ରିଆଲିଟି ଷ୍ଟାର

ରିଆଲିଟି ଷ୍ଟାର
Ipsita Picture
By: Ipsita
Published On

ଓଡ଼ିଶାରେ ଏଭଳି ଅନେକ ପ୍ରତିଭା ଅଛନ୍ତି ଯେଉଁମାନେ ଜାତୀୟ ସ୍ତରରେ ଓଡ଼ିଶାର ନାଁକୁ ବେଶ ଗର୍ବିତ କରୁଛନ୍ତି । ଅନେକ ସମୟରେ ଜାତୀୟ ସ୍ତରରେ ହେଉଥିବା ବିଭିନ୍ନ ରିଆଲିଟି ଶୋରେ ଚମକିଥିବା ଓଡିଆଙ୍କୁ ନେଇ ଏହି ସ୍ବତନ୍ତ୍ର ଉପସ୍ଥାପନା ।

ଅନନ୍ୟା ଶ୍ରୀତମ ନନ୍ଦ

ଓଡ଼ିଶାର ଆଉଜଣେ ପରିଚିତ ଗାୟିକା ହେଲେ ଅନନ୍ୟା ଶ୍ରୀତମ ନନ୍ଦ । ଖୁବ କମ ବୟସରେ ସେ ଓଡ଼ିଶାକୁ ଜାତୀୟ ସ୍ତରରେ ରିପ୍ରେଜେଣ୍ଟ କରିବା ସହିତ ବିଜେତା ହୋଇ ଗୌରବ ମଧ୍ୟ ଆଣିଥିଲେ ।   ୨୦୧୫ ମସିହାର "ଇଣ୍ଡିଆନ ଆଇଡଲ ଜୁନିୟର-୨"ରେ ସେ ବିଜେତା ହୋଇ ସମସ୍ତଙ୍କ ପାଇଁ ଗର୍ବ ଆଣିଥିଲେ । ପୁରୀ ଜିଲ୍ଲା ପ୍ରତାପ ପୁରୁଷୋତ୍ତମପୁର ଅନ୍ତର୍ଗତ ବ୍ରାହ୍ମଣ ଆଳନ୍ଦିଆ ଅଞ୍ଚଳର ପ୍ରସନ୍ନ କୁମାର ନନ୍ଦ ଏବଂ ପ୍ରଶାନ୍ତୀ ନନ୍ଦଙ୍କ ଝିଅ ଅନନ୍ୟା ।  ୪ ବର୍ଷ ବୟସରୁ ଅନନ୍ୟା ସଙ୍ଗୀତ ପ୍ରତି ରୁଚି ରଖିଥିଲେ । ନୀଳମଣି ଓଝା ତାଙ୍କର ପ୍ରଥମ ସଙ୍ଗୀତ ଗୁରୁ ଥିଲେ । ପ୍ରଥମେ ସେ ୨୦୧୧ରେ ଜି ଟିଭିରେ ପ୍ରସାରିତ ସାରେଗାମା ଲିଟିଲ ଚାମ୍ପ, ୨୦୧୩ରେ ଇଣ୍ଡିଆନ ଆଇଡଲ, ୨୦୧୪ରେ ସାରେଗାମା ଲିଟଲ ଚାମ୍ପରେ ଅଂଶ ଗ୍ରହଣ କରିଥିଲେ ମଧ୍ୟ ସଫଳତା ପାଇ ନ ଥିଲେ। ଏହାପରେ ଟିଭି ଚ୍ୟାନେଲ ସୋନି ଏଣ୍ଟରଟେନମେଣ୍ଟଦ୍ୱାରା ପ୍ରସାରିତ ଇଣ୍ଡିଆନ ଆଇଡଲ ଜୁନିୟର-୨ରେ ୨୦୧୫ ରେ ସେ ଭାଗନେଇଥିଲେ । ଯେଉଁଠାରେ ସେ  ୨୫ ରାଉଣ୍ଡରେ ବିଭିନ୍ନ ପ୍ରତିଭାଙ୍କୁ ହରାଇ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ । କେବଳ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ତାହା ନୁହେଁ ବିଜେତା ମଧ୍ୟ ହୋଇଥିଲ । ଅନନ୍ୟା ୪ ବର୍ଷ ବୟସରୁ ଅନେକ ପୁରସ୍କାର ପାଇଛନ୍ତି । ସ୍ୱର ବିଚିତ୍ରା, ଗୀତ ତରଙ୍ଗ, ରୋଟାରୀ କ୍ଲବ, ସଙ୍ଗୀତ ବିଚିତ୍ରା, ରୁଚି ସନ୍ଧାନ, ଗଜଲକ୍ଷ୍ମୀ ସମ୍ମାନ, ସଙ୍ଗୀତ ସୁଧାକର, ସଙ୍ଗୀତ ବିବଧା ସମ୍ମାନ, ଏସଭି ଗୃପ ପ୍ରଫୁଲ୍ଳ କର ଫାଉଣ୍ଡେସନ, ଅକ୍ଷୟ ମହାନ୍ତି ଫାଉଣ୍ଡେସନ, ମୂର୍ଚ୍ଚନା, ରୋଟାରୀ କ୍ଲବ ଆଦି ସମ୍ମାନ ପାଇଛନ୍ତି । ମାତ୍ର ତେର ବୟସରେ ଇଣ୍ଡିଆନ ଆଇଡଲ ଜୁନିଅର-୨ ଟ୍ରଫି ହାସଲ କରି ସେ ଓଡ଼ିଶା ପାଇଁ ଗୌରବ ଆଣିଦେଇଥିଲେ । ଏହାପରେ ତାଙ୍କୁ ୨୦୧୯ରେ କଲର୍ସ ଟିଭିର ରାଇଜିଂ ଷ୍ଟାରରେ ଦେଖିବାକୁ ମିଳିଥିଲା ଯେଉଁଠାରେ ସେ ଟପ ୫ ପ୍ରତିଯୋଗୀଙ୍କ ଭିତରେ ସ୍ଥାନ ପାଇଥିଲେ । ସେହିଭଳି ତାଙ୍କ କଣ୍ଠ ସ୍ବର ଓଡ଼ିଶା ଓ ବଲିଉଡର ଅନେକ ଫିଲ୍ମରେ ଶୁଣିବାକୁ ମିଳିଛି । ସେ ପ୍ରଥମ କରି ଏମ ଏସ ଧୋନି ଅଲଟୋଲ୍ଡ ଷ୍ଟୋରୀରୁ ନିଜର ଡେବ୍ୟୁ କରିଥିଲେ । ସେହିଭଳି ଓଡ଼ିଶାର ଅନେକ ଫିଲ୍ମ ଯେପରି ବେବି, ଅଗସ୍ତ୍ୟା, ତୁ ମୋ ଲଭ ଷ୍ଟୋରୀ, ରୋମିଓ ଜୁଏଲେଟ, ଅଭୟ ଆଦିରେ ଶୁଣିବାକୁ ମିଳିଛି । ଆଗକୁ ଦର୍ଶକ ତାଙ୍କୁ ଆହୁରି ଭଲଭଲ ଟ୍ରାକରେ ଶୁଣିବାକୁ ଆଶା ରଖିଛନ୍ତି ।

ରୀତୁରାଜ ମହାନ୍ତି

ଭାରତୀୟ ସଙ୍ଗୀତ ଜଗତରେ ନିଜ ସଙ୍ଗୀତ ଦ୍ୱାରା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଣ୍ଠଶିଳ୍ପୀ ହେଉଛନ୍ତି ରୀତୁରାଜ ମହାନ୍ତି । ଓଡ଼ିଶାର ନାଁକୁ ଏକ ଭିନ୍ନ ଶୈଳୀର ସଙ୍ଗୀତରେ ଖୁବ ଆଗକୁ ନେଇଥିଲେ ରୀତୁରାଜ । ଚର୍ଚ୍ଚିତ ରିଆଲିଟି ଶୋ' 'ଇଣ୍ଡିଆଜ୍ ର' ଷ୍ଟାର୍'ର ବିଜେତା ହୋଇ ସେ ଦେଶବ୍ୟାପୀ ଅପାର ସଫଳତା ଓ ଭଲପାଇବା ହାସଲ କରିଛନ୍ତି । ସଙ୍ଗୀତ କ୍ଷେତ୍ରରେ ତାଙ୍କର ଏହି ସଫଳତା ପଛରେ ରହିଛି କଠିନ ସଂଘର୍ଷ, ପରିବାରର ଆଶୀର୍ବାଦ ଏବଂ କେବେ ହାର୍ ନମାନିବାର ଜିଦ୍ । ରୀତୁରାଜଙ୍କ ଜନ୍ମ ଓଡ଼ିଶାର ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ସହରରେ । ସେ ପିତା ଚକ୍ରଧର ମହାନ୍ତି ଏବଂ ମାତା ପ୍ରଭାତୀ ମହାନ୍ତିଙ୍କର ଜ୍ୟେଷ୍ଠ ପୁତ୍ର । ତାଙ୍କ ପରିବାରରେ ସଙ୍ଗୀତର ଏକ ଗଭୀର ପରମ୍ପରା ରହିଛି । ତାଙ୍କ ପିତା ଚକ୍ରଧର ମହାନ୍ତି ପେଶାରେ ଜଣେ ତବଲା ବାଦକ ଏବଂ ଯାତ୍ରା ଜଗତର ଜଣେ ଗାୟକ । ଏତଦ୍ବ୍ୟତୀତ ତାଙ୍କ ଜ୍ୟେଷ୍ଠ ଦାଦାଙ୍କ ପୁଅ ସୁମନ୍ତ ମହାନ୍ତି ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପର ଜଣେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ପରିବାରର ଏହି ସଙ୍ଗୀତମୟ ପରିବେଶରୁ ସେ ଗାୟକୀର ପ୍ରେରଣା ପାଇଥିଲେ । ସଙ୍ଗୀତ ପ୍ରତି ଥିବା ନିଜର ଭଲପାଇବା ପାଇଁ ରୀତୁରାଜ ଭୁବନେଶ୍ୱରସ୍ଥିତ ପ୍ରସିଦ୍ଧ 'ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ'ରୁ ଓଡ଼ିଶୀ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ । ତେବେ ତାଙ୍କ ଜୀବନରେ ଏକ ବଡ଼ ଦୁର୍ଘଟଣା ଘଟିବା ପରେ ସେ କିଛି ସମୟ ପାଇଁ ସଙ୍ଗୀତ ଛାଡ଼ିଦେବାକୁ ବାଧ୍ୟ ହୋଇଥିଲେ । ଏହାପରେ ସେ ବୃତ୍ତିଗତ କାମ ଅନ୍ୱେଷଣରେ ମୁମ୍ବାଇ ଚାଲିଯାଇଥିଲେ । ପରବର୍ତ୍ତୀ ସମୟରେ 'ଇଣ୍ଡିଆଜ୍ ର' ଷ୍ଟାର୍' ଶୋ' ମାଧ୍ୟମରେ ସେ ଦୀର୍ଘ ଦିନ ପରେ ପୁଣି ସଙ୍ଗୀତକୁ ଫେରିଥିଲେ । ମୁମ୍ବାଇରେ ରୀତୁରାଜ ଜଣେ ବୃତ୍ତିଗତ ଗାୟକ ଭାବେ ନିଜକୁ ସ୍ଥାପିତ କରିବା ପାଇଁ ନିରନ୍ତର ଚେଷ୍ଟା ଜାରି ରଖିଥିଲେ । ସଙ୍ଗୀତ କ୍ଷେତ୍ରରେ ତାଙ୍କୁ ପ୍ରଥମ ବଡ଼ ବ୍ରେକ୍ ମିଳିଥିଲା ଚର୍ଚ୍ଚିତ ଟେଲିଭିଜନ ଶୋ' 'ସତ୍ୟମେବ ଜୟତେ' (ସିଜନ୍-୨)ର "ଆମ୍ କେ ଆମ୍ ହୋଙ୍ଗେ" ଗୀତ ମାଧ୍ୟମରେ । ଏହାପରେ ୨୦୧୪ ମସିହାରେ ବଲିଉଡ୍ ସିନେମା 'ଭୂତନାଥ ରିଟର୍ନ୍ସ'ରେ "ସାହିବ" ଗୀତ ଗାଇ ସେ ଦର୍ଶକଙ୍କ ମନ ଜିତିଥିଲେ । ସେହିବର୍ଷ ୨୦୧୪ରେ ଅନୁଷ୍ଠିତ 'ଇଣ୍ଡିଆଜ୍ ର' ଷ୍ଟାର୍' ପ୍ରତିଯୋଗିତାରେ ଶ୍ରେଷ୍ଠ ତିନି ପ୍ରତିଯୋଗୀଙ୍କ ମଧ୍ୟରୁ ଅନ୍ୟତମ ଭାବେ ସ୍ଥାନ ପାଇବା ସହ ସେ ଏହି ସୋ'ର ବିଜେତା ହୋଇଥିଲେ । ଏହି ବିଜୟ ତାଙ୍କୁ ବଲିଉଡ୍ ସଙ୍ଗୀତ ଜଗତରେ ଏକ ନୂଆ ପରିଚୟ ଦେଇଥିଲା । ଏହାପରେ ସେ ଅନେକ ପ୍ରୋଜେକ୍ଟ କାମ କରିଛନ୍ତି ।   ନିଜର ଆତ୍ମବିଶ୍ୱାସ ଓ ମିଠା କଣ୍ଠଯାଦୁ ବଳରେ ରୀତୁରାଜ ଆଜି ଅନେକ ନବାଗତ ସଙ୍ଗୀତ ସାଧକଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହୋଇପାରିଛନ୍ତି । ସେ ନିଜର ଆବେଗପୂର୍ଣ୍ଣ ସଙ୍ଗୀତ ଦ୍ୱାରା ବଲିଉଡ୍, ଆଞ୍ଚଳିକ ସିନେମା ଏବଂ ସ୍ୱାଧୀନ ସଙ୍ଗୀତ ଜଗତରେ ଏକ ପ୍ରଭାବଶାଳୀ ପରିଚୟ ସୃଷ୍ଟି କରିଛନ୍ତି । ସେ 'ସତ୍ୟମେବ ଜୟତେ'ର "ଆମ୍ କେ ଆମ୍ ହୋଙ୍ଗେ" ଏବଂ 'ଭୂତନାଥ ରିଟର୍ନ୍ସ'ର "ସାହିବ" ଗୀତରୁ ନିଜର ସଫଳ ଯାତ୍ରା ଆରମ୍ଭ କରି ପରବର୍ତ୍ତୀ ସମୟରେ 'ଶେରଦିଲ୍: ଦି ପିଲିଭିତ୍ ସାଗା'ର "ଧୂପ ପାନି ବହନେ ଦେ", 'ବଙ୍ଗିସ୍ତାନ'ର "ଈଶ୍ୱର ମୌଲା", 'ତେରା ସୁରୁର'ର "ଅଧୁରୀ ଜିନ୍ଦଗୀ ହୈ", 'ବୁଧିଆ ସିଂ - ବର୍ନ୍ ଟୁ ରନ୍'ର "ସୁନା ପୁଅ ଦୌଡ଼ ଦୌଡ଼", 'ହାତୀ ମେରେ ସାଥୀ'ର "ଶୁକ୍ରିୟା" ଏବଂ ଓଟିଟି ସିରିଜ୍ 'ମେଡ୍ ଇନ୍ ହେଭେନ୍'ର "ଜିୟା ଯାଏ" ପରି ଅନେକ ବହୁଚର୍ଚ୍ଚିତ ଗୀତରେ କଣ୍ଠଦାନ କରିଛନ୍ତି । ଏହାସହ ସେ  ଆଲବମ୍ ଏବଂ ଗୁଜରାଟୀ ସିନେମାରେ ମଧ୍ୟ ଗୀତଗାଇ ନିଜର ବହୁମୁଖୀ ପ୍ରତିଭାର ପରିଚୟ ଦେଇଛନ୍ତି । ଓଡ଼ିଆ ସଙ୍ଗୀତ ଜଗତରେ ସୁନାମଧନ୍ୟ ଚଳଚ୍ଚିତ୍ର 'ଦମନ୍'ର ଟାଇଟଲ୍ ସଙ୍ଗ୍, 'ସିଷ୍ଟର ଶ୍ରୀଦେବୀ'ର "ଓ ସୁନୟନା", 'କୁହୁଡ଼ି'ର "ସତ୍ୟମେବ ଜୟତେ" ଏବଂ 'ଭୁଲିଯିବି ତୋତେ' ଆଲବମ୍ର "ଜେବେଠୁ ଦେଖିଲି" ଓ "ତୁ ଆସିଲେ କଲେଜ" ପରି ଅତ୍ୟନ୍ତ ଜନପ୍ରିୟ ଗୀତଗୁଡ଼ିକରେ କଣ୍ଠଦାନ କରି ସେ ନିଜ ସଫଳତାର ସ୍ୱାକ୍ଷର ଛାଡ଼ିଛନ୍ତି ।

ବର୍ଣ୍ଣାଳୀ ହୋତା

ଆଶା ଏବଂ ସ୍ୱପ୍ନର କୌଣସି ସୀମା ନଥାଏ, ଯେତେବେଳେ ତାହାକୁ ପୂରଣ କରିବା ପାଇଁ ହୃଦୟରେ ଦୃଢ଼ ଇଚ୍ଛାଶକ୍ତି ଥାଏ । ଓଡ଼ିଶାର ମାଟି ଅନେକ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ଜନ୍ମ ଦେଇଛି, ଯାହାଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଜଣାଶୁଣା କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା । ଆଜିକାଲିର ଅନେକ ଗାୟକ ଭିନ୍ନ ଭିନ୍ନ ଶୈଳୀର ଗୀତ ଗାଇବାକୁ ପସନ୍ଦ କରୁଥିବା ବେଳେ ଲୋକସଙ୍ଗୀତ ଅନେକ ସମୟରେ ପଛରେ ପଡ଼ିଯାଏ । ତେବେ ବର୍ଣ୍ଣାଳୀ ନିଜର ମିଠା ସ୍ୱର ଯାଦୁରେ ଓଡ଼ିଆ ଲୋକକଳା ଓ ଲୋକସଙ୍ଗୀତକୁ ସମ୍ମୁଖକୁ ଆଣିବା ସହ ଏହାକୁ ନିଜର ଆତ୍ମା ଏବଂ ଗର୍ବର ବିଷୟ ଭାବେ ଗ୍ରହଣ କରିଛନ୍ତି । ମାତ୍ର ୧୧ ବର୍ଷର ବୟସରୁ, ସେ ସଙ୍ଗୀତ କ୍ଷେତ୍ରରେ ନିଜର ପ୍ରଥମ ପାଦ ଥାପିଥିଲେ । ଛୋଟବେଳୁ ସଙ୍ଗୀତ ପ୍ରତି ବର୍ଣ୍ଣାଳୀଙ୍କର ଗଭୀର ରୁଚି ଥିଲା । ସେ ସେହି ସମୟର ଜନପ୍ରିୟ ଧାରାବାହିକ 'କସୌଟି ଜିନ୍ଦଗୀ କି' ଏବଂ 'କୁମ୍କୁମ୍ ଭାଗ୍ୟ'ର ଗୀତଗୁଡ଼ିକୁ ଘରେ ସହଜରେ ଗାଇପାରୁଥିଲେ । ଝିଅର ଏହି ପ୍ରତିଭାକୁ ଦେଖି ତାଙ୍କ ବାପା-ମାଆ ତାଙ୍କୁ ଜଣେ ସଙ୍ଗୀତ ଗୁରୁଙ୍କ ନିକଟରେ ତାଲିମ ଦେବାକୁ ନିଷ୍ପତ୍ତି ନେଇଥିଲେ । ସ୍ୱର୍ଗତଃ ଶାନ୍ତିଲତା ବାରିକ ବର୍ଣ୍ଣାଳୀଙ୍କ ଗୁରୁ ଭାବେ ତାଙ୍କୁ ଆପଣେଇ ନେଇଥିଲେ ଏବଂ ଜଣେ ମା' ପରି ସ୍ନେହ ଦେଇ ତାଙ୍କ ଗାୟକୀକୁ ସୁଧାରିବାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିଥିଲେ। ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ ବର୍ଣ୍ଣାଳୀ ଜାତୀୟ ଟେଲିଭିଜନ୍ ଶୋ' 'ସା ରେ ଗା ମା ପା ଲିଟିଲ୍ ଚାମ୍ପସ୍'ରେ ଅଡିସନ୍ ଦେଇ ମନୋନୀତ ହୋଇଥିଲେ ଏବଂ ଶ୍ରେଷ୍ଠ ୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ଏହି ଶୋ' ପରେ ତାଙ୍କ କ୍ୟାରିୟରରେ ୟୁଟର୍ଣ୍ଣ ଆସିଥିଲା । ସେ ଆଦନାନ ସାମିଙ୍କ ପରି ନାମୀ କଳାକାରଙ୍କ ସହ ଦକ୍ଷିଣ ଆଫ୍ରିକା ସମେତ ବିଦେଶ ଗସ୍ତ କରି ଗୀତ ଗାଇବାର ସୁଯୋଗ ପାଇଥିଲେ । ତେବେ ପ୍ରତ୍ୟେକ ସଫଳତା ପଛରେ ସଂଘର୍ଷ ଥିବା ପରି, ବର୍ଣ୍ଣାଳୀଙ୍କ ଜୀବନରେ ମଧ୍ୟ ବାଧାବିଘ୍ନ ଆସିଥିଲା । 'ଜୀ ଟିଭି' ପକ୍ଷରୁ ତାଙ୍କୁ ପ୍ଲେ ବ୍ୟାକ ସିଙ୍ଗର ଭାବେ ସୁଯୋଗ ମିଳିଥିଲେ ବି ଚୁକ୍ତି କାର୍ଯ୍ୟକାରୀ ହୋଇପାରିନଥିଲା। କମ୍ପାନୀ ଅଧିକ ପାରିଶ୍ରମିକ ଦାବି କରୁଥିବା ବେଳେ ବର୍ଣ୍ଣାଳୀଙ୍କ ସ୍ୱରର ଗାମ୍ଭୀର୍ଯ୍ୟ ପ୍ଲେବ୍ୟାକ୍ ଗାୟକୀ ପାଇଁ ଉପଯୁକ୍ତ ନୁହେଁ ବୋଲି କୁହାଯାଇଥିଲା। ଏପରିକି ବର୍ଣ୍ଣାଳୀ ଅଧିକ ପାରିଶ୍ରମିକ ମାଗୁଛନ୍ତି ବୋଲି କିଛି ଗୁଜବ ମଧ୍ୟ ସୃଷ୍ଟି ହୋଇଥିଲା । ଏସବୁ ସତ୍ତ୍ୱେ ବର୍ଣ୍ଣାଳୀ ନିଜର ଧୈର୍ଯ୍ୟ ଓ ଉତ୍ସାହ ହରାଇନଥିଲେ । ସେ ଓଲିଉଡ୍ର ଅନେକ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସେ 'ଅମୃତ କଳଶ' ପ୍ରୋଗ୍ରାମରେ ଓଡ଼ିଶାର ଲୋକସଙ୍ଗୀତ ପରିବେଷଣ କରି ପ୍ରଶଂସିତ ହୋଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଗାଇଥିବା "ବଜାରେ ବଜା ବାଲା" ଏବଂ "ଦେଖା ଲୋ ସଙ୍ଗାତ" ଗୀତ ଦୁଇଟି ସୋସିଆଲ ମିଡିଆରେ ଭାଇରାଲ ହୋଇ ଓଡ଼ିଆ ଲୋକସଙ୍ଗୀତର ପ୍ରକୃତ ମହକ ସମସ୍ତଙ୍କ ପାଖରେ ପହଞ୍ଚାଇଥିଲା । ରିଆଲିଟି ଶୋ' ବ୍ୟତୀତ ମାତ୍ର ୧୭ ବର୍ଷ ବୟସରେ ସେ ଦୁଇଟି ସଙ୍ଗୀତ ଆଲବମ୍ରେ କାମ କରିସାରିଥିଲେ । ଏହାଛଡ଼ା ବାଂଲାଦେଶୀ ଚଳଚ୍ଚିତ୍ର ଶିଳ୍ପରେ ଗୀତ ଗାଇ ପ୍ରଥମ ଓଡ଼ିଆ ଗାୟିକା ଭାବେ ସେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ନୂଆଦିଲ୍ଲୀରେ ଆୟୋଜିତ ସାଂସ୍କୃତିକ ମହୋତ୍ସବ 'ଓଡ଼ିଶା ପର୍ବ'ରେ ମଧ୍ୟ ସେ ନିଜ ସଙ୍ଗୀତ ପରିବେଷଣ ଦ୍ୱାରା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଓଡ଼ିଶାର ସଂସ୍କୃତିକୁ ଗୌରବାନ୍ୱିତ କରିଛନ୍ତି ।

ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍

କେବଳ ସଙ୍ଗୀତ ନୁହେଁ ନୃତ୍ୟରେ ବି ଓଡ଼ିଶାର ଏକ ଡ୍ୟାନ୍ସ ଗ୍ରୁପ ରହିଛି ଯାହା ଓଡ଼ିଶାର ନାଁକୁ ଜାତୀୟସ୍ତରରେ ପରିଚିତ କରାଇ ପାରିଛି, ତାହାହେଲା  ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ନିକଟସ୍ଥ ଆମ୍ବପୁଆ ଗାଁର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ।  'କଲର୍ସ ଟିଭି' ଚ୍ୟାନେଲର ଚର୍ଚ୍ଚିତ ରିଆଲିଟି ଶୋ' 'ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ'ର ପ୍ରଥମ ସିଜନ୍ରେ ଭାଗ ନେଇ ଏହି ଦଳ ଚୂଡ଼ାନ୍ତ ପର୍ଯ୍ୟାୟର ୧୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଥିଲା । ୨୦ ଜଣ ସଦସ୍ୟଙ୍କୁ ନେଇ ଗଠିତ ଏହି ନୃତ୍ୟ ଗ୍ରୁପ୍ର ନେତୃତ୍ୱ କୃଷ୍ଣ ମୋହନ ରେଡ୍ଡୀ ନେଇଥିଲେ, ଯିଏ ନିଜେ ଏହି ଦଳର ସଂସ୍ଥାପକ ଏବଂ କୋରିଅଗ୍ରାଫର। କୃଷ୍ଣ ମୋହନ ରେଡ୍ଡୀ ହେଉଛନ୍ତି 'ଇଣ୍ଡିଆନ୍ ରେୟାର ଆର୍ଥସ'ର କର୍ମଚାରୀ ଟି. ଗୋପାଳ ରେଡ୍ଡୀଙ୍କ ସାନ ଭାଇ। ଏହି ଗ୍ରୁପ୍ର ଅଧିକାଂଶ ସଦସ୍ୟ ଦିନମଜୁରିଆ କାମ କରୁଥିବା ଶ୍ରମିକ ଥିଲେ ଏବଂ ପଦ୍ମନାଭ ସାହୁ  ଓ ତେଲୁ ତାରିଣୀ  ନାମକ ଦୁଇଜଣ ସଦସ୍ୟ ଶାରୀରିକ ଭାବେ ଭିନ୍ନକ୍ଷମ ଥିଲେ । ଏହି ଗ୍ରୁପ 'ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ' ପୂର୍ବରୁ ଏହି ଗ୍ରୁପ୍ 'ସୋନି ଟିଭି'ର ଲୋକପ୍ରିୟ ଡ୍ୟାନ୍ସ ଶୋ' 'ବୁଗି ୱୁଗି'ରେ ମଧ୍ୟ ଭାଗ ନେଇସାରିଥିଲା । 'ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ'ର ବିଚାରକ ମଣ୍ଡଳୀରେ ବଲିଉଡ୍ ନିର୍ଦ୍ଦେଶକ ଶେଖର କପୁର, ଅଭିନେତ୍ରୀ କିରଣ ଖେର ଓ ସୋନାଲୀ ବେନ୍ଦ୍ରେ ଥିବା ବେଳେ, ସମସ୍ତେ ଏହାର ନୃତ୍ୟକୁ ଖୁବ ପ୍ରଶଂସା କରିଥିଲେ । ଫାଇନାଲରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ଭଗବାନ ବିଷ୍ଣୁଙ୍କ "ଦଶାବତାର" କଥାବସ୍ତୁ ଉପରେ ଏକ ଅଭୂତପୂର୍ବ ନୃତ୍ୟ ପରିବେଷଣ କରିଥିଲେ । ଏହି ପ୍ରଦର୍ଶନ ସମୟରେ ଗ୍ରୁପ୍ର ସମସ୍ତ ସଦସ୍ୟ ନିଜ ସାରା ଶରୀରରେ ଚମକଦାର ରଙ୍ଗ ଲଗାଇଥିଲେ ଏବଂ କୃଷ୍ଣ ମୋହନ ରେଡ୍ଡୀ ନିଜେ ଭଗବାନ ବିଷ୍ଣୁଙ୍କ ଭୂମିକାରେ ଅଭିନୟ କରିଥିଲେ । ଏହି ପ୍ରତିଯୋଗିତାରେ ବିଜେତା ଭାବେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଏବଂ ଏକ ମାରୁତି ରିଟ୍ଜ୍ କାର୍ ପ୍ରଦାନ କରାଯାଇଥିଲା । ଏହାବ୍ୟତୀତ ସେମାନଙ୍କର ଏହି ଅସାଧାରଣ ସଫଳତା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ୧ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିଲା ।

ସୋହିନୀ ମିଶ୍ର

ସୋହିନୀ ମିଶ୍ର ଜଣେ ପ୍ରଚ୍ଛଦପଟ ଓଡ଼ିଆ ଗାୟିକା ଯିଏ ଜାତୀୟସ୍ତରରେ ନିଜ ନାଁକୁ ପରିଚିତ କରାଇଛନ୍ତି । ୨୦୧୨ ମସିହାରେ ସୋନି ଟିଭିରେ ପ୍ରସାରିତ ଇଣ୍ଡିଆନ୍ ଆଇଡଲ୍ର ୬ଷ୍ଠ ସସ୍କରଣରେ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା । ଏହି କାର୍ଯ୍ୟକ୍ରମରେ ସେ ଶ୍ରେଷ୍ଠ ୬ଜଣଙ୍କ ଭିତରେ ସ୍ଥାନ ପାଇଥିଲେ । ସେ ଏକାଧିକ ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ଗାଇଛନ୍ତି । ସୋହିନୀ ମିଶ୍ରଙ୍କ ଘର କଟକ ଜିଲ୍ଲାରେ । ସୋହିନୀଙ୍କ ବାପା ଅନନ୍ତ ଚରଣ ମିଶ୍ର ଏବଂ ମାଆ ପ୍ରମିଳା ମିଶ୍ର। ତାଙ୍କ ବାପା ଓ ମାଆ ଉଭୟ ଗୀତିକାର । ତାଙ୍କ ବାପା ହେଉଛନ୍ତି ଜଣେ ଶିକ୍ଷକ । ସୋହିନୀ ମିଶ୍ର ପାଞ୍ଚ ବର୍ଷ ବୟସରୁ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ। ୮ବର୍ଷ ବୟସରୁ ଶାସ୍ତ୍ରୀୟ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ ।

ରାଜସ୍ମିତା କର

ଜୀ ଟିଭିରେ ପ୍ରସାରିତ ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ସୋ 'ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ' ର ବିଜେତା ଭାବେ ଖ୍ୟାତି ଅର୍ଜନ କରିଥିବା ରାଜସ୍ମିତା କର ହେଉଛନ୍ତି ଜଣେ ଜଣାଶୁଣା ଭାରତୀୟ ନୃତ୍ୟଶିଳ୍ପୀ । ରାଜସ୍ମିତାଙ୍କର ଜନ୍ମ ଓଡ଼ିଶାର ରାଉରକେଲାରେ ହୋଇଥିଲା । ସେ ନୃତ୍ୟ ମାଧ୍ୟମରେ ଓଡ଼ିଶାର ନାଁକୁ ଖୁବ ଆଗରେ ପହଞ୍ଚାଇଛନ୍ତି । ମାତ୍ର ତିନି ବର୍ଷ ବୟସରୁ ରାଜସ୍ମିତା ତାଙ୍କ ଗୁରୁ ଅମନଙ୍କଠାରୁ ତାଲିମ ନେଇ ପ୍ରଥମେ ତରଙ୍ଗ ଟିଭିର ରିଆଲିଟି ସୋ 'ମ୍ୟାଗି ଧୁମ୍ ମଚାଲେ'ରେ ଭାଗ ନେଇ ଫାଇନାଲରେ ପହଞ୍ଚିଥିଲେ । ପରବର୍ତ୍ତୀ ସମୟରେ, କୋଲକାତାରେ ଆୟୋଜିତ 'ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ'ର ପୂର୍ବାଞ୍ଚଳ ଅଡିସନରେ ହଜାର ହଜାର ପ୍ରତିଯୋଗୀଙ୍କ ମଧ୍ୟରୁ ସେ ମନୋନୀତ ହୋଇ ଶୀର୍ଷ ୧୦୦ ଜଣ ନୃତ୍ୟଶିଳ୍ପୀଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ଏହାପରେ କୋଟି କୋଟି ଦର୍ଶକଙ୍କ ନିକଟରୁ ୪,୫୮,୯୩୦ ଭୋଟ ପାଇ ଶେଷରେ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ । ଡିଆଇଡି ବିଜୟ ପରେ  ସେ ଆନ୍ତର୍ଜାତୀୟ ମ୍ୟୁଜିକାଲ ଥୀଏଟର ବ୍ରଡୱେ ସୋ 'ଭାରତୀ ୨'ରେ ପ୍ରମୁଖ କଳାକାର ଭାବେ ଭାରତର ପ୍ରତିନିଧିତ୍ୱ କରି ବିଶ୍ୱର ୨୦ଟି ଦେଶର ୧୦୦ରୁ ଅଧିକ ସହରରେ ନିଜର ନୃତ୍ୟ ପରିବେଷଣ କରିଥିଲେ । ଓଡ଼ିଶାରେ ନିଜର ନୃତ୍ୟ ଏକାଡେମୀ ପ୍ରତିଷ୍ଠା କରିବା ସହ ଦେଶର ବିଭିନ୍ନ ପ୍ରାନ୍ତର ବିଦ୍ୟାର୍ଥୀଙ୍କ ପାଇଁ ନୃତ୍ୟ କର୍ମଶାଳା ଆୟୋଜନ କରିଥିବା ରାଜସ୍ମିତା, ଜୀ ସାର୍ଥକ ଚ୍ୟାନେଲର 'ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ସୁପର ମମ୍ସ' (୨୦୧୮), 'ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ଲିଟିଲ ମାଷ୍ଟର' (୨୦୧୯ ଓ ୨୦୨୦) ଏବଂ 'ଡ୍ୟାନ୍ସ ଯୋଡ଼ି ଡ୍ୟାନ୍ସ'ରେ ନିରନ୍ତର ବିଚାରକ ଭାବେ କାର୍ଯ୍ୟ କରିଛନ୍ତି । ବଲିଉଡ ଓ ଓଲିଉଡ ଇଣ୍ଡଷ୍ଟ୍ରି ସହିତ ନିଜ ୟୁଟ୍ୟୁବ ଚ୍ୟାନେଲ ପାଇଁ ଅନେକ ମ୍ୟୁଜିକ ଭିଡିଓ ଓ ଡ୍ୟାନ୍ସ କଭରରେ ଅଭିନୟ କରିଛନ୍ତି ।

Tags: