ମାଙ୍କଡ ଧରିବା ପାଇଁ ପୁରସ୍କାର
ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ବଢୁଥିବା ସଂଘର୍ଷକୁ ରୋକିବା ପାଇଁ ଏକ ଅଭିନବ ତଥା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିରେ ଜନବସତି ଅଞ୍ଚଳରେ ଆତଙ୍କ ଖେଳାଉଥିବା ମାଙ୍କଡ଼ମାନଙ୍କୁ ଧରିଲେ ଲୋକଙ୍କୁ ପ୍ରତି ମାଙ୍କଡ଼ ପିଛା ୬୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବାନେଇ ଘୋଷଣା କରିଛି । ବିଶେଷ କରି ଜଙ୍ଗଲ କ୍ଷୟ ଯୋଗୁଁ ଖାଦ୍ୟ ଅନ୍ୱେଷଣରେ ସହର ଓ ଗାଁ ମୁହାଁ ହେଉଥିବା 'ରିସସ୍ ମକାକ' ଏବଂ 'ହନୁମାନ ଲଙ୍ଗୁର' ଭଳି ପ୍ରଜାତିର ମାଙ୍କଡ଼ଙ୍କୁ ଏହି ଅଭିଯାନ ମାଧ୍ୟମରେ କାବୁ କରାଯିବ । ଯାହାଫଳରେ ବ୍ୟାପକ ଫସଲ ହାନି, ଘରଦ୍ୱାର ଭଙ୍ଗାରୁଜା ଏବଂ ସାଧାରଣ ଜନତାଙ୍କ ସୁରକ୍ଷା ପ୍ରତି ସୃଷ୍ଟି ହେଉଥିବା ବିପଦକୁ ଏଡ଼ାଯାଇପାରିବ । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ପ୍ରାଣୀମାନଙ୍କ ପ୍ରତି କୌଣସି ପ୍ରକାର ନିଷ୍ଠୁରତା ପ୍ରଦର୍ଶନ ନକରି କେବଳ ଜାଲ କିମ୍ବା ପିଞ୍ଜରା ଭଳି ସୁରକ୍ଷିତ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏହି ଯୋଜନା ଦ୍ୱାରା ଏକ ପକ୍ଷରେ ସାଧାରଣ ଲୋକଙ୍କୁ ଆର୍ଥିକ ପ୍ରୋତ୍ସାହନ ମିଳିବ ଏବଂ ଅନ୍ୟପକ୍ଷରେ ମାଙ୍କଡ଼ମାନଙ୍କୁ ଜନବସତିରୁ ଉଦ୍ଧାର କରି ପୁନଶ୍ଚ ଜଙ୍ଗଲରେ ଛଡ଼ାଯାଇପାରିବ ।



