ହାଲୋଇନରେ ରୋବୋଟିକ ହାତ
ହାଲୋଇନ ଇଭେଣ୍ଟରେ ଅନେକ ରୋଚକ କଥା ବର୍ତ୍ତମାନ ଖୁବ ଭାଇରାଲ ହେଉଛି । ସେହିକ୍ରମରେ ହେଇଡି ଲୋକପ୍ରିୟ 'ଦି ଆଡାମ୍ସ ଫ୍ୟାମିଲି'ର 'ଥିଙ୍ଗ' ଚରିତ୍ରରୁ ପ୍ରେରଣା ପାଇ ସ୍ୱିଜରଲ୍ୟାଣ୍ଡର ଇଟିଏଚ୍ ଜୁରିକ୍ ବୈଜ୍ଞାନିକମାନେ ଏକ ଅଭିନବ ରୋବୋଟିକ୍ ହାତ ଉନ୍ମୋଚନ କରିଛନ୍ତି । ହାତଟି ନିଜ ଆଙ୍ଗୁଠିର ଟିପ ସାହାଯ୍ୟରେ ବିଭିନ୍ନ ପ୍ରକାରର ଭୂପୃଷ୍ଠରେ ଚାଲିବାକୁ ସକ୍ଷମ । ମାତ୍ର ୮୧୬ ଗ୍ରାମ ଓଜନ ବିଶିଷ୍ଟ ଏହି ରୋବୋଟିକ୍ ହାତଟି ତଳେ ପଡ଼ିଗଲେ ନିଜେ ଉଠିପାରିବା ସହ ବିଭିନ୍ନ ବସ୍ତୁକୁ ଠେଲି ଘୁଞ୍ଚାଇ ପାରେ । ଏଥିରେ ଏକ ବ୍ୟାଟେରୀ, କ୍ଷୁଦ୍ର କମ୍ପ୍ୟୁଟର ଓ ମୋସନ୍ ସେନ୍ସର ସଂଯୋଗ କରାଯାଇଥିବାରୁ ଏହା ସ୍ୱାଧୀନ ଭାବେ କାର୍ଯ୍ୟ କରିପାରୁଛି । ରୋବୋଟିସିଷ୍ଟ ରବର୍ଟ କାଟଜସ୍ମାନ୍ ଏବଂ ମୁଖ୍ୟ ଗବେଷକ ଅମୀରହୋସେନ୍ କାଜେମିପୁରଙ୍କ ସୂଚନା ଅନୁଯାୟୀ, ଭବିଷ୍ୟତରେ ଯେଉଁ ସଂକୀର୍ଣ୍ଣ ସ୍ଥାନକୁ ଏକ ସମ୍ପୂର୍ଣ୍ଣ ରୋବୋଟ୍ ପ୍ରବେଶ କରିପାରିବ ନାହିଁ, ସେଠାକୁ ଏହା ଯାଇପାରିବ । ସେଠାକୁ ଏହି ହାତଟି ଶରୀରରୁ ଅଲଗା ହୋଇ ଗୁରୁଣ୍ଡି ଗୁରୁଣ୍ଡି ଯାଇ ତଦାରଖ କରିବା, କୌଣସି ନିୟନ୍ତ୍ରଣ ଯନ୍ତ୍ର ଚଳାଇବା କିମ୍ବା ବସ୍ତୁ ସ୍ଥାନାନ୍ତର କରିବା ପରେ ପୁନର୍ବାର ଫେରି ଆସିପାରିବ । ଆଙ୍ଗୁଠିଗୁଡ଼ିକର ଭିନ୍ନ ଭିନ୍ନ ଲମ୍ବ ଏବଂ ଗୋଟିଏ ପାର୍ଶ୍ୱରେ ବୁଢ଼ା ଆଙ୍ଗୁଠି ରହିଥିବାରୁ ଏହାର ସନ୍ତୁଳନ ରକ୍ଷା କରି ଚାଲିବା ଟିକେ କଷ୍ଟକର । ହେଲେମଧ୍ୟ ଗବେଷକମାନେ 'ରିଇନଫୋର୍ସମେଣ୍ଟ ଲର୍ଣ୍ଣିଂ' ପ୍ରକ୍ରିୟା ମାଧ୍ୟମରେ ଏହାକୁ ଘାସ, ଗୋଡ଼ି, କାଠ ଚଟାଣ ଏବଂ ପଥର ଭଳି ପୃଷ୍ଠରେ ଚାଲିବା ସହିତ ଭିଡିଓ ଗେମ୍ ଖେଳି କିବୋର୍ଡ ଚଳାଇବାର ପ୍ରଶିକ୍ଷଣ ଦେଇଛନ୍ତି ।




