ନକଲି ଅଣ୍ଡାରୁ ଅସଲି ଛୁଆ
ଆମେରିକାର ବାୟୋଟେକ୍ କମ୍ପାନୀ 'କୋଲୋସଲ ବାୟୋସାଇନ୍ସେସ୍' ଏକ କୃତ୍ରିମ ବା ନକଲି ଅଣ୍ଡା ପ୍ରସ୍ତୁତ କରିଛି, ଯେଉଁଥିରୁ ପ୍ରକୃତ ଜୀବନ୍ତ କୁକୁଡ଼ା ଛୁଆ ଜନ୍ମ ନେଇଛନ୍ତି । ଏହି ପ୍ରକ୍ରିୟା ପାଇଁ କମ୍ପାନୀ ଏକ ସ୍ୱତନ୍ତ୍ର କୃତ୍ରିମ ଅଣ୍ଡା ପ୍ରଣାଳୀ ତିଆରି କରିଛି, ଯେଉଁଠାରେ ଭ୍ରୂଣକୁ ଲ୍ୟାବ୍ରେ ବିକଶିତ କରାଯାଇଛି। ଏହି କୃତ୍ରିମ ଅଣ୍ଡାଟି ପ୍ରାକୃତିକ ଅଣ୍ଡା ଭଳି ଭିତରକୁ ଅମ୍ଳଜାନ ପହଞ୍ଚାଇଥାଏ, ଯାହାଦ୍ୱାରା ଛୁଆଟି ସାଧାରଣ ଭାବେ ବଢ଼ିପାରେ । ଏହା ସମ୍ପୂର୍ଣ୍ଣ ସ୍ୱଚ୍ଛ ବା ପାରଦର୍ଶୀ ହୋଇଥିବାରୁ ବୈଜ୍ଞାନିକମାନେ ବାହାରୁ ହିଁ ଭ୍ରୂଣର ବିକାଶକୁ ସହଜରେ ଦେଖିପାରୁଛନ୍ତି । କମ୍ପାନୀର ସୂଚନା ଅନୁଯାୟୀ, ଏହି ଅଭିନବ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଏପର୍ଯ୍ୟନ୍ତ ୨୬ଟି ସୁସ୍ଥ କୁକୁଡ଼ା ଛୁଆ ଜନ୍ମ ହୋଇସାରିଛନ୍ତି । ଯେଉଁଥିପାଇଁ କୌଣସି ମାଈ କୁକୁଡ଼ା କିମ୍ବା ପ୍ରାକୃତିକ ଅଣ୍ଡାର ଆବଶ୍ୟକତା ପଡ଼ିନାହିଁ । ବିଶେଷ କରି ନ୍ୟୁଜିଲ୍ୟାଣ୍ଡରେ ମିଳୁଥିବା, ପ୍ରାୟ ୧୨ ଫୁଟ ଲମ୍ବା ଏବଂ ୨୦୦ କିଲୋରୁ ଅଧିକ ଓଜନ ବିଶିଷ୍ଟ ବିଲୁପ୍ତ ହୋଇଯାଇଥିବା ବିଶାଳ ପକ୍ଷୀ 'ମୋଆ' କୁ ପୁଣିଥରେ ପୃଥିବୀକୁ ଫେରାଇ ଆଣିବା ପ୍ରୋଜେକ୍ଟ ଉପରେ କାମ କରିବା ପାଇଁ ବୈଜ୍ଞାନିକମାନେ ଏହି ନକଲି ଅଣ୍ଡା ପ୍ରସ୍ତୁତ କରୁଛନ୍ତି ।



