ସାବିତ୍ରୀ

ସାବିତ୍ରୀ
Ipsita Picture
By: Ipsita
Published On


ବିଭିନ୍ନ ମାସରେ ଭିନ୍ନଭିନ୍ନ ପର୍ବ ପଡିଥାଏ । ସେହିକ୍ରମରେ ଜୈଷ୍ଠ୍ୟ ଅମାବାସ୍ୟା ଦିନ ପଡିଥାଏ ସାବିତ୍ରୀ ବ୍ରତ । ଏହିଦିନ ସଧବା ସ୍ତ୍ରୀଲୋକମାନେ ଉପବାସ ରହିବା ସହ ଦେବୀ ସାବିତ୍ରୀଙ୍କୁ ପୂଜା କରନ୍ତି । ଏହି ଦିନ ସ୍ତ୍ରୀ ଲୋକମାନେ କେବଳ ଫଳ ମୂଳ ଆହାର କରି ରହିଥାଆନ୍ତି । ବିଭିନ୍ନ ମନ୍ଦିର ଓ ଘରେ ଏହି ବ୍ରତ ପାଳନ କରାଯାଇଥାଏ । ଏହି ପୂଜାର ଆରାଧ୍ୟଦେବୀ ହେଉଛନ୍ତି ମା' ସାବିତ୍ରୀ । ଏନେଇ ଏକ ପୂରାଣ ବର୍ଣ୍ଣିତ କଥା ମଧ୍ୟ ରହିଛି । ଏହି ଦିନ ସାବିତ୍ରୀ ନିଜ ସତୀତ୍ୱ ଓ ଧର୍ମ ବଳରେ ସ୍ୱାମୀ ସତ୍ୟବାନଙ୍କୁ ଯମଙ୍କ କବଳରୁ ରକ୍ଷା କରିଥିଲେ । ଏହାସହ ନିଜ ପରିବାର ଓ ଶତପୁତ୍ରଙ୍କର ମା' ହେବାର ସୌଭାଗ୍ୟ ମଧ୍ୟ ପ୍ରାପ୍ତ କରିଥିଲେ । କିମ୍ବଦନ୍ତୀ ଅନୁସାରେ ବିବାହର ଏକ ବର୍ଷ ପରେ ସତ୍ୟବାନଙ୍କର କାଳ ଯୋଗ ରହିଥିଲା । ଯେଉଁ ଦିନ ଏହା ଥିଲା ସେଦିନ ସାବିତ୍ରୀ ସତ୍ୟବାନଙ୍କର ପାଖେପାଖେ ରହିଥିଲେ । ବଣକୁ ଯିବା ସମୟରେ ସତ୍ୟବାନ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କ ପ୍ରାଣ ଚାଲିଯାଇଥିଲା । ତେବେ ତାଙ୍କ ପ୍ରାଣ ନେବାକୁ ଯମ ଆସିଥିବାସମୟରେ ସାବିତ୍ରୀ ତାଙ୍କୁ ସତ୍ୟବାନଙ୍କୁ ନେବାକୁ ଦେଇନଥିଲେ । ସାବିତ୍ରୀଙ୍କ ସତୀତ୍ୱରେ ଯମ ସନ୍ତୁଷ୍ଠ ହୋଇ ତାଙ୍କୁ ସତ୍ୟବାନଙ୍କ ଜୀବନ ଛଡା ଅନ୍ୟ ବର ମାଗିବାକୁ ଅନୁରୋଧ କରିଥିଲେ । ପ୍ରଥମେ ସାବିତ୍ରୀ ନିଜ ଶାଶୁ ଶଶ୍ୱରଙ୍କ ଚକ୍ଷୁ ବରଦାନ ମାଗିଥିଲେ, ଏହାପରେ ନିଜ ପାଇଁ ଶତପୁତ୍ର ମାଗିଥିଲେ ଯେଉଁଥିରେ ଯମ ତଥାସ୍ତୁ କହିଥିଲେ । ତୃତୀୟ ବରରେ ସାବିତ୍ରୀ ସତ୍ୟବାନଙ୍କର ଜୀବନ ମାଗିଥିଲେ । ତେବେ ଯମ ମନା କରିବାରୁ, ସାବିତ୍ରୀ ସ୍ୱାମୀ ବିନା କିଭଳି ଶତପୁତ୍ରର ଜନନୀ ସେ ହୋଇପାରିବେ ବୋଲି ଯମଙ୍କୁ ପଚାରିଥିଲେ । ଯାହାଫଳରେ ଯମ ବାଧ୍ୟ ହୋଇ ସତ୍ୟବାନଙ୍କ ଜୀବନ ଫେରାଇଦେଇଥିଲେ । ତେଣୁ ସର୍ବଦା ସାବିତ୍ରୀ ସତୀତ୍ୱ ଓ ଧର୍ମର ଉଦାହରଣ ଭାବେ ପୂଜା ପାଇ ଆସୁଛନ୍ତି ।

Tags: