ସାଇଲେଣ୍ଟ ସୁପରହିରୋ
ଦୁନିଆ ଗଢିବାରେ ଅନେକ ପରିଶ୍ରମ ଲାଗିଛି । ଏହି ପ୍ରକ୍ରିୟାରେ ଛୋଟ ହେଉ କିମ୍ବା ବଡ ସମସ୍ତ ପ୍ରାଣୀଙ୍କର ଅବଦାନ ରହିଛି । ବେଳେବେଳେ ଛୋଟର ଅବଦାନ ଢେର ଅଧିକା ରହିଥାଏ । ସେହିଭଳି ଏକ ପ୍ରାଣୀ ହେଲା ପ୍ରଜାପତି । ପ୍ରଜାପତିଟି ଆକାରରେ ଛୋଟିଆ ହେଲେ ମଧ୍ୟ ଏହାକୁ ପ୍ରକୃତିର ସାଇଲେଣ୍ଟ ସୁପରହିରୋର ଆଖ୍ୟା ମିଳିଛି ।
ସୁପରହିରୋମାନେ ସର୍ବଦା ଦୁନିଆର ବିଭିନ୍ନ ସମସ୍ୟାକୁ ସମାଧାନ କରନ୍ତି ବୋଲି ବିଶ୍ୱାସ ରହିଛି । ସେହିପରି ଆମର ପ୍ରକୃତିରେ ଅନେକ ସମସ୍ୟା ରହିଛି, ଯାହାର ସମାଧାନ ଗୋଟିଏ ଛୋଟ ପ୍ରଜାପତି ନିକଟରେ ଅଛି । ଛୋଟ ହେଲେ ମଧ୍ୟ ଅନେକ ବଡ କାର୍ଯ୍ୟରେ ଏହି ପ୍ରାଣୀଟି ସାହାଯ୍ୟ କରିଥାଏ ।
ପରିବେଶକୁ ରଖେ ସୁରକ୍ଷିତ
ପାଣିପାଗ ପରିବର୍ତ୍ତନ ହେଉ କିମ୍ବା ପ୍ରକୃତିରେ ଥିବା ବିଭିନ୍ନ ଗଛ ହେଉ ସମସ୍ତଙ୍କ ମଧ୍ୟରେ ପ୍ରଜାପତି ଏକ ସନ୍ତୁଳନ ରକ୍ଷା କରିଥାଏ । ଏହି ଛୋଟ ପ୍ରାଣୀଟି ସର୍ବଦା ଏକ ସୁସ୍ଥ ଓ ସ୍ୱଚ୍ଛ ପରିବେଶରେ ରହିଥାଏ । ପ୍ରଜାପତି ପ୍ରକୃତିର ଏକ ବଡ କାର୍ଯ୍ୟରେ ସାହାଯ୍ୟ କରିଥାଏ, ଯାହା ହେଉଛି ପରାଗ ସଙ୍ଗମ ବା ପଲିନେସନ୍ । ପରାଗ ସଙ୍ଗମ କାରଣରୁ ହିଁ ଗୋଟିଏ ଗଛରେ ଫଳ ହୋଇଥାଏ । ଏହି ପ୍ରକ୍ରିୟାରେ ପ୍ରଜାପତିର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ଗଛର ଫୁଲରୁ ପ୍ରଜାପତି ମହୁ ସଂଗ୍ରହ କରିଥାଏ, ଯାହା ତାକୁ ଖାଦ୍ୟ ଯୋଗାଇଥାଏ । ଏହି ଖାଦ୍ୟ ବଦଳରେ ପ୍ରଜାପତିଟି ଗଛଟିର ପରାମ ସଙ୍ଗମରେ ସାହାଯ୍ୟ କରିଥାଏ । ଗୋଟିଏ ଫୁଲରୁ ଆଉ ଏକ ଫୁଲକୁ ଉଡି ଉଡି ସେ ପରାଗ ସଙ୍ଗମ କରିଥାଏ, ଯାହା ଫଳ ହେବାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା । ଏହି ପ୍ରକ୍ରିୟା ପରୋକ୍ଷରେ ପରିବେଶ ପାଇଁ ବେଶ ଉପଯୋଗୀ । କାରଣ ଏହି ପ୍ରକ୍ରିୟା ଦ୍ୱାରା ଫଳ ସୃଷ୍ଟି ହୋଇଥାଏ, ଯେଉଁଥିରୁ ନୂଆ ବୃକ୍ଷର ସୃଷ୍ଟି । ତେଣୁ ପରୋକ୍ଷରେ ପ୍ରଜାପତି ପରିବେଶର ଏକ ଉତ୍ତମ ବନ୍ଧୁ ।

ନିଆରା ଜୀବନଶୈଳୀ
ଭାରତରେ ପ୍ରଜାପତିର ପ୍ରାୟ ୧୫୦୦ ପ୍ରଜାତି ଥିବା ଏକ ସର୍ଭେରୁ ଜଣାପଡିଛି । ଏମାନେ ପ୍ରତି ସମୟରେ ବଢୁଛନ୍ତି ମଧ୍ୟ । ତେବେ ଏତେ ସଂଖ୍ୟକ ପ୍ରଜାପତି ଖାଆନ୍ତି କ'ଣ? ଏହାକୁ ନେଇ ବିଭିନ୍ନ ସମୟରେ ଭିନ୍ନଭିନ୍ନ ତଥ୍ୟ ମିଳିଛି । ତେବେ ସମସ୍ତେ ଭାବନ୍ତି ପ୍ରଜାପତି କେବଳ ମହୁ ଖାଇଥାଏ । ହେଲେ ଏହା ପୂରା ସତ୍ୟ ନୁହେଁ । ପ୍ରଜାପତି ମହୁ ଖାଇଥାଏ ଏହା ସହିତ ମଧ୍ୟ ଅନେକ କିଛି ଅଲଗା ଖାଦ୍ୟ ଖାଇଥାଏ । ଯେପରିକି ମାଟି, ଚଢେଇ ମଳ, ଅନ୍ୟ ପ୍ରାଣୀଙ୍କର ଝାଳ ସହ ମୁତ୍ର ମଧ୍ୟ ଖାଦ୍ୟ ଭାବେ ଗ୍ରହଣ କରିଥାଆନ୍ତି । ପ୍ରଜାପତିଙ୍କ ଖାଦ୍ୟ ଗ୍ରହଣ ତାଙ୍କ ଭଳି ବେଶ୍ ନିଆରା । ସମସ୍ତ ଖାଦ୍ୟ ଆଖପାଖରେ ପ୍ରାୟ ଅଣ୍ଡିରା ପ୍ରଜାପତିଙ୍କୁ ଦେଖିବାକୁ ମିଳିଥାଏ । ସେମାନେ ଖାଦ୍ୟରୁ ଜରୁରୀ ପୋଷଣ ଗ୍ରହଣ କରି ମାଇ ପ୍ରଜାପତିଙ୍କୁ ଦେଇଥାଆନ୍ତି । ସେହିଭଳି ଏମାନେ ନିଜର ଖାଦ୍ୟକୁ ନେଇ ବେଶ୍ ସମ୍ବେଦନଶୀଳ ଥାଆନ୍ତି । ଏମାନଙ୍କର ପାଦରେ ଏକ ଟେଷ୍ଟ ସେନସର ରହିଥାଏ । ସେମାନେ ଫୁଲ ଉପରେ ବସିବା ସମୟରେ ଏହି ସେନସର୍ ସାହାଯ୍ୟରେ ନିଜ ଖାଦ୍ୟକୁ ପରକ୍ଷନ୍ତି । ଯଦି ସେହି ଖାଦ୍ୟ ତାଙ୍କ କ୍ୟାଟରପିଲାର ବା ଭ୍ରୁଣ ପାଇଁ ଉପଯେଗୀ ତେବେ ସେ ଏହାକୁ ଗ୍ରହଣ କରନ୍ତି । ପ୍ରଜାପତିଙ୍କର ଜୀବନ ଚକ୍ରରେ ଅନେକ ଷ୍ଟେଜ୍ ରହିଥାଏ । ପ୍ରଥମେ ଏକ ପୂରା ଛୋଟା ଅଣ୍ଡାରୁ ତାଙ୍କର ଜୀବନ ଆରମ୍ଭ ହୋଇଥାଏ । ଅଣ୍ଡା ପରେ ଲାର୍ଭା, ପୁପା ଏବଂ ଏହାପରେ ଏକ ବଡ ପ୍ରଜାପତିରେ ପରିଣତ ହୋଇଥାଆନ୍ତି । ତେବେ ପ୍ରଜାପତି ପରୋକ୍ଷରେ ହେଉ କିମ୍ବା ପ୍ରତ୍ୟେକ୍ଷରେ ସର୍ବଦା ପରିବେଶ, ଗଛ ପତ୍ର ଓ ପ୍ରକୃତି ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ।


