ସ୍କୁଲରେ ଖାଇବାଛୁଟିରେ ମିଳୁଛି ଶୋଇବାକୁ ସୁବିଧା
ଚୀନ୍ର ସ୍କୁଲଗୁଡ଼ିକରେ ଏବେ ଖାଇବା ଛୁଟି ସମୟରେ ପିଲାମାନେ ଡେସ୍କ ଉପରେ ମୁଣ୍ଡ ରଖି ଶୋଇବା ବଦଳରେ ଆରାମରେ ଶୋଇପାରୁଛନ୍ତି । ଯେଉଁଥିପାଇଁ ସେଠାରେ କିଛି ସହଜ ଷ୍ଟେପ୍ରେ ବିଛଣାରେ ପରିଣତ ହୋଇପାରୁଥିବା ବିଶେଷ ଡେସ୍କ-ଚୌକି ଲଗାଯାଉଛି । କ୍ଲାସ ଚାଲିଥିବା ସମୟରେ ଏଗୁଡ଼ିକ ସାଧାରଣ ଡେସ୍କ-ଚୌକି ଭଳି ବ୍ୟବହାର ହେଉଥିବା ବେଳେ, ଲଞ୍ଚ ବ୍ରେକ୍ରେ ସିଟ୍କୁ ଆଗକୁ ବଢ଼ାଇ ଏବଂ ବ୍ୟାକ୍ରେଷ୍ଟକୁ ପଛକୁ ନୁଆଁଇ ସୁବିଧାରେ ଶୋଇବା ଯୋଗ୍ୟ କରାଯାଇପାରୁଛି । ଏହାଦ୍ୱାରା ଡେସ୍କ ଉପରେ ଝୁଙ୍କି ଶୋଇବା ଯୋଗୁଁ ବେକ ଓ ହାତ ଉପରେ ପଡ଼ୁଥିବା ଚାପ କମିଯାଏ । ଚୀନ୍ର ଅନେକ ସ୍କୁଲରେ ଏହି ଡେସ୍କ-ଚୌକିର ବ୍ୟବହାର ଆରମ୍ଭ ହୋଇସାରିଥିବା ବେଳେ, ଚୀନ୍ ସରକାର ଫେବୃଆରୀ ମାସରୁ ସ୍କୁଲ ଡେସ୍କ-ଚୌକି ପାଇଁ ନୂଆ ନ୍ୟାସନାଲ ଷ୍ଟାଣ୍ଡାର୍ଡ ଲାଗୁ କରିଛନ୍ତି । ଯେଉଁଥିରେ ସିଟ୍ର ଉଚ୍ଚତା, ବ୍ୟାକ୍ରେଷ୍ଟର ଆଙ୍ଗେଲ୍ ଏବଂ ଡେସ୍କ ତଳର ଖାଲି ସ୍ଥାନ ଭଳି ବିଷୟ ପାଇଁ କଠୋର ନିୟମ ସ୍ଥିର କରାଯାଇଛି । ସୂଚନାଯୋଗ୍ୟ ଯେ, ଚୀନ୍ର ସ୍କୁଲଗୁଡ଼ିକରେ ଖାଇବା ଏବଂ ଆରାମ କରିବା ପାଇଁ ପ୍ରତିଦିନ ପ୍ରାୟ ୨ ଘଣ୍ଟାର ବ୍ରେକ୍ ମିଳିଥାଏ ।




