ବିରଳ ଜୈବବିବିଧତା

ବିରଳ ଜୈବବିବିଧତା
Ipsita Picture
By: Ipsita
Published On

 

ସାରା ପୃଥିବୀରେ ଏମିତି ଅନେକ ଦେଶ ଅଛନ୍ତି ଯେଉଁଠାରେ ସିଂହ ଦେଖାଯାନ୍ତି ଏବଂ ଏମିତି ମଧ୍ୟ ଅନେକ ଦେଶ ଅଛନ୍ତି ଯେଉଁଠାରେ ବାଘ ବାସ କରନ୍ତି । ହେଲେ ଭାରତ ହେଉଛି ବିଶ୍ୱର ଏକମାତ୍ର ଏପରି ଦେଶ ଯେଉଁଠାରେ ଏହି ଦୁଇ ପ୍ରକାରର ମହାବଳୀ ବନ୍ୟଜନ୍ତୁ  ପ୍ରାକୃତିକ ପରିବେଶରେ ଏକାଠି ବାସ କରୁଛନ୍ତି । ଇଣ୍ଟରନ୍ୟାସନାଲ ୟୁନିଅନ ଫର କଞ୍ଜରଭେସନ ଅଫ ନେଚରର ରିପୋର୍ଟ ଅନୁଯାୟୀ, ସାଧାରଣତଃ ସିଂହକୁ ଆଫ୍ରିକାର ସାଭାନା ତୃଣଭୂମି ଏବଂ ବାଘକୁ ଏସିଆର ଘଞ୍ଚ ଜଙ୍ଗଲ ସହିତ ଯୋଡ଼ା ଯାଉଥିବାରୁ ଏହି ଦୁଇ ବିରଳ ପ୍ରଜାତି ଗୋଟିଏ ଦେଶରେ ମିଳିବା କଥାଟି ବହୁତ କମ୍ ଲୋକ ଜାଣନ୍ତି । ଭାରତରେ ମିଳୁଥିବା ସିଂହଗୁଡ଼ିକ ଏକ ବିରଳ ପ୍ରଜାତିର ଏସୀୟ ସିଂହ ଅଟନ୍ତି, ଯେଉଁମାନେ ମୁଖ୍ୟତଃ ଗୁଜରାଟର ଗିର୍ ଜାତୀୟ ଉଦ୍ୟାନ ଓ ଏହାର ଆଖପାଖ ଅଞ୍ଚଳରେ ଦେଖାଯାନ୍ତି ।  ୨୦୨୦ ଗଣନା ସୁଦ୍ଧା ଏହି ସିଂହ ସଂଖ୍ୟା ୬୭୦ ଅତିକ୍ରମ କରିଛି ।  ଅନ୍ୟପଟେ, ବେଙ୍ଗଲ ଟାଇଗର ବା ମହାବଳ ବାଘଙ୍କ କାହାଣୀ ସାମାନ୍ୟ ଭିନ୍ନ, ଯେଉଁଠି ଜଙ୍ଗଲ କ୍ଷୟ ଓ ଶିକାର ଯୋଗୁଁ ସଙ୍କଟରେ ପଡ଼ିଥିବା ବାଘ ବଂଶକୁ ବଞ୍ଚାଇବା ପାଇଁ ୧୯୭୩ ମସିହାରେ  'ପ୍ରୋଜେକ୍ଟ ଟାଇଗର' ଆରମ୍ଭ କରାଯାଇଥିଲା । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସାରା ବିଶ୍ୱର ପ୍ରାୟ ୭୫ ପ୍ରତିଶତ ବନ୍ୟ ବାଘ କେବଳ ଭାରତରେ ରହିଛନ୍ତି । ଯେଉଁମାନେ ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ଆସାମ , ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଭଳି ବିଭିନ୍ନ ରାଜ୍ୟର ଅଭୟାରଣ୍ୟ ତଥା ମୁକ୍ତ ଜଙ୍ଗଲରେ ସୁରକ୍ଷିତ ଭାବେ ବିଚରଣ କରୁଛନ୍ତି ।

Tags: