୧୪୦ ଟଙ୍କାରେ ମିଳିବ ଶୁଦ୍ଧ ବାୟୁ
ଦିଲ୍ଲୀର ଦୁଇଜଣ ସ୍କୁଲ ଛାତ୍ର ମାତ୍ର ୧୪୦ ଟଙ୍କାରେ ଏକ ସ୍ୱତନ୍ତ୍ର ଫିଲ୍ଟର ତିଆରି କରିଛନ୍ତି, ଯାହାକୁ ସାଧାରଣ ପଙ୍ଖାରେ ଲଗାଇ ଶ୍ରେଣୀଗୃହର ବାୟୁକୁ ବିଶୁଦ୍ଧ କରାଯାଇପାରିବ । ଏଥିପାଇଁ ବିଦ୍ୟାଳୟଗୁଡ଼ିକୁ ଆଉ ମହଙ୍ଗା ଏୟାର ପ୍ୟୁରିଫାୟର କିଣିବାକୁ ପଡ଼ିବ ନାହିଁ । 'ପ୍ରୋଜେକ୍ଟ ବାୟୁ' ନାମକ ଏହି ଅଭିନବ ପ୍ରକଳ୍ପକୁ ଦ୍ୱାଦଶ ଶ୍ରେଣୀର ଛାତ୍ର କ୍ରିଶ ଅଗ୍ରୱାଲ ଏବଂ ଏକାଦଶ ଶ୍ରେଣୀର ଛାତ୍ର ସମର୍ଥ ମିତ୍ତଲ ମିଳିତ ଭାବେ ଆରମ୍ଭ କରିଛନ୍ତି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କମ୍ ବଜେଟ୍ ବିଶିଷ୍ଟ ବିଦ୍ୟାଳୟର ପିଲାମାନଙ୍କୁ ବାୟୁ ପ୍ରଦୂଷଣରୁ ରକ୍ଷା କରିବା । ଦିଲ୍ଲୀର ପ୍ରଦୂଷଣ ଯୋଗୁଁ କ୍ରିଶଙ୍କ ନାକରୁ ରକ୍ତସ୍ରାବ ହେଉଥିବା ବେଳେ ତାଙ୍କ କୋଠରୀରେ ଏୟାର ପ୍ୟୁରିଫାୟର ଲାଗିବା ପରେ ଏହି ସମସ୍ୟା ଦୂର ହୋଇଥିଲା । ଏହାପରେ ସେ ଅନ୍ୟ ପିଲାମାନଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇ ନୂଆ ପ୍ୟୁରିଫାୟର ତିଆରି କରିବା ପରିବର୍ତ୍ତେ ବିଦ୍ୟାଳୟରେ ପୂର୍ବରୁ ଲାଗିଥିବା ପଙ୍ଖାଗୁଡ଼ିକୁ ବ୍ୟବହାର କରିବାକୁ ଯୋଜନା କରିଥିଲେ। ଏହି ପଦ୍ଧତିରେ ଇଲାଷ୍ଟିକ୍ ବ୍ୟାଣ୍ଡ ସାହାଯ୍ୟରେ ପଙ୍ଖାରେ ଏକ ସ୍ୱତନ୍ତ୍ର ଫିଲ୍ଟର କପଡ଼ା ବନ୍ଧାଯାଇଥାଏ । ଯାହା ପଙ୍ଖା ଚାଲିବା ସମୟରେ ବାୟୁରେ ଥିବା ସୂକ୍ଷ୍ମ ଧୂଳିକଣା ଏବଂ ଧୂଆଁକୁ ଅଟକାଇ ରଖିବାରେ ସାହାଯ୍ୟ କରେ । ତିନି ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଓ ଗତ ବର୍ଷ ପରୀକ୍ଷଣ କରାଯାଇଥିବା ଏହି ପ୍ରକଳ୍ପକୁ ଏବେ ଅଧିକରୁ ଅଧିକ ବିଦ୍ୟାଳୟରେ ପହଞ୍ଚାଇବାକୁ ଛାତ୍ରମାନେ ପ୍ରୟାସ କରୁଥିବା ବେଳେ, ଏହି ମହତ୍ ପଦକ୍ଷେପ ପାଇଁ କ୍ରିଶ ଅଗ୍ରୱାଲଙ୍କୁ 'ଡାଏନା ଆୱାର୍ଡ ରୋଲ୍ ଅଫ୍ ଅନର୍ ୨୦୨୬'ରେ ସ୍ଥାନ ମିଳିଛି ।




