ଶ୍ବାସକ୍ରିୟା ଜନିତ ସମସ୍ୟା
ବିନା କୌଣସି ପରିଶ୍ରମ କିମ୍ବା ବିଶ୍ରାମ ସମୟରେ ମଧ୍ୟ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେବାକୁ ଡାକ୍ତରୀ ଭାଷାରେ 'ଡିସପ୍ନିଆ' କୁହାଯାଏ, ଯାହା ନିଜେ କୌଣସି ରୋଗ ନୁହେଁ ବରଂ ଫୁସଫୁସ, ହୃଦୟ କିମ୍ବା ରକ୍ତ ସମ୍ବନ୍ଧୀୟ ଗୁରୁତର ସମସ୍ୟାର ଏକ ଲକ୍ଷଣ ଅଟେ । 'ବିଏମସି ପଲମୋନରୀ ମେଡିସିନ୍' ଏବଂ 'ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍'ର ଗବେଷଣା ଅନୁସାରେ, ବିଶ୍ୱର ପ୍ରତ୍ୟେକ ୫ ଜଣ ବୟସ୍କଙ୍କ ମଧ୍ୟରୁ ଜଣେ ଏବଂ ଭାରତରେ ପ୍ରାୟ ୬୨.୬ କୋଟି ଲୋକ ଏହି ସମସ୍ୟାର ଶିକାର ହୋଇଛନ୍ତି । ଯେଉଁଥିରୁ ପ୍ରାୟ ୫.୨ କୋଟି ଲୋକଙ୍କ କ୍ଷେତ୍ରରେ ଏହା ଅତ୍ୟନ୍ତ ଗୁରୁତର ରୂପ ନେଇଛି । ଏହି ସମସ୍ୟା ମୁଖ୍ୟତଃ ଦୁଇ ପ୍ରକାରର ‘ଏକ୍ୟୁଟ୍ ଡିସପ୍ନିଆ’ (ଯାହା ହଠାତ୍ ଆରମ୍ଭ ହୋଇ କିଛି ଘଣ୍ଟା କିମ୍ବା ଦିନ ରହେ ଏବଂ ମେଡିକାଲ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରେ) ଏବଂ ‘କ୍ରୋନିକ୍ ଡିସପ୍ନିଆ’ (ଯାହା ଗୋଟିଏ ମାସରୁ ଅଧିକ ସମୟ ଧରି ରହିଥାଏ) । ଦୌଡ଼ିବା, ସିଡ଼ି ଚଢ଼ିବା କିମ୍ବା ଭାରୀ ବ୍ୟାୟାମ ସମୟରେ ନିଶ୍ବାସ ପ୍ରଶ୍ବାସ ଜୋରରେ ନେବା ସାଧାରଣ ହୋଇଥାଏ । ହେଲେ ବିଶ୍ରାମ ସମୟରେ ହଠାତ୍ ଅତ୍ୟାଧିକ କଷ୍ଟ ହେବା, ଛାତିରେ ପ୍ରବଳ ଯନ୍ତ୍ରଣା, ଓଠ କିମ୍ବା ନଖ ନୀଳ ପଡ଼ିଯିବା, ହୃଦସ୍ପନ୍ଦନ ଦ୍ରୁତ ହେବା ଏବଂ ଅଚେତ ହୋଇପଡ଼ିବା ଭଳି ଲକ୍ଷଣ ଦେଖାଦେଲେ ଏହାକୁ ଆଦୌ ନଜରଅନ୍ଦାଜ ନକରି ତୁରନ୍ତ ଡାକ୍ତରୀ ଚିକିତ୍ସା ନେବା ଉଚିତ୍ ।




