ଶୋଇବା ପ୍ରତିଯୋଗିତା
ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଏକ ଅତି ଅଜବ ତଥା ନିଆରା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି, ଯେଉଁଠାରେ ଲୋକମାନେ କେବଳ ଶୋଇବା ପାଇଁ ଏକତ୍ରିତ ହୋଇଥିଲେ । ସିଓଲ ମେଟ୍ରୋପଲିଟନ୍ ପ୍ରଶାସନ ପକ୍ଷରୁ ଏହି 'ପାୱାର୍ ନାପ୍ କଣ୍ଟେଷ୍ଟ' ଆୟୋଜନ କରାଯାଇଥିଲା । ଏଥିରେ ଅଂଶଗ୍ରହଣ କରିବା ପାଇଁ କିଛି ଖାସ୍ ସର୍ତ୍ତ ରଖାଯାଇଥିଲା, ଯେପରିକି ପ୍ରତିଯୋଗୀମାନେ ପେଟ ଭରି ଖାଇଥିବେ, ଥକି ଯାଇଥିବେ ଏବଂ ଶୋଇବା ସମୟରେ ପିନ୍ଧୁଥିବା ଆରାମଦାୟକ ପୋଷାକରେ ଆସିଥିବେ। ଏହି ପ୍ରତିଯୋଗିତାର ମାହୋଲ ବେଶ୍ କୌତୁହଳପୂର୍ଣ୍ଣ ଥିଲା । ଲୋକମାନଙ୍କୁ ବିଭିନ୍ନ ପ୍ରକାରର ରାତି ପୋଷାକରେ ଦେଖିବାକୁ ମିଳିଥିଲା । ତେବେ ପ୍ରତିଯୋଗିତାର ବିଜେତା ଚୟନ କରିବା ପାଇଁ ଏକ ବୈଜ୍ଞାନିକ ପଦ୍ଧତି ଆପଣାଯାଇଥିଲା । କିଏ ସବୁଠାରୁ ଗଭୀର ଏବଂ ଶାନ୍ତ ନିଦରେ ଶୋଇଛି, ତାହା ଜାଣିବା ପାଇଁ ପ୍ରତିଯୋଗୀମାନଙ୍କର ହାର୍ଟ ରେଟକୁ ଯାଞ୍ଚ କରାଯାଇଥିଲା । ଏହି ନିଆରା ପ୍ରତିଯୋଗିତାରେ ଜଣେ ୮୦ ବର୍ଷୀୟ ବୃଦ୍ଧ ବିଜୟୀ ହୋଇଥିବା ବେଳେ ଜଣେ ଅଫିସ୍ କର୍ମଚାରୀ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ।




