ଏକୁଟିଆପଣ ଦୂର କରିବ ରୋବଟ
ଚୀନ୍ର ଏକ କମ୍ପାନୀ ‘ ୟୁୱାର୍ଲ୍ଡ ୟୁ୧ ’ ନାମକ ଏକ ବିଶେଷ ହ୍ୟୁମାନଏଡ୍ ରୋବୋଟ୍ ଲଞ୍ଚ୍ କରିଛି, ଯାହାକୁ ଏକାକୀ ରହୁଥିବା ଯୁବକ-ଯୁବତୀ ଏବଂ ବୃଦ୍ଧବୃଦ୍ଧାଙ୍କ ସାଥୀ ହେବା ପାଇଁ ଡିଜାଇନ୍ କରାଯାଇଛି । ଏହି ରୋବୋଟ୍ ମଣିଷ ପରି କଥାବାର୍ତ୍ତା କରିବା ସହ ଭାବନା ବୁଝିପାରିବା ଏବଂ ମାନସିକ ଚାପ ସମୟରେ ବ୍ୟବହାରକାରୀଙ୍କୁ ମାନସିକ ସହାୟତା ମଧ୍ୟ ଯୋଗାଇବ । ମହିଳା ଓ ପୁରୁଷ ଦୁଇଟିଯାକ ରୂପରେ ଉପଲବ୍ଧ ଏହି ରୋବୋଟ୍ର ଆଖିରେ କ୍ୟାମେରା ଏବଂ ଛାତିରେ ସେନ୍ସର ଓ ମାଇକ୍ରୋଫୋନ୍ ଖଞ୍ଜାଯାଇଛି । ଯାହା ଦ୍ୱାରା ଏହା ବ୍ୟବହାରକାରୀଙ୍କ ଅଭ୍ୟାସ ଶିଖି ସେହି ଅନୁସାରେ କଥାବାର୍ତ୍ତା କରିପାରିବ ଏବଂ ଔଷଧ ଖାଇବା ମନେପକାଇବା ସହ ନିତିଦିନିଆ କାମରେ ସାହାଯ୍ୟ କରିବ । କମ୍ପାନୀ ଦାବି ଅନୁଯାୟୀ, ଏହା ବିଶ୍ୱର ପ୍ରଥମ ଫୁଲ୍-ସାଇଜ୍ ବାୟୋନିକ୍ ହ୍ୟୁମାନଏଡ୍ ରୋବୋଟ୍, ଯାହାର ବେସିକ୍ ମଡେଲ୍ର ମୂଲ୍ୟ ପ୍ରାୟ ୧୭ ଲକ୍ଷ ଟଙ୍କା । ଏହାର ଟପ୍ ମଡେଲ୍ର ଦାମ୍ ପ୍ରାୟ ୧.୩୯ କୋଟି ଟଙ୍କା ରହିଛି । ବର୍ତ୍ତମାନ ସୁଦ୍ଧା ଏଥିପାଇଁ ୧୩,୩୦୦ ରୁ ଅଧିକ ପ୍ରି-ଅର୍ଡର ମିଳିସାରିଛି ଏବଂ ଆସନ୍ତା ସେପ୍ଟେମ୍ବର ମାସରୁ ଏହାର ଡେଲିଭରୀ ଆରମ୍ଭ ହେବାକୁ ଯାଉଛି ।




