ବିଜ୍ଞାନ ବିକଳ୍ପ
ଦୁନିଆରେ ଏଭଳି ଅନେକ କାମ ଅଛି, ଯାହା ବିପଦ୍ଦଜନକ ହେଲେ ମଧ୍ୟ ବିକଳ୍ପ ଅଭାବରୁ ଲୋକମାନେ ଗ୍ରହଣ କରିବାକୁ ବାଧ୍ୟ ହୋଇଥାଆନ୍ତି । ସେହିଭଳି ଏକ କାମ ହେଲା ତେଲ ପରିବାହୀ ଜାହାଜକୁ ସଫା କରିବା । ତେବେ ଏହି ବିପଦ୍ଦଜନକ କାର୍ଯ୍ୟକୁ କରିବା ପାଇଁ ରୋବଟ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ଭାରତର କ୍ୟାପ୍ଟେନ୍ ଡି.ସି. ଶେଖର ।
ଭୟାନକ ପରିବେଶ ଭିତରେ ଏହି କାର୍ଯ୍ୟ ସବୁଦିନ କରିବାକୁ ହୋଇଥାଏ । ତେଲ ପରିବାହୀ ଜାହାଜ ବା ଅଏଲ ଟ୍ୟାଙ୍କରର ଡେକ୍ଠାରୁ ୨୦ ମିଟର ତଳ ପର୍ଯ୍ୟନ୍ତ ଦିନର ଆଲୋକ ପହଞ୍ଚି ନଥାଏ । ସେଠାରେ ଷ୍ଟିଲ୍ର କାନ୍ଥଗୁଡ଼ିକ ତେଲରେ ଜକଜକ ହେଉଥାଏ, ପ୍ରତ୍ୟେକ ସ୍ଥାନ ବହଳ କଳା କାଦୁଅରେ ଆଚ୍ଛାଦିତ ହୋଇଥାଏ । ବାୟୁମଣ୍ଡଳରେ ହାଇଡ୍ରୋକାର୍ବନ୍ ବାଷ୍ପ ସହିତ ହାଇଡ୍ରୋଜେନ୍ ସଲଫାଇଡ୍ ଭଳି ଅତ୍ୟନ୍ତ ବିଷାକ୍ତ ଗ୍ୟାସ୍ ଭରି ରହିଥାଏ । ଏହି ଗ୍ୟାସ୍ର ସାମାନ୍ୟ ପରିମାଣ ମଧ୍ୟ ମଣିଷକୁ କିଛି କ୍ଷଣ ମଧ୍ୟରେ ଅଚେତ କରିଦେଇପାରେ। ଏହାଛଡ଼ା, ଅମ୍ଳଜାନର ମାତ୍ରା ଅତ୍ୟନ୍ତ କମ୍ ଥାଏ ଏବଂ ଚିକ୍କଣ ଚଟାଣ ଯୋଗୁଁ ଗୁରୁତର ଭାବେ ଖସିପଡ଼ିବାର ବିପଦ ଥାଏ । ପ୍ରାୟ ଦୁଇ ଦଶନ୍ଧି ଧରି କାର୍ଯ୍ୟ କରିବା ସମୟରେ କ୍ୟାପ୍ଟେନ୍ ଡି.ସି. ଶେଖର ନିଜ ଦଳ ସହ ୧୫୦ରୁ ଅଧିକ ପେଟ୍ରୋଲିୟମ୍ ଟାଙ୍କି ଭିତରେ ପଶି ସଫା କରିଥିଲେ। ଗୋଟିଏ ଗୋଟିଏ ପେଟ୍ରୋଲିୟମ୍ ସଂରକ୍ଷଣ ଟାଙ୍କି ୫,୦୦୦ ରୁ ୬,୦୦୦ କ୍ୟୁବିକ୍ ମିଟର ଇନ୍ଧନ ଧାରଣ କରିପାରେ । ସମୟକ୍ରମେ ଏହାର ତଳେ ବହଳ କାଦୁଅ ଜମା ହୋଇଯାଏ, ଯାହାକୁ ରକ୍ଷଣାବେକ୍ଷଣ, ନିରୀକ୍ଷଣ କିମ୍ବା ଇନ୍ଧନର ପ୍ରକାର ବଦଳାଇବା ପୂର୍ବରୁ ସଫା କରିବା ଆବଶ୍ୟକ ହୋଇଥାଏ। ଦଶନ୍ଧି ଦଶନ୍ଧି ଧରି ଶ୍ରମିକମାନେ ଟାଙ୍କି ଭିତରକୁ ଓହ୍ଲାଇ କାଦୁଅକୁ କୋଡ଼ି ଦ୍ୱାରା ବ୍ୟାଗ୍ରେ ଭରୁଥିଲେ, ନ୍ୟୁମାଟିକ୍ ୱିଞ୍ଚ୍ ସାହାଯ୍ୟରେ ଉପରକୁ ଟାଣୁଥିଲେ ଏବଂ ପରେ ତାହାକୁ ନଷ୍ଟ କରୁଥିଲେ । ଶେଖରଙ୍କ ଭାଷାରେ ଏହା ଅତ୍ୟନ୍ତ ପୁରୁଣା ଏବଂ ମଧ୍ୟଯୁଗୀୟ ଶୈଳୀର କାମ ଥିଲା । ତେବେ କୌଣସି ବ୍ୟାବହାରିକ ରୋବୋଟିକ୍ ବିକଳ୍ପ ନଥିବାରୁ ବିଶ୍ୱବ୍ୟାପୀ ଏହି ମାନବିକ ସଫେଇ ପ୍ରଣାଳୀକୁ ଗ୍ରହଣ କରାଯାଇଥିଲା, ଯାହା ଫଳରେ ଗ୍ୟାସ୍ ଓ ଅମ୍ଳଜାନ ଅଭାବ ଯୋଗୁଁ ଅନେକ ମାରାତ୍ମକ ଦୁର୍ଘଟଣା ଘଟୁଥିଲା । ୧୯୯୦ ଦଶକରେ ଶେଖରଙ୍କ ମନରେ ଏହି ରୋବୋଟ୍ର ପ୍ରଥମ ଡିଜାଇନ୍ ପ୍ରସ୍ତୁତ ହୋଇଥିଲା । ସେ ଏପରି ଏକ ରୋବୋଟ୍ ସ୍ୱପ୍ନ ଦେଖିଥିଲେ ଯାହା ହିଟିଂ କଏଲ ତଳେ ଗତି କରିପାରିବ, ଚଟାଣ ପାଖରେ ରହିବ ଏବଂ କାଦୁଅକୁ ସିଧାସଳଖ ବାହାରକୁ ପମ୍ପ କରିପାରିବ । ୨୦୧୯ ମସିହାରେ 'ଅଏଲ୍ ଇଣ୍ଡିଆ ଲିମିଟେଡ୍'ର ଅଧିକାରୀମାନଙ୍କ ସହ ଆଲୋଚନା ପରେ ସେମାନେ ୨.୫୫ କୋଟିର ପୁଞ୍ଜି ନିବେଶ କରିଥିଲେ, ଯାହାଦ୍ୱାରା 'ବିଟା-ଟ୍ୟାଙ୍କ ରୋବୋଟିକ୍ସ' ଜନ୍ମ ନେଲା । ଶେଖର ଏବଂ ତାଙ୍କର ୧୦ ଜଣିଆ ସଦସ୍ୟଙ୍କ ଦଳ ପ୍ରଥମ ରୋବୋଟ୍ ନିର୍ମାଣ ଓ ପରୀକ୍ଷଣ କଲେ । ବର୍ତ୍ତମାନ ଏହି ଷ୍ଟାର୍ଟଅପ୍ ପାଖରେ ଏହି ପ୍ରଯୁକ୍ତିବିଦ୍ୟା ପାଇଁ ଭାରତୀୟ ପେଟେଣ୍ଟ ମଧ୍ୟ ରହିଛି। ପେଟ୍ରୋଲିୟମ୍ ଟାଙ୍କି ଭିତରେ ଏକ ସାମାନ୍ୟ ବୈଦ୍ୟୁତିକ ସ୍ପାର୍କ ବିଶାଳ ବିସ୍ଫୋରଣ ଘଟାଇପାରେ। ତେଣୁ ସେଠାରେ ସାଧାରଣ ଇଲେକ୍ଟ୍ରିକ୍ ମୋଟର ବ୍ୟବହାର କରାଯାଇପାରିବ ନାହିଁ । ବିଶ୍ୱର ଅଳ୍ପ କେତେକ କମ୍ପାନୀ ଶୋଷଣ ବା ଭ୍ୟାକୁମ ସକସନ ଉପରେ ନିର୍ଭର କରନ୍ତି, ହେଲେ ବହଳ କାଦୁଅ ଶୋଷଣ ଦ୍ୱାରା ଏହା ସହଜରେ ଗତି କରେନାହିଁ । ତେବେ ଏହି ବିଟା-ଟ୍ୟାଙ୍କର ରୋବୋଟ୍ କାଦୁଅକୁ ନିଜ ଆଡ଼କୁ ଟାଣିବା ବଦଳରେ, ତାହାକୁ ନିଜର ଅନ୍-ବୋର୍ଡ ପମ୍ପ ଭିତରକୁ ଧକ୍କା ଦେଇଥାଏ ଏବଂ ୫ ରୁ ୧୦ ଥର ଚାପରେ ବାହାରକୁ ଫିଙ୍ଗିଥାଏ। ଏହା ଅତି ବହଳ କାଦୁଅକୁ ମଧ୍ୟ ସହଜରେ ବାହାର କରିପାରେ । ଏହି କାରଣରୁ ଏହାକୁ 'ଦ୍ୱିତୀୟ ପିଢ଼ିର ରୋବୋଟିକ୍ସ' କୁହାଯାଉଛି। ଏହାର ପ୍ରଥମ ବାଣିଜ୍ୟିକ ବ୍ୟବହାର ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ।




