ଜୋତା ନା କାର !
ନେଦରଲ୍ୟାଣ୍ଡସରେ ଜଣେ ବ୍ୟକ୍ତି କାଠ ଜୋତା (କ୍ଲୋଗ୍) ଆକୃତିର ଏକ ନିଆରା ଗାଡ଼ି ତିଆରି କରିବାସହ ଏହାକୁ ସବୁଠାରୁ ଅଧିକ ବେଗରେ ଚଳାଇ ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି । ପ୍ରସିଦ୍ଧ ଟିଭି ହୋଷ୍ଟ କ୍ଲାସ ୱାନ କୁଇଷ୍ଟମ୍ ଏବଂ ତାଙ୍କ ଟିମ୍ ମିଶି ନେଦରଲ୍ୟାଣ୍ଡସର ପାରମ୍ପରିକ କାଠ ଜୋତା, ଯାହାକୁ 'କ୍ଲୋଗ୍' ବୋଲି କୁହାଯାଏ, ସେହି ଅନୁକରଣରେ ଏହି ଗାଡ଼ିର ଡିଜାଇନ୍ ପ୍ରସ୍ତୁତ କରିଥିଲେ । ଏହି ଗାଡ଼ିଟିର ନିର୍ମାଣ ପାଇଁ ଏକ ଛୋଟ ଇଲେକ୍ଟ୍ରିକ୍ ଗୋ-କାର୍ଟ ଫ୍ରେମ୍କୁ ଆଧାର ଭାବେ ବ୍ୟବହାର କରାଯାଇଥିଲା । ଯାହା ଉପରେ ପଲିଏଷ୍ଟର ଓ ଫାଇବରଗ୍ଲାସ୍ର ସାହାଯ୍ୟରେ ବଡ଼ ଜୋତା ଭଳି ଏକ ବଡି ତିଆରି କରାଯାଇଥିଲା । ଗତ ଏପ୍ରିଲ ୪ ତାରିଖରେ ନେଦରଲ୍ୟାଣ୍ଡସର ବ୍ରେଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ କ୍ଲାସ ଏହି କାର୍କୁ ଚଳାଇଥିଲେ । ଯେଉଁଠାରେ ଏହା ଘଣ୍ଟାପ୍ରତି ୧୧୩ କିଲୋମିଟରର ବେଗ ହାସଲ କରି ସମସ୍ତଙ୍କୁ ଚକିତ କରିଦେଇଥିଲା । ଏହି ଅସାଧାରଣ ସଫଳତା ପାଇଁ ନିକଟରେ ଏହାକୁ 'ସବୁଠାରୁ ଦ୍ରୁତଗାମୀ ମୋଟରାଇଜ୍ଡ କ୍ଲୋଗ୍ ଶୁ' ଭାବେ ଗିନିଜ୍ ୱାର୍ଲ୍ଡ ରେକର୍ଡସ ପକ୍ଷରୁ ବିଶ୍ୱ ରେକର୍ଡର ମାନ୍ୟତା ସହ ଆନୁଷ୍ଠାନିକ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।




