ଶକ୍ତି ପୂଜା

ଶକ୍ତି ଉପାସନା ବେଶ୍‌ ପୁରାତନ ପରମ୍ପରା । କାହିଁ କେଉଁ କାଳରୁ ଶକ୍ତି ଉପାସନା ଚାଲିଆସିଛି । ଶକ୍ତି ଉପାସନାକୁ ନେଇ ରହିଛି ବିଭିନ୍ନ କିମ୍ବଦନ୍ତୀ । ତେବେ ଭାରତରେ ରହିଛି ଏକାବନଟି ଶକ୍ତିପୀଠ । ଏହି ସମସ୍ତ ଶକ୍ତିପୀଠ ପଛରେ ରହିଛି ଭିନ୍ନଭିନ୍ନ କିମ୍ବଦନ୍ତୀ । ପୁରାଣରେ ବର୍ଣ୍ଣିତ ଅନୁଯାୟୀ ଦକ୍ଷ ପ୍ରଜାପତିଙ୍କ ଯଜ୍ଞରେ ଦେବୀ ସତୀ ଅପମାନିତ ହେବା ପରେ ନିଜ ପ୍ରାଣତ୍ୟାଗ କରିଥିଲେ । ତେବେ ଏହି ଘଟଣା ରୁଦ୍ରଙ୍କୁ ବହୁତ ବ୍ୟଥିତ […]

ଶକ୍ତି ପୂଜା
Samaya Live Picture
Published On


ଶକ୍ତି ଉପାସନା ବେଶ୍‌ ପୁରାତନ ପରମ୍ପରା । କାହିଁ କେଉଁ କାଳରୁ ଶକ୍ତି ଉପାସନା ଚାଲିଆସିଛି । ଶକ୍ତି ଉପାସନାକୁ ନେଇ ରହିଛି ବିଭିନ୍ନ କିମ୍ବଦନ୍ତୀ । ତେବେ ଭାରତରେ ରହିଛି ଏକାବନଟି ଶକ୍ତିପୀଠ । ଏହି ସମସ୍ତ ଶକ୍ତିପୀଠ ପଛରେ ରହିଛି ଭିନ୍ନଭିନ୍ନ କିମ୍ବଦନ୍ତୀ ।

ପୁରାଣରେ ବର୍ଣ୍ଣିତ ଅନୁଯାୟୀ ଦକ୍ଷ ପ୍ରଜାପତିଙ୍କ ଯଜ୍ଞରେ ଦେବୀ ସତୀ ଅପମାନିତ ହେବା ପରେ ନିଜ ପ୍ରାଣତ୍ୟାଗ କରିଥିଲେ । ତେବେ ଏହି ଘଟଣା ରୁଦ୍ରଙ୍କୁ ବହୁତ ବ୍ୟଥିତ କରିଥିଲା । ତେଣୁ ସେ ଶକ୍ତିଙ୍କ ଶବକୁ କାନ୍ଧରେ ଧରି ଚାରିଆଡେ ବୁଲିବାକୁ ଲାଗିଲେ । ତେବେ ଶିବଙ୍କର କ୍ରୋଧରେ ବିଶ୍ୱ ଅଶାନ୍ତ ହୋଇପଡିଲା । ତେଣୁ ବିଶ୍ୱଶାନ୍ତି ପାଇଁ ବିଷ୍ଣୁ ସତୀଙ୍କ ଶବକୁ ଚକ୍ରରେ ୫୧ ଖଣ୍ଡରେ ବିଭକ୍ତ କରି ବିଭିନ୍ନ ସ୍ଥାନରେ ନିକ୍ଷେପ କରିଥିଲେ । ଯେଉଁଥିରୁ ଗୋଟିଏ ଗୋଟିଏ ଶକ୍ତିପୀଠର ଉତ୍ପତ୍ତି ହୋଇଥିଲା । ଓଡିଶାରେ ଆଠଟି ସ୍ଥାନରେ ଚଣ୍ଡୀଙ୍କର ପ୍ରଧାନ ପୂଜା କରାଯାଇଥାଏ । ବାଣପୁରରେ ଭଗବତୀ, ଶ୍ରୀକ୍ଷେତ୍ରରେ ବିମଳା, କାକଟପୁରରେ ମଙ୍ଗଳା, ଝଙ୍କଡରେ ଶାରଳା, ଯାଜପୁରରେ ବିରଜା, ବାଙ୍କିରେ ଚର୍ଚ୍ଚିକା, କୋଣାର୍କରେ ରାମଚଣ୍ଡୀ, ପଶ୍ଚିମରେ ହିଙ୍ଗୁଳା, ଭୁବନେଶ୍ୱରରେ ଗୌରୀ ନାମରେ ପୂଜା ପାଉଛନ୍ତି । ଶ୍ରୀକ୍ଷେତ୍ରରେ ପୂଜା ପାଉଛନ୍ତି ବିମଳା । ଦେବୀ ବିମଳା ହେଲେ ଭୈରବୀ । ସେହିଭଳି ମହାଭାରତ ବର୍ଣ୍ଣିତ ଅନୁସାରେ ପାଣ୍ଡବମାନେ ଉତ୍କଳର ଯାଜପୁରରେ ଦେବୀ ବିରଜାଙ୍କୁ ଆରାଧନା କରିଥିଲେ । ଯାହା ଏକ ଶକ୍ତିପୀଠ ଭାବେ ପରିଚିତ । ଏହା ସହିତ ଓଡିଶାର ଆଦିବାସୀମାନେ ମଧ୍ୟ ଦେବୀଙ୍କୁ ବିଭିନ୍ନ ରୂପରେ ପୂଜା କରନ୍ତି । ସେମାନେ ସ୍ତମ୍ଭ ସ୍ଥାପନା କରି ସ୍ତମ୍ଭେଶ୍ୱରୀ ଓ ଖମ୍ବେଶ୍ୱରୀ ରୂପେ ଦୁର୍ଗାଙ୍କୁ ଆରାଧାନ କରୁଥିଲେ । ବର୍ତ୍ତମାନ ଆସିକା ଓ ସୋନ୍‌ପୁରରେ ଖମ୍ବେଶ୍ୱରୀ ପୂଜା ପାଉଛନ୍ତି । ସେହି କ୍ରମରେ ଅଷ୍ଟମ ଶତାବ୍ଦୀରେ ଝଙ୍କଡରେ ଦେବୀ ଶାରଳାଙ୍କ ପୂଜା ଆରମ୍ଭ କରାଯାଇଥିଲା । ସେହିଭଳି ସେ ଯୁଗରେ ରାଜାମାନେ ଶକ୍ତି ଆରାଧନା ଉପରେ ଗୁରୁତ୍ୱ ଦେଇଥିଲେ । ଶାରଳାଙ୍କର ଅନେକ ମହିମା ରହିଛି । ସେଥିମଧ୍ୟରୁ ଆଦିକବି ସାରଳା ଦାସଙ୍କ କାହାଣୀ ଅନ୍ୟତମ । ସାରଳା ଦାସ ଦେବୀ ଶାରଳାଙ୍କ କୃପା ଲାଭ କରିବା ପରେ ମହାଭାରତ ରଚନା କରିଥିଲେ । ମହାଭାରତରେ ସେ ଶାରଳାଙ୍କୁ ଦୁର୍ଗା, ଶ୍ରୀଚଣ୍ଡୀ, ବିମଳା, ଅମ୍ବିକା, ଭବାନୀ, ମଙ୍ଗଳା, ଜାଗୁଳାଇ, ସରସ୍ୱତୀ, ବିନାଶିନୀ, କାତ୍ୟାୟନୀ ଆଦି ନାମରେ ବର୍ଣ୍ଣନା କରିଛନ୍ତି । ସେହିଭଳି ତାଙ୍କ ରଚିତ ଚଣ୍ଡୀ ପୁରାଣ ଓଡିଶାରେ ଶକ୍ତି ପରମ୍ପରାର ପ୍ରଚାର ପ୍ରସାର କରିଥିଲା । ତେବେ ଓଡିଶାର ଅଷ୍ଟ ଦେବୀପୀଠ ପରେ ମଧ୍ୟ ଅନେକ ସ୍ଥାନ ବିଶିଷ୍ଟ ଶକ୍ତିପୀଠ ଭାବେ ପରିଚିତ । ଯେପରିକି କଟକ ଚଣ୍ଡୀ, କେନ୍ଦୁଝରରେ ଘଟଗାଁ ତାରିଣୀ, ଗଞ୍ଜାମରେ ତାରାତାରିଣୀ, ବଡମ୍ବା ଭଟ୍ଟାରିକା, ଖଲ୍ଲିକୋଟର ନାରାୟଣୀ, ଚିଲିକାର କାଳିଜାଈ ଆଦି । ସେହିଭଳି ଓଡିଶାର ଗାଁ ଗହଳିରେ ଅନେକ ଦେବୀ ପୀଠ ରହିଛି, ଯେଉଁଠି ଆଦି ଶକ୍ତିଙ୍କୁ ବେଶ୍‌ ଶ୍ରଦ୍ଧାର ସହିତ ପୂଜା କରାଯାଇଥାଏ । ଶକ୍ତିଙ୍କୁ ଅନେକ ନାମରେ ପୂଜା କରାଯାଇଥାଏ । ସେ କାଳରେ ଅନେକ ଜମିଦାର ଓ ରାଜାମାନେ ଶକ୍ତିଙ୍କ ଉପାସକ ଥିଲେ । ସେହିଭଳି ଅଧିକାଂଶ ରାଜା ଇଷ୍ଟଦେବୀ ଭାବେ ଶକ୍ତିଙ୍କୁ ଗ୍ରହଣ କରିଥିଲେ । ଯେପରି ବଡଖେମୁଣ୍ଡୀ – ମାଣିକେଶ୍ୱରୀ, ଆଠଗଡ – ଭାରମୁଣ୍ଡୀ, ବରଗଡ- ବାରାହୀ, ଜଳନ୍ତର- ନିମ୍ବେଶ୍ୱରୀ, ଚିକିଟି- କନକଦୁର୍ଗା, ସୋନପୁର – ଭଗବତୀ, ସମ୍ବଲପୁର- ସମଲେଶ୍ୱରୀ, କଳାହାଣ୍ଡି- ମାଣିକେଶ୍ୱରୀ, ପାଟଣା- ପାଟଣେଶ୍ୱରୀ ଆଦି । ଦୁର୍ଗାପୂଜା ସମୟରେ ଓଡିଆମାନେ ନିଚ୍ଛକ ମୌଳିକ ଦେବୀପୂଜା କରିଥାଆନ୍ତି । ଏହି ଅବସରରେ ଅନେକ ରୀତିନୀତି ପାଳନ ହୋଇଥାଏ । ଏହି ଦିନ ଖଣ୍ଡା, କ୍ଷୁର, ଲେଖନୀ ଭଳି ଅନେକ କୌଳିକ ବୃତ୍ତିର ଉପକରଣକୁ ପୂଜା କରାଯାଇଥାଏ । ସେହିଭଳି ସମସ୍ତେ ଦେବୀଙ୍କୁ ପୂଜା କରି ନିଜର ବ୍ୟବସାୟର ଉତ୍ତରୋତ୍ତର ଅଭିବୃଦ୍ଧି ପାଇଁ ଦେବୀଙ୍କ ନିକଟରେ ପ୍ରାର୍ଥନା କରିଥାଆନ୍ତି ।

Tags: