ସପିଂ ଆସିଷ୍ଟାଣ୍ଟ
ଦିଲ୍ଲୀରେ ଗଢିଉଠିଥିବା ଏକ ଷ୍ଟାର୍ଟଅପ୍ ବର୍ତ୍ତମାନ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଷ୍ଟାର୍ଟଅପରେ ଲୋକଙ୍କୁ ସପିଂରେ ସାହାଯ୍ୟ କରିବା ପାଇଁ ଘଣ୍ଟା ପ୍ରତି ୧୪୯ ଟଙ୍କା ଭଡ଼ାରେ 'ସପିଂ ଆସିଷ୍ଟାଣ୍ଟ' ବା କିଣାବିକାର ସହଯୋଗୀ ପୁଅମାନେ ମିଳୁଛନ୍ତି । ଦିଲ୍ଲୀର ଲାଜପତ ନଗର ମାର୍କେଟରୁ ଆରମ୍ଭ ହୋଇଥିବା ଏହି ଷ୍ଟାର୍ଟଅପ୍ କମ୍ପାନୀର ନାମ କ୍ୟାରିମ୍ୟାନ୍ ଏବଂ ଏହାର ଟ୍ୟାଗ୍ଲାଇନ୍ ହେଉଛି ଆପଣ ସପିଂ କରନ୍ତୁ, ଆମେ ବୋହିବୁ । ଗ୍ରାହକମାନେ ବଜାରରେ ଥିବା ଏହି କମ୍ପାନୀର ବୁଥ୍କୁ ଯାଇ କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ଏହି ସର୍ଭିସ ବୁକ୍ କରିପାରିବେ। ଯାହା ପରେ କମ୍ପାନୀର ସପିଂ ଆସିଷ୍ଟାଣ୍ଟ ଗ୍ରାହକଙ୍କ ସହ ଦୋକାନ ବଜାର ବୁଲିବା, ସେମାନଙ୍କ ସପିଂ ବ୍ୟାଗ୍ ଟେକିବା, ଭିଡ଼ ଭିତରେ ସାଙ୍ଗରେ ଚାଲିବା ଏବଂ ପାର୍କିଂ କିମ୍ବା ମେଟ୍ରୋ ଗେଟ୍ ପର୍ଯ୍ୟନ୍ତ ସାମଗ୍ରୀ ପହଞ୍ଚାଇବା ଭଳି କାମ କରିଥାନ୍ତି । କେବଳ ସେତିକି ନୁହେଁ, ଏହି ଆସିଷ୍ଟାଣ୍ଟମାନେ ଗ୍ରାହକଙ୍କ ପାଇଁ ଖାଦ୍ୟ ଷ୍ଟଲ୍ ଓ ସ୍ନାକ୍ସର ଲମ୍ବା ଲାଇନରେ ଛିଡ଼ା ହେବା ସହ ଛତା ଧରିବା, ମୋବାଇଲ୍ ଚାର୍ଜିଂ କରିବା, ଛୋଟ ପିଲାଙ୍କ ଗାଡ଼ି ଏବଂ ପୋର୍ଟେବଲ୍ ସିଟ୍ ଭଳି ଅନେକ ଆରାମଦାୟକ ସୁବିଧା ମଧ୍ୟ ଯୋଗାଇ ଦେଉଛନ୍ତି । କମ୍ପାନୀର ଦାବି ଅନୁଯାୟୀ, ଏହି ସର୍ଭିସ ଦ୍ୱାରା ଲୋକମାନେ ବିନା କୌଣସି କ୍ଲାନ୍ତି ବା ମାନସିକ ଚାପରେ ସପିଂର ମଜା ନେଇପାରିବେ। ଆଗାମୀ ଦିନରେ ଏହି ଅଭିନବ ସେବାକୁ ଚାନ୍ଦନୀ ଚୌକ୍ ଏବଂ ସରୋଜିନୀ ନଗର ଭଳି ପ୍ରମୁଖ ଜନଗହଳିପୂର୍ଣ୍ଣ ବଜାରଗୁଡ଼ିକରେ ମଧ୍ୟ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।



