ଏଟିଏମରେ ସେଲୁନ
ବିହାରର ରାଜଧାନୀ ପାଟନାରେ ଏକ ଅଜବ ଧରଣର ‘ଏଟିଏମ୍’ ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ବାହାରୁ ଦେଖିବାକୁ ଏହା ସମ୍ପୂର୍ଣ୍ଣ ଭାବେ ଏକ ଏସବିଆଇ ଏଟିଏମ୍ ପରି ମନେହେଉଥିବା ବେଳେ ଭିତରର ଦୃଶ୍ୟ କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ଯେତେବେଳେ ଲୋକମାନେ ଟଙ୍କା ଉଠାଇବା ପାଇଁ ଏହି ଏଟିଏମ୍ ଭିତରକୁ ଯାଉଛନ୍ତି, ସେଠାରେ କ୍ୟାଶ୍ ବଦଳରେ କେଶ ଏବଂ ଦାଢ଼ି କଟା ହେଉଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ସୂଚନା ଅନୁଯାୟୀ, ଏହି ସେଲୁନ୍ଟି ପାଟନାର ଏକ କଲୋନୀରେ ଚାଲୁଥିଲା। ପୂର୍ବରୁ ଏହି ସ୍ଥାନରେ ଏସବିଆଇର ଏକ ଏଟିଏମ୍ କେନ୍ଦ୍ର ଥିଲା, କିନ୍ତୁ କିଛି ମାସ ପୂର୍ବରୁ ବ୍ୟାଙ୍କ କର୍ତ୍ତୃପକ୍ଷ ସେଠାରୁ ଏଟିଏମ୍ ମେସିନ୍ ହଟାଇ ଦେଇଥିଲେ। ହେଲେ ମେସିନ୍ ହଟିବା ପରେ ମଧ୍ୟ ବାହାରେ ଥିବା ବୋର୍ଡ ଏବଂ ବ୍ୟାଙ୍କର ସେଟଅପ୍ ସେମିତି ରହିଥିଲା । ଯାହାକୁ ଜଣେ ବ୍ୟକ୍ତି ସେଲୁନ ଭାବେ ବ୍ୟବହାର କରୁଥିବା ଜଣା ପଡିଛି । ଏହି ମାମଲା ଚର୍ଚ୍ଚାକୁ ଆସିବା ପରେ ଘର ମାଲିକ ସ୍ପଷ୍ଟ କରିଛନ୍ତି ଯେ, ଏଟିଏମ୍ ପ୍ରାୟ ୬ ମାସ ଧରି ଖାଲି ପଡ଼ିଥିଲା ଏବଂ ବ୍ୟାଙ୍କ ଅକ୍ଟୋବର ମାସରୁ ଭଡ଼ା ଦେଉନଥିଲା କି ବୋର୍ଡ ମଧ୍ୟ ହଟାଉ ନଥିଲା । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ସେଠାରୁ ନିଜର ବୋର୍ଡ ଓ ଲୋଗୋ ହଟାଇବା ପାଇଁ ପଦକ୍ଷେପ ନେଇଛନ୍ତି । ଏବେ ଏହି ଅଭିନବ ସେଲୁନ୍ ସାରା ସହରରେ ଆଲୋଚନାର ବିଷୟ ପାଲଟିଛି ।



