ଶ୍ରୀମନ୍ଦିର ଓ ବିଡିଆ ପାନ

ଶ୍ରୀମନ୍ଦିର ଓ ବିଡିଆ ପାନ
Ipsita Picture
By: Ipsita
Published On

 

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଶ୍ରୀମନ୍ଦିରରେ ପ୍ରାଚୀନ ସମୟରୁ ପ୍ରଚଳିତ ଥିବା ବିଭିନ୍ନ ସେବା ପୂଜା ମଧ୍ୟରେ ବିଡ଼ିଆପାନ ମଣୋହି ପରମ୍ପରା ଖୁବ ପୁରାତନ ଅଟେ । ଶ୍ରୀଜୀଉମାନଙ୍କ ସେବା ପୂଜାରେ ପ୍ରତ୍ୟହ ବିଡ଼ିଆ ପାନ ମଣୋହି ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଅଟେ । ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ବିଡ଼ିଆ ପାନର ସଂପର୍କ ଅତି ନିବିଡ଼। ରତ୍ନ ସିଂହାସନାଧିଷ୍ଠିତ ଶ୍ରୀବିଗ୍ରହମାନଙ୍କର ଦୈନନ୍ଦିନ ରୀତି ନୀତିରେ ୧୦୦ରୁ ଅଧିକ ବିଡ଼ିଆ ପାନର ବ୍ୟବହାର କରାଯାଇଥାଏ । ଶ୍ରୀମନ୍ଦିରରେ ଠାକୁରମାନଙ୍କର ଷୋଡ଼ଶ ଉପଚାର ମଧ୍ୟରେ ତାମ୍ବୁଳ ସେବା ବା ବିଡ଼ିଆ ପାନ ମଣୋହି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାଏ । ପାନକୁ ନେଇ ଅନେକ କାହାଣୀ, କିମ୍ବଦନ୍ତୀ, ଲୋକକଥା, ଗୀତ,  ଇତ୍ୟାଦି ଦେଖିବାକୁ ମିଳେ । ଦେବାଦେବୀଙ୍କୁ ପାନ ଅର୍ପଣ କରିବାର ବିଧି ଆମ ସଂସ୍କୃତିରେ ଦେଖିବାକୁ ମିଳେ । ପାନ ପ୍ରଦାନ କରି ଅତିଥି ସତ୍କାର କରିବା ଆମ ଓଡ଼ିଆ ସଂସ୍କୃତିରେ ରହିଥିବାର ଜଣାଯାଏ । ପାନ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି ।  ରାମାୟଣ, ମହାଭାରତ, ବୌଦ୍ଧ ଓ ଜୈନଗ୍ରନ୍ଥମାନଙ୍କରେ ନାଗବଲ୍ଲୀର ନାମ ଉଲ୍ଲେଖ ଥିବାର ଦେଖାଯାଏ । ଭବିଷ୍ୟପୁରାଣ, ବ୍ରହ୍ମାଣ୍ଡ ପୁରାଣ ଓ ବିଷ୍ଣୁପୁରାଣରେ ତାମ୍ବୁଳ ପ୍ରଦାନ କରିବାର ବିଧି ମଧ୍ୟ ରହିଛି । ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକମାନଙ୍କ ମତରେ ପାଞ୍ଚ ରାତ୍ରାଗମର ପ୍ରଭାବରେ ଶ୍ରୀମନ୍ଦିରରେ ଅବସ୍ଥାପିତ ଶ୍ରୀଜୀୟୁଙ୍କୁ ତାମ୍ବୁଳ ଅର୍ପଣ କରିବାର ବିଧି ପ୍ରଚଳନ କରାଯାଇଥିଲା। ପ୍ରାଚୀନ ସମୟରୁ ଶ୍ରୀମନ୍ଦିରରେ ହଡ଼ପସେବା ପ୍ରଚଳିତ ହୋଇଆସୁଅଛି । ହଡ଼ପ ଏକ ଗ୍ରାମୀଣ ଶବ୍ଦ । ଏହାର ଆନ୍ତରିକ ଅର୍ଥ ହେଉଛି ତାମ୍ବୁଳ ସାମଗ୍ରୀ । ଦେବତା ଓ ରାଜାମାନଙ୍କୁ ପାନ ଭାଙ୍ଗି ଦେଉଥିବା ସେବକକୁ ହଡ଼ପ ନାୟକ ସେବକ କୁହାଯାଏ । ବିଡ଼ିଆର ଅର୍ଥ ପାନ ଖିଲ । ପ୍ରସାଦ ଦିଆଯିବାପରେ ଠାକୁରଙ୍କୁ ପାନ ଅର୍ପଣ କରାଯିବାର ପ୍ରଥାରହିଛି । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ବିଡ଼ିଆପାନ ଅର୍ପଣ କରୁଥିବା ସେବକକୁ ହଡ଼ପ ନାୟକ ନାମରେ ନାମିତ କରାଯାଏ । ହଡ଼ପ ଶବ୍ଦର ବ୍ୟବହାର ସାରଳା ଦାସକୃତ ଓଡ଼ିଆ ମହାଭାରତର ସଭାପର୍ବରେ ଦେଖିବାକୁ ମିଳେ । ଶ୍ରୀଜୀଉମାନଙ୍କୁ ଯେଉଁ ତାମ୍ବୁଳ ବା ପାନପତ୍ର ଅର୍ପଣ କରାଯିବ ତାହା ପତ୍ର ହୋଇଥିବା ଆବଶ୍ୟକ । ସେଥିରେ ଲବଙ୍ଗ, କର୍ପୂର, ଗୁଆ, ଜାଈଫଳ ଇତ୍ୟାଦି ଚୂର୍ଣ୍ଣ କରାଯାଇ ରଖାଯାଇଥାଏ । ଏପରି ତାମ୍ବୁଳକୁ ବିଡ଼ିଆ କୁହାଯାଏ । ଚୂନ ଓ କଡ଼ା ମସଲା ନଥିବା ଖିଲିପାନ ବିଡ଼ିଆ ନାମରେ କଥିତ। ଏହାକୁ ଏକ ସୁବର୍ଣ୍ଣପାତ୍ରରେ ରଖି କର୍ପୂର ଚନ୍ଦନ ଦ୍ୱାରା ସୁବାସିତ କରାଯାଇ ମହାପ୍ରଭୁଙ୍କ ନିକଟରେ ମଣୋହି କରାଯାଏ।  ପୁରୀ ଶ୍ରୀମନ୍ଦିର ପ୍ରଶାସନ ଆଇନ ୧୯୫୨ ମସିହା ଅନୁଯାୟୀ ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ହଡ଼ପ ନାୟକ ଓ ବିଡ଼ିଆ ଯୋଗାଣିଆଙ୍କ ବିଷୟରେ ଉଲ୍ଲେଖ ଅଛି । 

ସ୍ୱତ୍ତ୍ୱଲିପିର ତଥ୍ୟ ଅନୁଯାୟୀ ଶ୍ରୀଜୀଉମାନଙ୍କର ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ, ଚନ୍ଦନ ଲାଗି ଓ ପହୁଡ଼ନୀତିରେ ୧୦୨ ଖଣ୍ଡ ବିଡ଼ିଆ ପାନର ଆବଶ୍ୟକତା ପଡିଥାଏ । ଏଥିମଧ୍ୟରୁ ୪୦ଖଣ୍ଡ ତରଡ଼ା ବିଡ଼ିଆ ପାନ ଓ ୬୨ ଖଣ୍ଡ ଖିଲି ବିଡ଼ିଆ ପାନ ଅଟେ। ମକରସଂକ୍ରାନ୍ତି ଦିନ ଚଉରାଶୀ ମକର ଭୋଗରେ ଚୂଳ ବିଡ଼ିଆପାନ ପ୍ରସ୍ତୁତ କରାଯାଇ ମଣୋହି କରାଯାଏ । କିନ୍ତୁ ଶ୍ରୀଜୀଉମାନଙ୍କର ଦୈନନ୍ଦିନ ସେବାପୂଜାରେ ତରଡ଼ା ଓ ଖିଲି ବା ନଳି ପାନର ବ୍ୟବହାର ହୋଇଥାଏ। ଏହି ପାନର ନିଆରା ଲକ୍ଷଣ ଯେ ଏଥିରେ ଗୋଟାପାନ ସହ ଜାଇଫଳ ଗୁଣ୍ଡ, କର୍ପୂର, ଖଣ୍ଡ, ଗୁଆ, ଲବଙ୍ଗ ଓ ଅଲେଇଚ ଇତ୍ୟାଦି ପଡି ବିଡ଼ିଆ ପାନ ପ୍ରସ୍ତୁତ କରାଯାଇଥାଏ । ଘୋରା ଚନ୍ଦନ ମଧ୍ୟ ସମୟେ ସମୟେ ଏହି ବିଡ଼ିଆ ପାନରେ ଲଗାଯାଇ ଥାଏ। ମହାପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ପାନରେ ଚୂନ, ଖଇର ଇତ୍ୟାଦି ଦ୍ରବ୍ୟ ବ୍ୟବହାର କରାଯାଇନଥାଏ। ହଡ଼ପ ନାୟକ ଯୋଗାଣିଆଙ୍କଠାରୁ ବିଡ଼ିଆ ପାନ ଗ୍ରହଣ କରିଥାନ୍ତି। ଶ୍ରୀବିଗ୍ରହମାନଙ୍କର ପ୍ରତ୍ୟେକ ଧୂପ ସମୟରେ ବିଡ଼ିଆ ପାନ ମଣୋହି ପାଇଁ ହଡ଼ପ ନାୟକ ସେବକ ପୂଜା ପଣ୍ଡାଙ୍କୁ ପ୍ରଦାନ କରିଥାନ୍ତି। ହଡ଼ପ ନାୟକ ପ୍ରତ୍ୟେକ ଚନ୍ଦନ ଲାଗି ସମୟରେ ଏକ ଗୀତ ଗୋବିନ୍ଦ ଖଡ଼ୁଆ ପାଟରେ ହାତ ପରିଷ୍କାର କରି ବିଡ଼ିଆପାନକୁ ନିଜେ ମଣୋହି କରିଥାନ୍ତି । ରାତ୍ର ପହୁଡ଼ ସମୟରେ ହଡ଼ପ ନାୟକ ପ୍ରଦତ୍ତ ବିଡ଼ିଆପାନକୁ ପୁଷ୍ପାଳକ ସେବକ ଶ୍ରୀଜୀଉମାନଙ୍କୁ ପ୍ରଦାନ କରିଥାନ୍ତି। ଏହିସମୟରେ ରତ୍ନ ସିଂହାସନରେ ଠାକୁରଙ୍କ ପାଇଁ ବିଡ଼ିଆପାନ ରଖାଯିବା ସହିତ ହଡ଼ପ ନାୟକ ତିନୋଟି ରୁପା ବଟାରେ ଖିଲି ବିଡ଼ିଆ ପାନ ରତ୍ନ ସିଂହାସନ ତଳେ ରଖିଥାନ୍ତି । ରତ୍ନ ସିଂହାସନରେ ବିଜେ ଶ୍ରୀଜୀଉମାନଙ୍କ ବ୍ୟତୀତ ପ୍ରତିଦିନ ଭିତରେ ବେଢ଼ାର ମାବିମଳା, ମାଲକ୍ଷ୍ମୀ, ଭୁବନେଶ୍ୱରୀ, ସରସ୍ୱତୀ, ସର୍ବମଙ୍ଗଳା, ନୃସିଂହ ଓ ମଦନ ମୋହନ ଦେବଙ୍କୁ ମଧ୍ୟ ବିଡ଼ିଆପାନ ଅର୍ପଣ କରାଯାଇଥାଏ। ତଥ୍ୟ ଅନୁଯାୟୀ ଦୈନନ୍ଦିନ ପ୍ରଭୁଙ୍କୁ ୧୦୪ ଖଣ୍ଡ ବିଡ଼ିଆପାନ ମଣୋହି କରାଯାଏ । ସକାଳଧୂପରେ ୭ଖଣ୍ଡ ଚଉଡ଼ା ବିଡ଼ିଆପାନ, ମଧ୍ୟାହ୍ନ ଧୂପରେ ୭ ଖଣ୍ଡ ଚଉଡା ବିଡ଼ିଆପାନ ସନ୍ଧ୍ୟା ଧୂପରେ ୭ ଖଣ୍ଡ ଚଉଡା ବିଡ଼ିଆ ପାନ, ଚନ୍ଦନ ଲାଗି ସମୟରେ ୧୬ ଖଣ୍ଡ ଚଉଡ଼ା ବିଡ଼ିଆ ପାନ, ରାତ୍ରରେ ବଡ଼ ସିଂହାର ଆରତୀ ପୂର୍ବରୁ ୬ ଖଣ୍ଡ ଚଉଡା ବିଡ଼ିଆପାନ, ପହୁଡ଼ ସମୟରେ ରତ୍ନ ସିଂହାସନ ତଳେ ୪୮ଖଣ୍ଡ ଖିଲି ବିଡ଼ିଆ ପାନ ରଖାଯାଏ। ପାର୍ଶ୍ବ ଦେବାଦେବୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ବିଡ଼ିଆ ପାନ ମଣୋହିର ବ୍ୟବସ୍ଥା ରହିଛି । ମଦନମୋହନଙ୍କ ପାଇଁ ୨ ଖଣ୍ଡ ଖିଲି ପାନ, ବିମଳା ଦେବୀଙ୍କର ୨ଖଣ୍ଡ ଖିଲି ବିଡ଼ିଆ ପାନ, ଲକ୍ଷ୍ମୀ ଠାକୁରାଣୀଙ୍କର ୨ଖଣ୍ଡ ଖିଲି ବିଡ଼ିଆ ପାନ, ସରସ୍ୱତୀ ମନ୍ଦିରରେ ୨ଖଣ୍ଡ ଖିଲି ବିଡ଼ିଆ ପାନ, ନୃସିଂହ ମନ୍ଦିରରେ ୧ ଖଣ୍ଡ ଖିଲି ବିଡ଼ିଆପାନ ଓ ସର୍ବମଙ୍ଗଳା ଦେବାଙ୍କୁ ୨ ଖଣ୍ଡ ଖିଲି ବିଡ଼ିଆପାନ ଅର୍ପଣ କରାଯିବାର ବିଧି ରହିଛି । ଏହା ସହ ଅନ୍ୟାନ ରିତି ନୀତି ସମୟରେ ମଧ୍ୟ ବିଡିଆ ପାନ ମଣୋହିର ବିଧି ରହିଛି ।

Tags: