ସୁରକ୍ଷା ଦେବ କ୍ୟୁଆର କୋଡ

ସୁରକ୍ଷା ଦେବ କ୍ୟୁଆର କୋଡ
Ipsita Picture
By: Ipsita
Published On

 

ଅନେକ ସମୟରେ କଲେଜ ଛାତ୍ରଛାତ୍ରୀମାନେ ଏଭଳି କିଛି ପ୍ରୋଜେକ୍ଟ ତିଆରି କରିଥାଆନ୍ତି ଯାହା ବିଜ୍ଞାନର ଏକ ନୂଆ ଦିଗକୁ ଦର୍ଶାଇଥାଏ । ସେହିଭଳି ଏକ ପ୍ରୋଜେକ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ପ୍ରୋଜେକ୍ଟ ଜରିଆରେ ଲୋକଙ୍କର ସୁରକ୍ଷା ସମ୍ପର୍କିତ କିଛି ସମସ୍ୟାର ସମାଧାନ ହୋଇପାରୁଛି, ଆସନ୍ତୁ ଜାଣିବା କଣ ଏହି ପ୍ରୋଜେକ୍ଟ ।

 ସାଧାରଣତଃ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଫାଇନାଲ୍ ଇୟର ପ୍ରୋଜେକ୍ଟ କେବଳ କ୍ଲାସରୁମ୍ କିମ୍ବା ଲାବୋରେଟୋରୀ ମଧ୍ୟରେ ସୀମିତ ରହିଯାଏ। କିନ୍ତୁ ଆନ୍ଧ୍ରପ୍ରଦେଶର ମୋହନ ବାବୁ ୟୁନିଭର୍ସିଟିର ଜଣେ ମେଧାବୀ ଛାତ୍ରଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଓଲଟା ପ୍ରମାଣିତ ହୋଇଛି। ଚତୁର୍ଥ ବର୍ଷର ଇଞ୍ଜିନିୟରିଂ ଛାତ୍ର ଜି. ଶ୍ରୀନିବାସ ରେଡ୍ଡୀଙ୍କ ଦ୍ୱାରା ପ୍ରସ୍ତୁତ ଏକ ସରଳ କ୍ୟୁଆର କୋଡ୍ ସିଷ୍ଟମ ଏବେ ଆନ୍ଧ୍ରପ୍ରଦେଶର ରାସ୍ତାରେ ଯାତ୍ରୀମାନଙ୍କୁ ସୁରକ୍ଷା ଦେବାନେଇ ଆଳୋଚନା ହେଉଛି । ଶ୍ରୀନିବାସ ସଡ଼କ ସୁରକ୍ଷା ବିଷୟରେ ଚିନ୍ତା କରିବାସହ ସାଧାରଣ ଲୋକଙ୍କର ପ୍ରତିଦିନର ସମସ୍ୟା ଉପରେ ଧ୍ୟାନ ଦେଇଥିଲେ । ବିଶେଷ କରି ଜଣେ ଯାତ୍ରୀ ଯାତ୍ରା ସମୟରେ ଅସୁରକ୍ଷିତ ମଣିଲେ କଣ କରିବେ? ଏହି ପ୍ରଶ୍ନରୁ ଜନ୍ମ ନେଇଥିଲା ଏକ ଅଭିନବ ସମାଧାନ, ଯାହା ଏବେ 'ରିଅଲ-ଟାଇମ୍ ଟ୍ରାଭେଲର ପ୍ରୋଟେକ୍ସନ ସିଷ୍ଟମ'ର ରୂପ ନେଇଛି ।

କିପରି କରୁଛି କାମ

ଏହି ପ୍ରଯୁକ୍ତିବିଦ୍ୟାଟି ଏକ କ୍ୟୁଆର କୋଡ୍ ଉପରେ ଆଧାରିତ। ଏହାକୁ ଅଟୋରିକ୍ସା ଏବଂ ଟ୍ୟାକ୍ସି ଭଳି ଯାନବାହନରେ ଡ୍ରାଇଭର ସିଟ୍ର ଠିକ୍ ପଛରେ ଲଗାଯାଇଛି। ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ମାତ୍ରେ ନିଜ ସ୍ମାର୍ଟଫୋନରେ ଏହି କୋଡକୁ ସ୍କାନ କରିପାରିବେ। ସ୍କାନ କରିବା ମାତ୍ରେ ଯାତ୍ରୀଙ୍କୁ ଡ୍ରାଇଭରଙ୍କ ନାମ, ଯାନବାହନର ପଞ୍ଜିକରଣ ନମ୍ବର ଏବଂ ଟ୍ରିପ୍ ସମ୍ପର୍କିତ ସମସ୍ତ ଯାଞ୍ଚ ହୋଇଥିବା ତଥ୍ୟ ମିଳିଯିବ।  ସ୍କାନ ହେବା ସଙ୍ଗେସଙ୍ଗେ ସମ୍ପୃକ୍ତ ଯାତ୍ରାର ଲାଇଭ୍ ଲୋକେସନ ସ୍ୱୟଂଚାଳିତ ଭାବେ ପୋଲିସ କଣ୍ଟ୍ରୋଲ ରୁମ୍ ଏବଂ ନିକଟସ୍ଥ ପୋଲିସ ପାଟ୍ରୋଲିଂ ୟୁନିଟ୍ ସହ ସେୟାର ହୋଇଯିବ। ଯାହାଫଳରେ ଯାତ୍ରୀଙ୍କ ଗତିବିଧି ଉପରେ ପୋଲିସର ନଜର ରହିବ।

ପୋଲିସ ଏବଂ ଶିକ୍ଷାନୁଷ୍ଠାନର ମିଳିତ ପ୍ରୟାସ

ଶ୍ରୀନିବାସ ଏହି ସିଷ୍ଟମକୁ ନିଜର ଷ୍ଟାର୍ଟଅପ୍ ଏସଏଏସ ଇଲେକ୍ଟ୍ରୋନିକ୍ସ ଏଲଏଲପି ଜରିଆରେ ବିକଶିତ କରିଛନ୍ତି। ଏଥିପାଇଁ ତାଙ୍କୁ ଡେପୁଟି କମିଶନର ଅଫ୍ ପୋଲିସ ଏବଂ ଟ୍ରାଫିକ ବିଭାଗର ଅଧିକାରୀମାନେ ମାର୍ଗଦର୍ଶନ କରିଥିଲେ। ସମସ୍ତଙ୍କ ମିଳିତ ସାହାଯ୍ୟରେ ଏହି ପ୍ରୋଜେକ୍ଟଟି କାର୍ଯ୍ୟକାରୀ ହୋଇପାରିଥିଲା ।

ସାଧାରଣ ଯାତ୍ରୀଙ୍କ ପାଇଁ ବରଦାନ

ଭାରତରେ ଉବେର କିମ୍ବା ଓଲା ଭଳି ଆପ୍-ଆଧାରିତ ସେବାରେ ଟ୍ରାକିଂ ସୁବିଧା ଥିଲେ ମଧ୍ୟ ସାଧାରଣ ଅଟୋ କିମ୍ବା ସ୍ଥାନୀୟ ଗାଡ଼ିରେ ଏହି ସୁବିଧା ନଥାଏ। ଶ୍ରୀନିବାସଙ୍କ ଏହି ନୂତନ ଜ୍ଞାନକୌଶଳ ସେହି ଶୂନ୍ୟସ୍ଥାନକୁ ପୂରଣ କରିଛି। ଏପରିକି ଯେଉଁମାନେ ଆପ୍ ବ୍ୟବହାର ନକରି ସିଧାସଳଖ ଗାଡ଼ିରେ ଯାଉଛନ୍ତି, ସେମାନେ ମଧ୍ୟ ଏହି କୋଡ୍ ସ୍କାନ କରି ସୁରକ୍ଷିତ ରହିପାରିବେ। ଯଦି ଯାତ୍ରା ସମୟରେ ଡ୍ରାଇଭରର ବ୍ୟବହାର ଖରାପ ଥାଏ କିମ୍ବା କୌଣସି ଜରୁରୀ ପରିସ୍ଥିତି ଉପୁଜେ, ତେବେ ପୋଲିସ ତୁରନ୍ତ ସେହି ସ୍ଥାନକୁ ପହଞ୍ଚି ପାରିବ। ଏଥିସହ ଏହି ପ୍ଲାଟଫର୍ମରେ ଫିଡବ୍ୟାକ୍ ଏବଂ ରେଟିଂ ଦେବାର ସୁବିଧା ମଧ୍ୟ ରହିଛି। ଯେଉଁ ଡ୍ରାଇଭରଙ୍କ ରେଟିଂ ଖରାପ ରହିବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଏହାଦ୍ୱାରା ଉଭୟ ଡ୍ରାଇଭର ଏବଂ ଯାତ୍ରୀଙ୍କ ମଧ୍ୟରେ ଏକ ଜବାବଦେହିତା ସୃଷ୍ଟି ହେବ।

ଛୋଟ କୋଡ୍, ବଡ଼ ପରିବର୍ତ୍ତନ

ଏହି ଉଦ୍ଭାବନର ସବୁଠାରୁ ବଡ଼ ଦିଗ ହେଉଛି ଏହାର ସରଳତା। ଏଥିପାଇଁ କୌଣସି ମହଙ୍ଗା ଯନ୍ତ୍ରପାତିର ଆବଶ୍ୟକତା ନାହିଁ। କେବଳ ଏକ କୋଡ୍ ମାଧ୍ୟମରେ ମହିଳା ଏବଂ ଶିଶୁମାନଙ୍କ ପାଇଁ ସୁରକ୍ଷିତ ଯାତ୍ରାର ଏକ ବଡ଼ ସୁଯୋଗ ସୃଷ୍ଟି ହୋଇଛି। ଯାହାକୁ ସୋସିଆଲ ମିଡିଆରେ ଖୁବ ପ୍ରଶଂସା ମିଳିଛି । ସେହିଭଳି  ଶ୍ରୀନିବାସଙ୍କ ଏହି କାହାଣୀ ଆଜିର ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ପ୍ରେରଣା ପାଲଟିଛି ।

Tags: