ସାପ ଆଇଲାଣ୍ଡ
ବ୍ରାଜିଲ୍ ଉପକୂଳରେ ଅବସ୍ଥିତ ଏକ କ୍ଷୁଦ୍ର ଦ୍ୱୀପ ବିଶ୍ୱର ସବୁଠାରୁ ଭୟାନକ ସ୍ଥାନଗୁଡ଼ିକ ମଧ୍ୟରୁ ଅନ୍ୟତମ ଭାବେ ବେଶ୍ ଜଣାଶୁଣା । ଯାହାକୁ 'ସାପ ଆଇଲାଣ୍ଡ' ବା 'ଇଲ୍ହା ଦା କ୍ୱିମାଡା ଗ୍ରାଣ୍ଡେ' କୁହାଯାଏ । ଏଠାରେ ହଜାର ହଜାର ସଂଖ୍ୟାରେ ସାପ ବାସ କରୁଥିବାରୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଏଠାକୁ ଯିବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । କେବଳ କେତେକ ବୈଜ୍ଞାନିକ ଓ ବ୍ରାଜିଲ୍ ସେନାକୁ ହିଁ କଠୋର ନିୟମ ଅଧୀନରେ ଏଠାକୁ ପ୍ରବେଶ ଅନୁମତି ମିଳିଥାଏ । ବ୍ରାଜିଲ୍ ମୁଖ୍ୟ ଭୂଭାଗରୁ ପ୍ରାୟ ୩୩ କିଲୋମିଟର ଦୂରରେ ଥିବା ଏହି ଦ୍ୱୀପକୁ ନେଇ ସୋସିଆଲ ମିଡିଆରେ ଅନେକ କାହାଣୀ ପ୍ରଚଳିତ ଅଛି । ଯେଉଁଥିରେ ଦାବି କରାଯାଏ ଯେ ଏଠାରେ ପ୍ରତି ବର୍ଗ ମିଟର ସ୍ଥାନରେ ଗୋଟିଏ ଲେଖାଏଁ ସାପ ରହିଛନ୍ତି ଏବଂ ଏହାକୁ ବିଶ୍ୱର ସବୁଠାରୁ ଘାତକ ଦ୍ୱୀପ ବୋଲି ମଧ୍ୟ କୁହାଯାଏ । ବାସ୍ତବରେ, ଏହି ଦ୍ୱୀପ ହେଉଛି ଅତି ବିରଳ 'ଗୋଲ୍ଡେନ ଲାନ୍ସହେଡ୍' ପ୍ରଜାତିର ସାପଙ୍କ ଆବାସସ୍ଥଳୀ, ଯାହା ସାରା ବିଶ୍ୱରେ ଆଉ କେଉଁଠି ଦେଖାଯାନ୍ତି ନାହିଁ । ବୈଜ୍ଞାନିକଙ୍କ ମତରେ ହଜାର ହଜାର ବର୍ଷ ପୂର୍ବେ ସମୁଦ୍ର ପତ୍ତନ ବୃଦ୍ଧି ପାଇବା ଯୋଗୁଁ ଏହି ଦ୍ୱୀପ ମୁଖ୍ୟ ଭୂଖଣ୍ଡରୁ ଅଲଗା ହୋଇଯାଇଥିଲା ଏବଂ ସେବେଠାରୁ ଏହି ସାପଗୁଡ଼ିକ ଏଠାରେ ସମ୍ପୂର୍ଣ୍ଣ ପୃଥକ ଭାବେ ବିବର୍ତ୍ତନ ମାଧ୍ୟମରେ ବଞ୍ଚି ରହିଛନ୍ତି । ସାପଗୁଡିକ ମୁଖ୍ୟତଃ ସ୍ତନ୍ୟପାୟୀ ପ୍ରାଣୀ ବଦଳରେ ପକ୍ଷୀମାନଙ୍କୁ ଶିକାର କରିଥାନ୍ତି, ଯେଉଁଥିପାଇଁ ଏଠାରେ ସାପ କାମୁଡ଼ା ମାମଲା ପ୍ରାୟ ବିରଳ। ରିପୋର୍ଟ ଅନୁଯାୟୀ, ଏହି ଦ୍ୱୀପରେ ପ୍ରାୟ ୨,୦୦୦ ରୁ ୪,୦୦୦ ସାପ ରହିଛନ୍ତି, , ଗଛ ଓ ଘଞ୍ଚ ଜଙ୍ଗଲ ଭିତରେ ଲୁଚି ରହୁଥିବାରୁ ସେମାନେ ସହଜରେ ଦୃଶ୍ୟମାନ ହୁଅନ୍ତି ନାହିଁ । ପରିବେଶବିତ୍ମାନଙ୍କ ମତରେ, ଏହି ଦ୍ୱୀପରେ କଟକଣା କେବଳ ମଣିଷର ସୁରକ୍ଷା ପାଇଁ ନୁହେଁ, ବରଂ ଏହି ବିରଳ ସାପଗୁଡ଼ିକୁ ବେଆଇନ ଚୋରା ଚାଲାଣରୁ ରକ୍ଷା କରିବା ପାଇଁ ଲଗାଯାଇଛି ।




