ଗ୍ରହରୁ ନିର୍ଗତ ହେଉଛି ରେଡିଓ ତରଙ୍ଗ

ଗ୍ରହରୁ ନିର୍ଗତ ହେଉଛି ରେଡିଓ ତରଙ୍ଗ
Ipsita Picture
By: Ipsita
Published On

 

ହାର୍ଭାର୍ଡ ଆଣ୍ଡ ସ୍ମିଥସୋନିଆନ୍ ସେଣ୍ଟର୍ ଫର୍ ଆଷ୍ଟ୍ରୋଫିଜିକ୍ସ ଏବଂ ଓରେଗନ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଆମ ସୌରମଣ୍ଡଳ ବାହାରେ ଥିବା 'ବେଟା ପିକ୍ଟୋରିସ୍ ବି' ନାମକ ଏକ ଗ୍ୟାସ୍ ଜାଏଣ୍ଟ୍ ଏକ୍ସୋପ୍ଲାନେଟରୁ ପ୍ରଥମ ଥର ପାଇଁ ବାରମ୍ବାର ନିର୍ଗତ ହେଉଥିବା ଏକ ଅଦ୍ଭୁତ ରେଡିଓ ସଙ୍କେତ ଠାବ କରିଛନ୍ତି । ପୃଥିବୀଠାରୁ ପ୍ରାୟ ୬୩ ଆଲୋକବର୍ଷ ଦୂରରେ ଅବସ୍ଥିତ ଏହି ଗ୍ରହଟି ଏକ ଏ-ଟାଇପ୍ ନକ୍ଷତ୍ରକୁ ପରିକ୍ରମା କରୁଛି । ନାସା ଅନୁସାରେ ଏହାର ଓଜନ ବୃହସ୍ପତି ଗ୍ରହଠାରୁ ୧୧.୭୨୯ ଗୁଣ ଅଧିକ । ସେହିପରି ଏହାର ଗୋଟିଏ ପରିକ୍ରମା ପାଇଁ ୨୩.୬ ବର୍ଷ ସମୟ ଲାଗିଥାଏ ଏବଂ ଏହା ନିଜ ନକ୍ଷତ୍ରଠାରୁ ୧୦.୦୧୮ ଏୟୁ ଦୂରତାରେ ଅବସ୍ଥିତ । ପୂର୍ବରୁ ଏହି ନକ୍ଷତ୍ର ମଣ୍ଡଳରୁ ରେଡିଓ ସଙ୍କେତ ମିଳୁଥିଲେ ବି ତାହା ନକ୍ଷତ୍ରରୁ ନା ଗ୍ରହରୁ ଆସୁଛି ତାହା ସ୍ପଷ୍ଟ ହୋଇନଥିବା ବେଳେ, ଦକ୍ଷିଣ ଆଫ୍ରିକାର ଶକ୍ତିଶାଳୀ ମୀରକ୍ୟାଟ୍ ରେଡିଓ ଟେଲିସ୍କୋପ୍ ସାହାଯ୍ୟରେ ବିଜ୍ଞାନୀମାନେ ଏହି ନିର୍ଦ୍ଦିଷ୍ଟ ଗ୍ରହରୁ ଆସୁଥିବା ସଙ୍କେତକୁ ସ୍ୱତନ୍ତ୍ର ଭାବେ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି । 'ଆର୍କାଇଭ୍' ରେ ପ୍ରକାଶିତ ଏହି ଗବେଷଣା ଅନୁସାରେ, ଏହା କୌଣସି ଏଲିଏନ୍ ବା ଭେନ୍ସୀୟ ପ୍ରାଣୀଙ୍କ ସଙ୍କେତ ନୁହେଁ, ବରଂ ଗ୍ରହରେ ସୃଷ୍ଟି ହେଉଥିବା ବିଶାଳ 'ଔରୋରା' ଯୋଗୁଁ ସୃଷ୍ଟି ହେଉଛି । ମାତ୍ର ୮ରୁ ୯ ଘଣ୍ଟାରେ ନିଜ ଅକ୍ଷ ଚାରିପାଖରେ ଘୂରିଆସୁଥିବା ଏହି ଦ୍ରୁତଗାମୀ ଗ୍ରହର ଚୁମ୍ବକୀୟ କ୍ଷେତ୍ର ପୃଥିବୀ ତୁଳନାରେ ୨,୫୦୦ ଗୁଣ ଅଧିକ ଶକ୍ତିଶାଳୀ ହୋଇଥିବାରୁ ଏଥିରୁ ୦.୮୫ ରୁ ୩.୫ ଗିଗାହର୍ଟଜ୍ ବିଶିଷ୍ଟ ରେଡିଓ ତରଙ୍ଗ ନିର୍ଗତ ହେଉଛି । ଯାହା ଭବିଷ୍ୟତରେ ସୌରମଣ୍ଡଳ ବାହାରେ ଥିବା ଗ୍ରହଗୁଡ଼ିକର ଚୁମ୍ବକୀୟ ଶକ୍ତି ମାପିବା ପାଇଁ ଏକ ନୂତନ ଦିଗ ପ୍ରଦାନ କରିବ ।

Tags: