ଦାଢି କାଟିବାରୁ ଦଣ୍ଡ
ଆଫଗାନିସ୍ତାନ ଏବଂ ଇରାନ ସୀମାରେ ଅବସ୍ଥିତ ଇସଲାମ କାଲା ବର୍ଡର ନିକଟରୁ କେବଳ ଛୋଟ ଦାଢ଼ି ରଖିବା କାରଣରୁ ମୋରାଲିଟି ପୋଲିସ ଦ୍ୱାରା ୨୦ ଜଣ ଲୋକଙ୍କୁ ଜେଲ ହାଜତକୁ ନିଆଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବ୍ୟକ୍ତିମାନଙ୍କ ଉପରେ ଅଭିଯୋଗ ଥିଲା ଯେ, ସେମାନଙ୍କ ଦାଢ଼ି ତାଲିବାନ ଦ୍ୱାରା ନିର୍ଦ୍ଧାରିତ ନିୟମ ଅନୁଯାୟୀ ଲମ୍ବା ନଥିଲା । ଯେଉଁଠି କିଛି ଲୋକ ନିଜ ଦାଢ଼ିକୁ ଟ୍ରିମ୍ କରିଥିବାବେଳେ ଅନ୍ୟ କେତେକ ସମ୍ପୂର୍ଣ୍ଣ ସେଭ୍ କରିଦେଇଥିଲେ । ତାଲିବାନର ନିୟମ ଅନୁସାରେ ପୁରୁଷମାନଙ୍କ ପାଇଁ ଦାଢ଼ିର ଏକ ସର୍ବନିମ୍ନ ଲମ୍ବ ସ୍ଥିର କରାଯାଇଛି, ଯାହାକି ଗୋଟିଏ ମୁଠାଠାରୁ ଛୋଟ ହେବା ଅନୁଚିତ । ଏହି ନିୟମ ଭାଙ୍ଗିଲେ ହେପାଜତକୁ ନିଆଯିବାର ପ୍ରାବଧାନ ରହିଛି । ବିଭିନ୍ନ ରିପୋର୍ଟ ମୁତାବକ, ଏହି ଘଟଣାରେ କିଛି ଲୋକଙ୍କୁ ସେହି ଦିନ ହିଁ ଛାଡ଼ି ଦିଆଯାଇଥିବା ବେଳେ ବାକି ଲୋକଙ୍କୁ ପରଦିନ ମୁକ୍ତ କରାଯାଇଥିଲା । ଯଦିଓ ତାଲିବାନ ପକ୍ଷରୁ ଏହି ୨୦ ଜଣଙ୍କୁ ଗିରଫ କରାଯିବା ନେଇ କୌଣସି ଆଧିକାରିକ ସ୍ପଷ୍ଟୀକରଣ ମିଳିନାହିଁ । ତଥାପି ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଦାଢ଼ି ସମ୍ପର୍କିତ ନିୟମ ପାଳନ ନକରିବା ଯୋଗୁଁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କଥାକୁ ସ୍ୱୀକାର କରିଛନ୍ତି ।




