ମା ଭଗବତୀ ଦଶହରା ପୂଜା ବିଧି

ମା ଭଗବତୀ ଦଶହରା ପୂଜା ବିଧି
Ipsita Picture
By: Ipsita
Published On

 

ବାଣପୁର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀଙ୍କ ଶାରଦୀୟ ଦୁର୍ଗା ପୂଜା ଓ ଦଶହରା ରୀତିନୀତି  ଅତ୍ୟନ୍ତ ନିଆରା ଏବଂ ଏହା ୧୬ ଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ। ଓଡ଼ିଶାର ଶାକ୍ତ ପରମ୍ପରାରେ ମା’ ଭଗବତୀଙ୍କ ଏହି ଗୁପ୍ତ ପୂଜା ଓ ଦଶହରା ଉତ୍ସବ ଏକ ସ୍ବତନ୍ତ୍ର ମହତ୍ବ ରହିଛି । ମା’ ଭଗବତୀଙ୍କ ପୀଠରେ ଦଶହରା ପୂଜାର ପ୍ରମୁଖ ବିଧାନଗୁଡ଼ିକ ହେଲା ସ୍ଥାନର ଅବଧି - ଏହି ପୂଜା ମୋଟ୍ ୧୬ ଦିନ ଧରି ଚାଲିଥାଏ । ଶାରଦୀୟ ପୂଜାର ପ୍ରଥମ ୭ ଦିନ ମା’ଙ୍କର ଗୁପ୍ତ ନୀତ ୭ ଟି ସ୍ବତନ୍ତ୍ର ବଖରା ଘରେ ଅନୁଷ୍ଠିତ ହୋଇଥାଏ । ଏହାପରେ ବାକି ୯ ଦିନ ମା’ ଭଗବତୀଙ୍କ ପୀଠ ବା ଗର୍ଭଗୃହରେ ସର୍ବସାଧାରଣ ପାଇଁ ପୂଜା କରାଯାଏ । ପୂଜା ଆରମ୍ଭ ପୂର୍ବରୁ ମା’ ଭଗବତୀ ଚିଲିକାରେ ଅବସ୍ଥିତ ମା’ କାଳିଜାଈଙ୍କୁ ଷୋଳ ପୂଜା ପାଇଁ ନିମନ୍ତ୍ରଣ କରି ମନ୍ଦିରକୁ ଫେରିବାର ଏକ ସ୍ବତନ୍ତ୍ର ପରମ୍ପରା ରହିଛି । ନବରାତ୍ରି ଏବଂ ଦଶହରା ସମୟରେ ମା’ଙ୍କୁ ପ୍ରତିଦିନ ସ୍ବତନ୍ତ୍ର ଉପଚାରରେ ସ୍ନାନ କରାଯାଇ ଭିନ୍ନ ଭିନ୍ନ ବେଶରେ ସୁସଜ୍ଜିତ କରାଯାଏ । ଏହି ଦିନ ଗୁଡ଼ିକରେ ମା’ ଭଗବତୀଙ୍କ ଉଗ୍ରତାରା ବେଶ, କାଳୀ ବେଶ, ମହିଷାମର୍ଦ୍ଦିନୀ ବେଶ ଆଦି ଦର୍ଶନ କରିବା ପାଇଁ ପ୍ରବଳ ଭିଡ଼ ହୋଇଥାଏ । ଭଗବତୀ ପୀଠକୁ ଏକ ପ୍ରମୁଖ ତାନ୍ତ୍ରିକ ପୀଠ ଭାବରେ ଗଣନା କରାଯାଇଥିବାରୁ ଏଠାରେ ଦଶହରା ସମୟରେ ବିଶେଷ ଗୁପ୍ତ ନୀତି କରାଯାଏ । ଏହି ପୂଜାରେ ବଳି ପରମ୍ପରାର ବିଶେଷ ଗୁରୁତ୍ୱ ରହିଛି । ପୂର୍ବ କାଳରେ ଏଠାରେ ଜୀବ ବଳି ଦିଆଯାଉଥିବା ବେଳେ ବର୍ତ୍ତମାନ ସେହି ସ୍ଥାନରେ ଲାଉ ପାଣି କଖାରୁ ଏବଂ ବୋଇତ କଖାରୁ ଆଦି ବଳି ସ୍ବରୂପ ଅର୍ପଣ କରାଯାଉଛି । ମହାଷ୍ଟମୀ ଦିନ ମା’ଙ୍କ ପାଖରେ ମହାଦୀପ ପ୍ରଜ୍ୱଳନ କରାଯାଏ ଏବଂ ଶାକ୍ତ ମତରେ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ନବମୀ ତିଥିରେ ମା’ଙ୍କ ପାଖରେ ସ୍ବତନ୍ତ୍ର ଭୋଗ ସହ ମାଛ ଭୋଗ ଅର୍ପଣ କରିବାର ପରମ୍ପରା ରହିଛି। ଏହି ଦିନ ମହିଳାମାନେ ମା’ ପାଖରେ ନୂଆ ଶାଢ଼ି ବା ବସ୍ତ୍ର ଭୋଗ ଲଗାଇବା ପରେ ତାହାକୁ ପରିଧାନ କରିଥାଆନ୍ତି । ଦଶମୀ ତିଥିରେ ମା’ଙ୍କର ଅନ୍ତିମ ପୂଜାର୍ଚ୍ଚନା ଓ ଅବରାଜିତା ପୂଜା ସଂପନ୍ନ କରାଯାଏ । ଏହି ଦିନ ମା’ଙ୍କ ଆୟୁଧ ବା ଅସ୍ତ୍ରଶସ୍ତ୍ର ପୂଜା କରାଯିବା ସହ ବିଜୟ ଉସତ୍ବ ପାଳନ କରାଯାଏ । ଏହା ପରେ ମା’ଙ୍କର ଶାରଦୀୟ ଷୋଳପୂଜାର ଅବସାନ ହୋଇଥାଏ ।

ରଞ୍ଜନ ସାମନ୍ତାରାୟ

ସମୟ ପ୍ରତିନିଧି

Tags: