ରିଆଲିଟି ଶୋରେ ରୋବୋଟର ସଫଳତା
ଆମେରିକାଜ୍ ଗଟ୍ ଟ୍ୟାଲେଣ୍ଟ'ର କ୍ୱାଟରଫାଇନାଲରେ ଚୀନ୍ ନୃତ୍ୟଶିଳ୍ପୀ ୱୁ ୟୁଫେଇ ଏବଂ କେତେକ 'ୟୁନିଟ୍ରି ଜି୧' ହ୍ୟୁମାନଏଡ୍ ରୋବୋଟ୍ ମାର୍ଶଲ ଆର୍ଟ, ନୃତ୍ୟ ଓ ଆଡଭାନ୍ସଡ୍ ରୋବୋଟିକ୍ସର ଏକ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଏହା ଉକ୍ତ ଶୋର ବିଚାରକ, ଦର୍ଶକ ଓ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଅତ୍ୟନ୍ତ ପ୍ରଭାବିତ କରିଛନ୍ତି । ଏହି ପ୍ରଦର୍ଶନରେ ରୋବୋଟ୍ଗୁଡ଼ିକ ମାର୍ଶଲ ଆର୍ଟ-ପ୍ରେରିତ ଗୋଇଠା, ବିଧା, ଫ୍ଲିପ୍ସ ଓ ବିଭିନ୍ନ ଭଙ୍ଗୀକୁ ମାନବ ନୃତ୍ୟଶିଳ୍ପୀଙ୍କ ସହ ସମ୍ପୂର୍ଣ୍ଣ ସୁସଂଗଠିତ ଭାବେ ଉପସ୍ଥାପନ କରିଥିଲେ । ପୂର୍ବରୁ ଜୁନ୍ ମାସରେ ସିଜନ୍ ୨୧ର ଅଡିସନ୍ ସମୟରେ ନିଜର ଭାରସାମ୍ୟ, ନୃତ୍ୟ ଓ ବ୍ୟାକ୍ଫ୍ଲିପ୍ ଭଳି ଆକ୍ରୋବେଟିକ୍ କଳା ଦେଖାଇ ସାରିଥିବା ଏହି ଟିମ୍ର ଏହି ନୂତନ ପ୍ରଦର୍ଶନରେ ବିଚାରକ ଖୁବ ପ୍ରସନ୍ନ ହୋଇଥିଲେ । ଉକ୍ତପ୍ରତିଯୋଗୀଙ୍କୁ ଜଜମାନେ 'ଲାଇଭ୍ ଗୋଲ୍ଡେନ୍ ବଜର୍' ଦବାଇ ସିଧାସଳଖ ଫାଇନାଲ୍କୁ ପଠାଇଥିବା ଜଣାପଡିଛି । 'ଗଟ୍ ଟ୍ୟାଲେଣ୍ଟ ଗ୍ଲୋବାଲ୍' ଦ୍ୱାରା ଇନ୍ଷ୍ଟାଗ୍ରାମ୍ରେ ସେୟାର କରାଯାଇଥିବା ଏହି ଭିଡିଓଟି ଭାଇରାଲ୍ ହେବା ପରେ ରୋବୋଟ୍ଗୁଡ଼ିକର ସୂକ୍ଷ୍ମତା ଓ ସଂସ୍କୃତିର ମିଶ୍ରଣକୁ ପ୍ରଶଂସା ମିଳିଛି । ସେହିଭଳି କିଛିଲୋକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଓ ରୋବୋଟିକ୍ସର ଦ୍ରୁତ ଅଗ୍ରଗତିକୁ ନେଇ ଚିନ୍ତା ବ୍ୟକ୍ତ କରି ଭବିଷ୍ୟତର ବିପଦ ସମ୍ପର୍କରେ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି ।




