ରୁପାର ଚପଲ
ଆଜିକାଲି ସୁନା ରୁପାର ଦାମ ଏତେ ମାତ୍ରାରେ ବଢିଛି ସମସ୍ତେ କିଛି ଜିନିଷ କିଣିବା ଆଗରୁ ଅନେକ ଥର ଭାବୁଛନ୍ତି । ହେଲେ ମହାରାଷ୍ଟ୍ରର କୋହ୍ଲାପୁର ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ତଥା ନିଆରା ଖବର ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଶ୍ୱଶୁର ନିଜ ଜ୍ୱାଇଁଙ୍କ ସ୍ୱାଗତକୁ ସ୍ମରଣୀୟ କରିବା ପାଇଁ ଏକ ଅତି ମୂଲ୍ୟବାନ ଉପହାର ପ୍ରସ୍ତୁତ କରି ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସାଙ୍ଗଲିର ଏହି ଶ୍ୱଶୁର ଜଣକ ନିଜ ଜ୍ୱାଇଁଙ୍କ ପାଇଁ ପ୍ରାୟ ଦେଢ଼ କିଲୋଗ୍ରାମ ଓଜନର ରୁପାରେ ନିର୍ମିତ ଏକ ସ୍ୱତନ୍ତ୍ର 'କୋହ୍ଲାପୁରୀ ଚପଲ' ତିଆରି କରାଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ବୋଲି କୁହାଯାଉଛି । ସମ୍ପୂର୍ଣ୍ଣ ପାରମ୍ପରିକ ଶୈଳୀରେ ନିର୍ମାଣ ହୋଇଥିବା ଏହି ଚପଲର ଅଦ୍ଭୁତ ଡିଜାଇନ୍ ଏବଂ ଆକାଶଛୁଆଁ ମୂଲ୍ୟ ଯୋଗୁଁ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହାକୁ ପ୍ରସ୍ତୁତ କରିବା ପାଇଁ କୋହ୍ଲାପୁରର ବିଶେଷ କାରିଗରମାନଙ୍କ ସହ ଯୋଗାଯୋଗ କରାଯାଇଥିଲା । ସୂଚନା ଅନୁଯାୟୀ, ପ୍ରାୟ ୮ ଦିନର କଠିନ ପରିଶ୍ରମ ପରେ ପ୍ରସ୍ତୁତ ହୋଇଥିବା ଏହି ରୂପା ଚପଲର କାରିଗରୀ ପାଇଁ କେବଳ ମଜୁରୀ ବାବଦକୁ ପ୍ରାୟ ୨୨ ହଜାର ଟଙ୍କା ଦିଆଯାଇଛି । ବର୍ତ୍ତମାନ ଏହି ରୁପା ନିର୍ମିତ 'କୋହ୍ଲାପୁରୀ ଚପଲ'ର ଆକର୍ଷଣୀୟ ଫଟୋ ଓ ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।



