ରୋବଟଙ୍କ ଆତ୍ମହତ୍ୟା
ଆମେରିକୀୟ ରୋବୋଟିକ୍ସ କମ୍ପାନୀ 'ଫିଗର ଏଆଇ' ନିଜର ପୁରୁଣା 'ଏଫ୍.୦୨' ମଡେଲ ରୋବୋଟଗୁଡ଼ିକୁ ସେବାରୁ ହଟାଇବା ପାଇଁ ଏକ ଅଜବ ପ୍ରକ୍ରିୟାର ଆରମ୍ଭ କରିଛି । ସୂଚନା ଅନୁସାରେ ତରଳ ନିଆଁ କୁଣ୍ଡକୁ ଡେଇଁ ନିଜକୁ ନଷ୍ଟ କରିବାକୁ ଉକ୍ତ ରୋବଟ ଗୁଡିକୁ ପ୍ରୋଗ୍ରାମିଂ କରାଯାଇଛି । କମ୍ପାନୀରେ ନୂତନ ପିଢ଼ିର 'ଏଫ୍.୦୩' ରୋବୋଟ୍ ସଂଖ୍ୟା ବୃଦ୍ଧି ପାଇବା ପରେ ଏହି ପୁରୁଣା ରୋବୋଟଗୁଡ଼ିକ ଅନାବଶ୍ୟକ ହୋଇପଡ଼ିଥିଲେ । କମ୍ପାନୀର ଗୁପ୍ତ ପ୍ରଯୁକ୍ତିବିଦ୍ୟା ସୁରକ୍ଷିତ ରଖିବା ପାଇଁ ଏଗୁଡ଼ିକୁ ଅନ୍ୟ କୌଣସି ସଂସ୍ଥାକୁ ହସ୍ତାନ୍ତର କରାଯାଇପାରିନଥିଲା । ସେହିଭଳି ହାତରେ ଅଲଗା କରି ଭାଙ୍ଗିବା ପାଇଁ ଅଧିକ କର୍ମଚାରୀ ଓ ସମୟର ଆବଶ୍ୟକତା ଥିବାରୁ ଏଭଳି ଅଜବ କୋଡିଂ ପ୍ରସ୍ତୁତ କରାଯାଇଛି । ଏହି ସମସ୍ୟାର ସମାଧାନ ପାଇଁ କମ୍ପାନୀର ସିଇଓ ବ୍ରେଟ୍ ଆଡକକ୍ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ପରାମର୍ଶ ମାଗିବାରୁ ହଲିଉଡ୍ ଅଭିନେତା ଆର୍ନୋଲ୍ଡ ଶ୍ୱାର୍ଜନେଗର "ସେଗୁଡ଼ିକୁ ତରଳାଇ ଦିଅ" ବୋଲି ଅଜବ ପରାମର୍ଶ ଦେଇଥିଲେ । ଏହି ପରାମର୍ଶକୁ ଗ୍ରହଣ କରି କମ୍ପାନୀ ପକ୍ଷରୁ ଏଫ୍.୦୨ ରୋବୋଟଗୁଡ଼ିକୁ ଫିନଲ୍ୟାଣ୍ଡସ୍ଥିତ ଏକ ଫାଉଣ୍ଡ୍ରିକୁ ନିଆଯାଇ ୭୫ ଟନ୍ ଅଗ୍ନିକୁଣ୍ଡକୁ ଡେଇଁ ନିଜକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ରୋବୋଟଙ୍କ ଆତ୍ମହତ୍ୟା ନାମରେ ଚର୍ଚ୍ଚାର ବିଷୟ ପାଲଟିଛି ।




