ଖରାଦିନେ ନିଦ ସଙ୍କଟ
ଖରାଦିନେ ଡେରିରେ ଶୋଇଲେ ମଧ୍ୟ ସକାଳୁ ଶୀଘ୍ର ନିଦ ଭାଙ୍ଗିଯିବା ଏବଂ ପର୍ଯ୍ୟାପ୍ତ ଶୋଇବା ପରେ ବି ଶରୀର କ୍ଲାନ୍ତ ଲାଗିବା ଏକ ସାଧାରଣ ସମସ୍ୟା ପାଲଟିଛି । ଯାହାର ମୁଖ୍ୟ କାରଣ ହେଉଛି ବଢୁଥିବା ତାପମାତ୍ରା ଓ ଗୁଳୁଗୁଳି କାରଣରୁ ନିଦ୍ରାର ଶେଷ ପର୍ଯ୍ୟାୟ ଅର୍ଥାତ୍ 'ଡିପ୍ ସ୍ଲିପ୍' ବା ଗଭୀର ନିଦ୍ରାରେ ବ୍ୟାଘାତ ସୃଷ୍ଟି ହେବା । ଏକ ଗବେଷଣା ଅନୁଯାୟୀ, ପ୍ରତି ୧୦ ଡିଗ୍ରୀ ତାପମାତ୍ରା ବୃଦ୍ଧି ସହ ଶୋଇବା ସମୟ କମିଯାଏ ଏବଂ ଏହାର ସବୁଠାରୁ ଖରାପ ପ୍ରଭାବ ଗଭୀର ନିଦ ଉପରେ ପଡ଼ିଥାଏ । ସୂଚନା ଅନୁସାରେ, ଆମ ଶରୀରର ଜୈବିକ ଘଡ଼ି ବା 'ସର୍କାଡିଆନ୍ ରିଦିମ୍' ରାତିରେ ନିଦ୍ରା ସମୟରେ ଶରୀରର ତାପମାତ୍ରାକୁ ସାଧାରଣଠାରୁ କିଛି ଡିଗ୍ରୀ କମାଇ ଦେଇଥାଏ । ହେଲେ ବାହାରର ଉଚ୍ଚ ତାପମାତ୍ରା ଯୋଗୁଁ ଶରୀରକୁ ନିଜକୁ ଥଣ୍ଡା ରଖିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼େ, ଯାହାଦ୍ୱାରା ଶରୀର ଶିଥିଳ ହୋଇପାରେନାହିଁ ଏବଂ ନିଦ୍ରା ପ୍ରଭାବିତ ହୁଏ । ନିଦ୍ରାର ଚାରୋଟି ପର୍ଯ୍ୟାୟ ମଧ୍ୟରୁ ଶରୀରର ମରାମତି ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା 'ଏନ ୩' ଏବଂ ସ୍ୱପ୍ନ ଦେଖିବା ସହ ମସ୍ତିଷ୍କକୁ ସକ୍ରିୟ ରଖୁଥିବା ଗଭୀରତମ ପର୍ଯ୍ୟାୟ 'ଆରଇଏମ' (ର୍ୟାପିଡ୍ ଆଇ ମୁଭମେଣ୍ଟ) ଏହି ଗରମ ଓ ଅସ୍ଥିରତା ଯୋଗୁଁ ସମ୍ପୂର୍ଣ୍ଣ ହୋଇପାରେ ନାହିଁ । ଏହାବ୍ୟତୀତ ଖରାଦିନେ ଶରୀରରେ ଜଳୀୟଅଂଶର ଅଭାବ ବା ଡିହାଇଡ୍ରେସନ୍ ଏବଂ ଅତ୍ୟଧିକ ଝାଳ ବାହାରିବା ଯୋଗୁଁ ମାଂସପେଶୀରେ ଟାଣିବା ବା ଗଳା ଶୁଖିବା ଭଳି ସମସ୍ୟା ଦେଖାଦିଏ । ଯାହା ଶୋଇବା ହରମୋନ୍ 'ମେଲାଟୋନିନ୍'ର କ୍ଷରଣକୁ ହ୍ରାସ କରି ନିଦକୁ ବାରମ୍ବାର ଭାଙ୍ଗିଥାଏ । ଏହି ନିଦ୍ରାହୀନତା ଶରୀରର ମେଟାବୋଲିଜିମ୍, ହଜମ ପ୍ରକ୍ରିୟା ଓ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଏ । ଏଥିରୁ ରକ୍ଷା ପାଇବା ପାଇଁ ଏବଂ ଖରାଦିନେ ଉତ୍ତମ ତଥା ଗଭୀର ନିଦ୍ରା ପାଇବା ପାଇଁ ଶୋଇବା ଘରର ଭେଣ୍ଟିଲେସନ୍ ବା ବାୟୁ ଚଳାଚଳ ଠିକ୍ ରଖିବାକୁ ହୋଇଥାଏ । ଏହାସହ ଶରୀରକୁ ସଦାବେଳେ ହାଇଡ୍ରେଟେଡ୍ ରଖିବା, ରାତିରେ ହାଲୁକା ତଥା ସହଜରେ ହଜମ ହେଉଥିବା ଖାଦ୍ୟ ଖାଇବା ଏବଂ ଶୋଇବା ପୂର୍ବରୁ ମୋବାଇଲ୍-ଟିଭି ଭଳି ଗ୍ୟାଜେଟ୍ଠାରୁ ଦୂରେଇ ରହିବା ସହ ଏକ ସନ୍ତୁଳିତ ନିଦ୍ରା ରୁଟିନ୍ ଆପଣାଇବା ନିହାତି ଜରୁରୀ ।




