଳି
ନବେଦଶକ ପିଲାଙ୍କର ପିଲାଦିନର ସ୍ମୃତିରେ ଲୁଚକାଳି ଖେଳ ଯେମିତି ବି ହେଲି ସାମିଲ ଥିବ । ସେହି ସମୟରେ ଏହା ବେଶ୍‌ ପରିଚିତ ଖେଳ । ଏହା ଖେଳିବାକୁ ସେତେବେଳେ ପିଲାଙ୍କ ମଧ୍ୟରେ ବେଶ୍‌ କ୍ରେଜ ଦେଖିବାକୁ ମିଳିଥାଏ । ଏଥିରେ ପିଲା ଆଖି ମୁଜି ଠିଆ ହୋଇ ରହିଥାଏ ଏବଂ ଅନ୍ୟମାନେ ଲୁଚିଥାଆନ୍ତି । ସମ୍ପୃକ୍ତ ପିଲାଟି ୧ ରୁ ୧୦୦ ଗଣିବା ପରେ ଆଖି ଖୋଲି ସମସ୍ତଙ୍କୁ ଖୋଜିଥାଏ । ଯାହାକୁ ପ୍ରଥମେ ଖୋଜା ବାହାର କରିଥାଏ ସେ ଆସନ୍ତା ଚୋର ହୋଇଥାଏ ବା ତାକୁ ଆଖିମୁଜି ୧ ରୁ ୧୦୦ ଗଣିବାକୁ ହୋଇଥାଏ । ଏହି ଖେଳଟିରେ ଖୁବ ଅଧିକ ପିଲା ଖେଳିଥାଆନ୍ତି । ଏହାକୁ ସମସ୍ତ ସ୍କୁଲ ଯାଉଥିବା ପିଲା ବେଶ୍‌ ପସନ୍ଦ କରନ୍ତି । ସ୍କୁଲର ଖେଳ ଛୁଟି ସମୟର ଏହା ସମସ୍ତଙ୍କର ମନ ପସନ୍ଦର ଖେଳ ହୋଇଥାଏ ।
ଖୁଣ୍ଟି ଚୋରି
ଏହି ଖେଳରେ ପାଞ୍ଚଜଣ ପିଲା ଭାଗ ନେଇଥାଆନ୍ତି । ଏହାକୁ ଖେଳିବା ପାଇଁ ଚାରୋଟି ଖୁଣ୍ଟି ଦରକାର ଯାହା ଚାରୋଟି କଣରେ ଥିବ । ଏହି ଖୁଣ୍ଟିମାନଙ୍କ ମଝିରେ ଗୋଟିଏ ସ୍ଥାନରେ ଜଣେ ପିଲା ରହିଥାଏ ଏବଂ ଅନ୍ୟମାନେ ଖୁଣ୍ଟି ପାଖରେ ଠିଆ ହୋଇଥାଆନ୍ତି । ଖୁଣ୍ଟି ପାଖରେ ଥିବା ଚାରିଜଣ ଯାକ ନିଜନିଜ ଭିତରେ ସ୍ଥାନ ବଦଳାନ୍ତି । ପଞ୍ଚମ ପିଲା ଯିଏ ମଝିରେ ଥାଏ ତାକୁ ସେମାନଙ୍କ ସ୍ଥାନ ନେବାକୁ ହୋଇଥାଏ । ଯେଉଁ ପିଲାର ସ୍ଥାନ ପଞ୍ଚମ ପିଲାଟି ଅକ୍ତିଆର କରିନେଇଥାଏ ସିଏ ବର୍ତ୍ତମାନ ମଝିରେ ଜଗିଥାଏ । ଏହି ଖେଳକୁ ସାଧାରଣତଃ ସ୍କୁଲରେ ପିଲାମାନେ ଖେଳୁଥିବାର ଦେଖିବାକୁ ମିଳିଥାଏ ।
ରୁମାଲ ଚୋରି
ସେତେବେଳେ ସ୍କୁଲର ରିସେସ ଆରମ୍ଭ ହେବା ମାତ୍ରେ ପିଲାଙ୍କ ଭିତରେ ଆଲୋଚନା ହୋଇଥାଏ କେଉଁ ଖେଳ ଖେଳିବେ । ସେଥିରେ ଭଳିକି ଭଳି ଖେଳ ସାମିଲ ରହିଥାଏ । ସେହିଭଳି ଏକ ଖେଳ ହେଲା ରୁମାଲ ଚୋରି । ଏଥିରେ ଦଳେ ପିଲା ଗୋଲ ହୋଇ ବସିଥାଆନ୍ତି । ଜଣେ ପିଲା ରୁମାଲ ନେଇ ସେମାନଙ୍କ ପଛପାଖରେ ଦୌଡୁଥାଏ । ପିଲାଟି ଯାହା ପଛପଟେ ରୁମାଲ ପକାଏ ତାକୁ ଏକ ବିଧା ମାରିଥାଏ । ଏହାପରେ ସମ୍ପୃକ୍ତ ପିଲାଟି ରୁମାଲ ଉଠାଇ ପୁଣି ପୂର୍ବପିଲା ପରି ଦୌଡିବାକୁ ଲାଗିଥାଏ । ଏହି ଖେଳକୁ କେବଳ ଛୋଟପିଲା ନୁହେଁ ସ୍କୁଲରେ ବଡ ପିଲା ମଧ୍ୟ ଏଞ୍ଜୟ କରୁଥିବାର ଦେଖିବାକୁ ମିଳିଥାଏ ।
ବିଷ ଅମୃତ
ଗାଁମାନଙ୍କରେ ୪ଟା ବାଜିଲେ ପିଲାଙ୍କର ଖେଳିବାକୁ ଭିଡ ଯମିଥାଏ । ଏଥିରେ ସେମାନେ ବିଭିନ୍ନ ପ୍ରକାର ଖେଳ ଖେଳିଥାଆନ୍ତି, ଯେଉଁଥିରେ ସାମିଲ ଥାଏ ବିଷ ଅମୃତ । ଏହି ଖେଳକୁ ଦଳ ଭିତରେ ଖେଳାଯାଇଥାଏ । କିଛି ପିଲା ମିଶି ଜଣଙ୍କୁ ଚୋର କରିଥାଆନ୍ତି । ଯିଏକି ଅନ୍ୟ ପିଲାଙ୍କୁ ଗୋଡାଇ ଗୋଡାଇ ଛୁଇଁବା ସହିତ ବିଷ କହି ଗୋଟିଏ ସ୍ଥାନରେ ବସାଇ ଦେଇଥାଏ । ଯାହାପରେ ଅନ୍ୟ ପିଲାମାନେ ସେହି ପିଲାକୁ ଚୋରର ଅଜାଣତରେ ସେଠାରୁ ଅମୃତ କହି ଉଠାଇବାକୁ ହୋଇଥାଏ । ହେଲେ ଯଦି ସେହି ପିଲାଟି ଉଠିବା ସମୟରେ ଚୋର ହୋଇଥିବା ପିଲାଟି ତାକୁ ଛୁଇଁ ଦିଏ ତେବେ ସମ୍ପୃକ୍ତ ପିଲାଟି ଚୋର ହୋଇଥାଏ ଏବଂ ପିଲାଙ୍କୁ ବିଷ କହିବାକୁ ଗୋଡାଇଥାଏ ।
ପାହାଡ ପାଣି
ଏହି ଖେଳକୁ ଖେଳିବାକୁ ପିଲାମାନେ ବେଶ ଭଲପାଇଥାଆନ୍ତି । ଏଥିରେ ଜଣଙ୍କୁ ଚୋର କରାଯାଇଥାଏ । ଯିଏକି କୁମ୍ଭୀର ହୋଇ ପାଣିରେ ରହିଥାଏ, ଏବଂ ଅନ୍ୟମାନେ ପାହାଡ ଉପରେ ରହିଥାଆନ୍ତି । ଏହି ଖେଳରେ କିଛି ଅଂଶକୁ ପାଣି ଓ ପାହାଡ ଭାବେ ବଛା ଯାଇଥାଏ । ପାଣିରେ ଚୋର ହୋଇଥିବା ପିଲାଟିର ଅଧିକାର ରହିଥାଏ । ତେଣୁ ଯିଏ ଅନ୍ୟ ପିଲା ସେହି ଅଂଶରେ ପ୍ରବେଶ କରେ ଏବଂ ଚୋର ତାକୁ ଧରିନିଏ ସିଏ ପରବର୍ତ୍ତୀ ଚୋର ହୋଇଥାଏ । ଏହି ଖେଳଟିକୁ ବଡ ଛୋଟ ଉଭୟ ମିଶି ଖେଳିଥାଆନ୍ତି ।

ବାଡିବାଡିକା
ବାଡିବାଜିକା ଖେଳରେ ଅନେକ ପିଲା ସାମିଲ ହୋଇଥାଆନ୍ତି । ଏହି ଖେଳ ଖେଳିବାକୁ ସମସ୍ତେ ଆଗ ହାତେ ଲମ୍ବର ଖଣ୍ଡେ ବାଡି ଯୋଗାଡ କରନ୍ତି । ଏହାପରେ ଜଣେ ପିଲାକୁ ଚୋର କରାଯାଇଥାଏ । ସେହି ପିଲାର ବାଡିକୁ ଅନ୍ୟପିଲାମାନେ ଗଡେଇ ଗଡେଇ ଅନେକ ବାଟ ଯାଏଁ ନେଇଥାଆନ୍ତି । ତେବେ ଏହି ବାଡିକୁ ଗଡେଇ ନେବା ସମୟରେ ଅନ୍ୟ ପିଲାମାନେ ତଳେ ବାଡି ରଖି ପାରିବେ ନାହିଁ । ବାଡିକୁ ରଖିବା ପାଇଁ ହେଲେ କିଛି ସାମଗ୍ରୀର ଆବଶ୍ୟକତା ପଡିଥାଏ, ଯାହା ଉପରେ ବାଡିକୁ ରଖାଯାଇଥାଏ । ଯଦି ତଳେ ବାଡିକୁ ଛୁଆଇଁବା ସମୟରେ ଚୋର ପିଲାଟି ଧରିନିଏ ତେବେ ପରବର୍ତ୍ତୀ ଚୋର ସେହି ପିଲାଟି ହୋଇଥାଏ ।
ନଟୁ ଖେଳ
ଭାରତର ବିଭିନ୍ନ ଗାଁରେ ନଟୁ ଖେଳ ଦେଖିବାକୁ ମିଳିଥାଏ । ଏବେ ମଧ୍ୟ ଏହି ଖେଳର କିଛି ଅଂଶରେ ଆଦର ରହିଛି । ଏହି ଖେଳ କାହିଁ କେତେ ପୁରୁଣା । ଖେଳରେ ପ୍ରଥମେ ମାଟିର ନଟୁ ବ୍ୟବହାର ହେଉଥିଲା, ଯାହା ପରେ କାଠରେ ପରିଣତ ହେଲା । କାଠ ନଟୁରେ ଏକ ସୂତା ଲାଗିଥାଏ, ଯାହା ସାହାଯ୍ୟରେ ଏହାକୁ ବୁଲା ଯାଇଥାଏ । ବିଭିନ୍ନ ସ୍ଥାନରେ ନଟୁ ଖେଳର ପ୍ରତିଯୋଗିତା ମଧ୍ୟ ହୋଇଥାଏ । ଯେଉଁ ଖେଳାଳିର ନଟୁ ଅଧିକ ସମୟ ବୁଲିଥାଏ ସିଏ ପ୍ରତିଯୋଗିତାର ବିଜେତା ହୋଇଥାଏ ।
ଅନ୍ତାକ୍ଷରୀ
ନବେଦଶକର ପିଲାମାନଙ୍କର ସମୟ ଅତିବାହିତ କରିବାର ସବୁଠାରୁ ଭଲ ଖେଳ ଥିଲା ଅନ୍ତାକ୍ଷରୀ । ଏହି ଖେଳ ଦୁଇଦଳ ଭିତରେ ଖେଳାଯାଇଥାଏ । ଦୁଇଦଳ ମଧ୍ୟରେ ଗୀତ ବୋଲାଯାଇଥାଏ । ଗୀତ ସରୁଥିବାର ଅକ୍ଷର ପାଖରୁ ଆଉଗୋଟିଏ ଗୀତର ଆରମ୍ଭ ହୋଇଥାଏ । ଯେଉଁଦଳ ଗୀତ ବୋଲି ପାରନ୍ତି ନାହିଁ ସେମାନଙ୍କ ଉପରେ ବୋଝ ହୋଇଥାଏ ।
ବାଘଛେଳି
ଆଜିକାଲିର ଚେସ ଭଳି ଏହି ଖେଳକୁ ଖେଳାଯାଇଥାଏ । ଏହି ଖେଳରେ ୨ଜଣ ଖେଳାଳୀଙ୍କ ଭିତରେ ହୋଇଥାଏ । ଯେଉଁଥିରେ ଖେଳାଳୀମାନେ ବାଘ ଓ ଛେଳିରେ ବିଭକ୍ତ ହୋଇଥାଆନ୍ତି । କିଛି ଖେଳାଳି ଛେଳିକୁ ନିୟନ୍ତ୍ରଣ କରୁଥିବାବେଳେ କିଛି ବାଘକୁ ନିୟନ୍ତ୍ରଣ କରନ୍ତି । ଏଥିରେ ଗୋଡିକୁ ବାଘ ଓ ଛେଳିଙ୍କର ପ୍ରତୀକ ଭାବେ ବ୍ୟବହାର କରାଯାଇଥାଏ । ଏକ ଘର କଟାଯାଇ ଏହି ଖେଳକୁ ଖେଳାଯାଇଥାଏ । ଚେସ୍‌ ଖେଳ ଭଳି ଏହି ଖେଳ ପାଇଁ ମଧ୍ୟ କିଛି ନିୟମ ରହିଥାଏ । ଭୂମିରେ ଗୋଟିଏ ବଡ ବର୍ଗ କ୍ଷେତ୍ରକୁ ୧୬ଟି କ୍ଷୁଦ୍ର ବର୍ଗକ୍ଷେତ୍ରରେ ବିଭକ୍ତ କରାଯାଏ । ଲମ୍ବ ବାଗରେ ଓ ଚଉଡ଼ା ବାଗରେ ସମଦୂରସ୍ଥ ୫ଟି ଲେଖାଏଁ ରେଖା ଅଙ୍କନ କରି ଏ ଖେଳର ପାଲୀ କରାଯାଏ ଓ ସେ କ୍ଷେତ୍ରମାନଙ୍କୁ ଗୋଟିଏ ଲେଖାଏଁ କର୍ଣ୍ଣରେଖାଦ୍ୱାରା ୩୨ଟି ସମକୋଣୀ ତ୍ରିଭୁଜରେ ବିଭକ୍ତ କରାଯାଏ । କ୍ଷେତ୍ରମାନଙ୍କରେ ଗୋଟିଏ ଲେଖାଏଁ କର୍ଣ୍ଣରେଖା ଟଣାଯାଏ । ଛୋଟ ଛୋଟ ଉକ୍ତ ୧୬ ବର୍ଗକ୍ଷେତ୍ରଦ୍ୱାରା ୨୫ଟି ଛକ ଉତ୍ପନ୍ନ ହୁଏ । ଜଣେ ଖେଳାଳି ୪ଟି ବାଘସୂଚକ ବଡ଼ ଗୋଡ଼ି ବା କଉଡ଼ି ବା ମଞ୍ଜି ନିଏ । ଅନ୍ୟ ଜଣକ ୨୦ଟି ଛେଳିସୂଚକ ସାନ ଗୋଡ଼ି ବା ମଞ୍ଜି ନିଏ । ଖେଳାଳିମାନେ ନିଜ ନିଜର ଗୋଟିଙ୍କୁ ୨୪ଟି ଛକରେ ବସାନ୍ତି ଓ ବାଘକୁ ଚଳିବା ପାଇଁ ଗୋଟିଏ ଛକ ଛାଡ଼ି ଦିଆଯାଏ । ତାହାକୁ ବାଘ ପାଣି ଖାଇବା ଘର କୁହାଯାଇଥାଏ । ବାଘ ଓ ଛେଳିମାନେ ରେଖାମାନଙ୍କ ବାଟେ ଏକ ଛକରୁ ନିକଟବର୍ତ୍ତୀ ଛକକୁ ଚଳନ୍ତି । ଯେବେ ଯେଉଁ ଛକରେ ବାଘ ଦାନା ଥାଏ ଓ ତା ପରବର୍ତ୍ତୀ ଛକରେ ଗୋଟିଏ ଛେଳି ଦାନା ଥାଏ, କିନ୍ତୁ ତତ୍ପରବର୍ତ୍ତୀ ଛକ ଶୂନ୍ୟ ଥାଏ ତେବେ ବାଘ ଡେଇଁ ପଡ଼ି ଉକ୍ତ ଛେଳିକୁ ଖାଇଦିଏ ଓ ଛେଳିଟି ମରିଯାଏ । ଏହିପରି ଅତ୍ୟଧିକ ଛେଳିଦାନା ମରି ଗଲେ ବାଘର ଅଧିକାରୀ ଜିତେ କିମ୍ବା ଯେବେ ଛେଳିଦାନାମାନଙ୍କୁ ଏପରି ଚଳାଯାଏ ଯେ ବାଘର ଛକଠାରୁ ପରବର୍ତ୍ତୀ ଦୁଇଟି ଛକ ଶୂନ୍ୟ ନ ରହେ । ତେବେ ବାଘମାନେ ଆବଦ୍ଧ ହୋଇ ଅଚଳ ହୋଇ ଯାଆନ୍ତି ଓ ଛେଳିର ଅଧିକାରୀ ଜିତେ । ଗାଁ ଗୁଡିକରେ ଏହି ଖେଳକୁ ଉଭୟ ବଡ ଓ ଛୋଟ ପିଲାମାନେ ଖେଳୁଥିବାର ଦେଖିବାକୁ ମିଳିଥାଏ । ଏହା ବେଶ୍‌ ଉତ୍ସାହପୂର୍ଣ୍ଣ ଖେଳ ହୋଇଥାଏ ।

ଲୁଡୁ ଖେଳ
ଲୁଡୁ ଖେଳରେ ଚାରିଜଣ ସାମିଲ ହୋଇଥାଆନ୍ତି । ଏଥିରେ ଗୋଟିଏ ପାଲି ବ୍ୟବହାର ହୋଇଥାଏ । ଏହି ପାଲିରେ ବିଭିନ୍ନ ରଙ୍ଗର ଗୋଟି ବ୍ୟବହାର ହୋଇଥାଏ । ଖେଳାଳୀମାନେ ପ୍ରଥମେ ଗୋଟି ପକାନ୍ତି, ଯେଉଁଥିରେ ସଂଖ୍ୟା ଲେଖାଥାଏ । ଯେତେ ସଂଖ୍ୟା ଆସିଥାଏ ସେହି ସଂଖ୍ୟାର ଘର ଗଣାଯାଇ ଦାନା ଚଲାଯାଇଥାଏ । ଚାରିଜଣଙ୍କ ଭିତରେ ଯାହାର ଦାନା ଆଗ ସରିଥାଏ ସିଏ ବାଜି ମାରିଥାଏ ।
ସାପ ଶିଢି
ଲୁଡୁ ଭଳି ଏହି ଖେଳରେ ମଧ୍ୟ ଏକ ପାଲି ବ୍ୟବହାର ହୋଇଥାଏ । ଏଥିରେ ମଧ୍ୟ ଗୋଟି ପକାଯାଇ ସଂଖ୍ୟା ବାହାର କରାଯାଏ । ଯେତେ ସଂଖ୍ୟା ପଡିଥାଏ ଦାନା ସେହି ଅନୁସାରେ ଚାଲିଥାଏ । ତେବେ ପାଲିରେ ମଝିରେମଝିରେ ସାପ ଓ ଶିଢିର ଚିତ୍ର ରହିଥାଏ । ଯାହାର ଶିଢି ଘେର ଦାନା ପଡେ ସିଏ ଉପରକୁ ଉଠୁଥିବା ବେଳେ ଯାହାର ସାପ ଘରେ ପଡେ ସିଏ ତଳକୁ ଖସିଥାଏ । ଯାହାର ଦାନା ପ୍ରଥମେ ୧୦୦ରେ ପହଞ୍ଚିଥାଏ ସିଏ ବିଜେତା ହୋଇଥାଏ ।
କଉଡି
ସେତେବେଳେର ବେଶ୍‌ ପରିଚିତ ଖେଳ ହେଲା କଉଡି । କଉଡି ଖେଳ ରଜ ସମୟରେ ଖୁବ ଖେଳାଯାଇଥାଏ । ଏଥିରେ ଏକ ଘର କଟାଯାଇ ସେଥିରେ ଦାନା ରଖାଯାଇଥାଏ । ଏଥିରେ ଚାରିଜଣ ଭାଗ ନେଇଥାଆନ୍ତି । କଉଡିକୁ ପକାଯାଇ ସଂଖ୍ୟା ନିର୍ଦ୍ଧାରଣ କରାଯାଇଥାଏ । ଏହାପରେ ଦାନା ଚଲାଯାଇଥାଏ । ଯାହାର ସମସ୍ତ ଦାନା ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଯାଇଥାଏ ସିଏ ଖେଳର ବିଜେତା ଘୋଷଣା ହୋଇଥାଏ । ଏହି ଖେଳକୁ ରଜରେ ଘରେ ଘରେ ଖେଳାଯାଇଥାଏ ।
ଗୋଡି ଡିଆଁ
ଏହାକୁ ବାଲାନ୍ସିଂର ଗେମ୍‌ କୁହାଯାଇଥାଏ । ଏଥିରେ କିଛି ଗୋଡିକୁ ଉପରକୁ ଫୋପଡା ଯାଇଥାଏ । ଯାହା ତଳକୁ ପଡିବା ସମୟରେ ଏହାକୁ ହାତରେ ଧରାଯାଇଥାଏ । ସେଥିରୁ ଧୀରେଧୀରେ ଗୋଟିଏ ଗୋଡି ଛାଡି ଅନ୍ୟ ଗୋଡିକୁ ତଳକୁ ଖସାଯାଇଥାଏ । ଏହି ଗୋଡିଟିକୁ ଶେଷରେ ଆଉଥରେ ଉପରକୁ ଫୋପଡା ଯାଇ ଅନସମସ୍ତ ଗୋଡିସହ ଧରାଯାଇଥାଏ । ଯିଏ ଏହି ବାଲାନ୍ସ କରିବାରେ ଫେଲ୍‌ ହୁଏ ସିଏ ହାରିଥାଏ ଏବଂ ଯିଏ ବାଲାନ୍ସ କରି ଗୋଡିକୁ ଧରିନେଇଥାଏ ସିଏ ବିଜେତା ହୋଇଥାଏ ।
ପୁଚି
ପୁଚି ଖେଳ କେବଳ ଝିଅ ପିଲାଙ୍କ ଭିତରେ ଖେଳାଯାଇଥାଏ । ଏଥିରେ କିଛି ଝିଅ ଏକାଠି ହୋଇ ଦୁଇ କଡକୁ ଖସାଇ ଖସାଇ ଖେଳିଥାଆନ୍ତି ଚଏଥିରେ ଦୁଇପ୍ରକାରର ରହିଥାଏ ଠିଆ ପୁଚି ଓ ବସା ପୁଚି । ଯିଏ ଅଧିକ ସମୟ ପର୍ଯ୍ୟନ୍ତ ଖେଳିଥାଏ ସିଏ ବିଜେତା ହୋଇଥାଏ । ଏହା ଦ୍ୱାରା ପିଲାଙ୍କର ସମ୍ପୂର୍ଣ୍ଣ ଶରୀରର ବ୍ୟାୟାମ ହୋଇଥାଏ ।

Tags: