ବସୁମତି ସ୍ନାନ

ବସୁମତି ସ୍ନାନ
Ipsita Picture
By: Ipsita
Published On


ବେଶ୍‌ ମଉଜ ମଜଲିସ୍‌ରେ ସରିଯାଇଛି ରଜ । ଏହି ତିନିଦିନକୁ ବେଶ୍‌ ମନଭରି ଉପଭୋଗ କରିଛନ୍ତି ଓଡିଶାବାସୀମାନେ । କାମକାର୍ଯ୍ୟରୁ ବିରତି ନେଇ ରାଜ୍ୟର ଝିଅବୋହୂମାନେ ତିନିଦିନ ଧରି ଆନନ୍ଦ ଉଲ୍ଲାସରେ ଏହି ଉତ୍ସବକୁ ପାଳନ କରିଛନ୍ତି । ଦୋଳି ଖେଳିବା ସାଙ୍ଗକୁ ନାଚଗୀତ କରି ସେମାନଙ୍କର ଦିନଗୁଡିକ ବିତିଛି । ତିନିଦିନ ଧରି ରଜ ପାଳିବା ପରେ ଚତୁର୍ଥ ଦିନରେ ପଡେ ବସୁମତି ସ୍ନାନ। ଏହି ଦିନରେ ପାରମ୍ପରିକ ରୂପେ ଧରିତ୍ରୀ ମା’ଙ୍କୁ ପୂଜା କରାଯାଏ  ଶିଳପୁଆକୁ ଭୂଦେବୀ ମନେ କରି ମହିଳାମାନେ ଶିଳପୁଆ ଦେହରେ ହଳଦୀ, ଚନ୍ଦନ, ସିନ୍ଦୁର ଲଗାଇ ପୁଷ୍ପାଞ୍ଜଳି ଦେଇ ପୂଜା କରିଥାନ୍ତି। ଏହାସହ ମାଟି ମା’କୁ ବିଭିନ୍ନ ପ୍ରକାରର ଫଳ ଅର୍ପଣ କରନ୍ତି । ଏହା କେବଳ ଓଡିଶାରେ ପାଳନ କରାଯାଏ । ଚାଷୀକୂଳରେ ଏହି ଦିନକୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ । ଆଗକୁ ଚାଷ ଋତୁ ଆସୁଥିବାରୁ ଚାଷୀମାନେ ଭଲ ଫସଲ ପାଇଁ ପ୍ରାର୍ଥନା କରି ମାଟି ମା’ର ସ୍ୱତନ୍ତ୍ର ପୂଜା କରିଥାନ୍ତି । ଏହି ପର୍ବରେ ପୃଥିବୀକୁ ମାତା ରୂପେ ବିବେଚନା କରାଯାଇଥାଏ । ବର୍ଷା ଋତୁର ଆଗମନରେ ପୃଥିବୀମାତା ରଜସ୍ୱଳା ହେବା ସହିତ ନୂଆ ଶସ୍ୟ ଜନ୍ମ ହେବା ଆଶା ନେଇ ଚାଷୀମାନେ ଏହି ପୂଜା କରିଥାନ୍ତି । ଏହି ଦିନରେ ଚାଷୀମାନେ ବସୁମତୀ ମାତା ବା ଭୂଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ହଳଲଙ୍ଗଳକୁ ମଧ୍ୟ ପୂଜା କରନ୍ତି । ଆଷାଢ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ୤ ଯାହା ଫଳରେ ମାଟି ମା’ ରଜସ୍ୱଳା ହୋଇଥାଏ୤ ଜଣେ ମା’ ଯେଭଳି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ଠିକ୍‌ ସେହିପରି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା’କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ଲୋକବିଶ୍ୱାସ ରହିଛି  ଅର୍ଥାତ୍‌ ଏହି ତିନିଦିନ ଚାଷୀମାନେ ଚାଷକାର୍ଯ୍ୟରୁ ବିରତି ନେଇଥାନ୍ତି ।

Tags: