ଆଦିମ ମାନବ କରୁଥିଲା ଦାନ୍ତ ଚିକିତ୍ସା
ଆଧୁନିକ ଚିକିତ୍ସା ଉପକରଣ ଏବଂ ନିଶ୍ଚେତକ ଆବିଷ୍କାର ହେବାର ବହୁ ପୂର୍ବରୁ ଆଦିମ ମାନବ ପ୍ରଜାତି 'ନିଆଣ୍ଡରଥାଲ୍' ମାନେ ଦାନ୍ତର ଜଟିଳ ସଂକ୍ରମଣର ଚିକିତ୍ସା କରିବାରେ ସଫଳ ହୋଇଥିଲେ, ଯାହା ବର୍ତ୍ତମାନ ସାରା ବିଶ୍ୱର ବିଜ୍ଞାନ ଜଗତକୁ ଚକିତ କରିଦେଇଛି । 'ନ୍ୟୁୟର୍କ ପୋଷ୍ଟ' ଏବଂ ପ୍ରସିଦ୍ଧ ବୈଜ୍ଞାନିକ ପତ୍ରିକା 'ପ୍ଲସ୍ ୱାନ୍'ରେ ପ୍ରକାଶିତ ଏକ ନୂତନ ଅଧ୍ୟୟନ ଅନୁଯାୟୀ, ରୁଷିଆର ସାଇବେରିଆସ୍ଥିତ 'ଚାଗିରସ୍କାୟା ଗୁମ୍ଫା'ରୁ ମିଳିଥିବା ପ୍ରାୟ ୫୯,୦୦୦ ବର୍ଷ ପୁରୁଣା ଏକ ମାଢ଼ି ଦାନ୍ତରୁ ଏହି ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ଯାହା ପୂର୍ବରୁ ଅନୁମାନ କରାଯାଉଥିବା ସମୟଠାରୁ ପ୍ରାୟ ୪୦,୦୦୦ ବର୍ଷ ପୂର୍ବର ଅଟେ । ଏକ ଗବେଷଣାରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ, ଏହି ପ୍ରାଚୀନ ଦାନ୍ତର କେନ୍ଦ୍ର ଭାଗରେ ଏକ ଗଭୀର ଗର୍ତ୍ତ ରହିଛି ଯାହା ଦାନ୍ତର ଭିତର ସ୍ତର ପର୍ଯ୍ୟନ୍ତ ବ୍ୟାପିଛି । ଏହାସହ ଏଥିରେ ଥିବା ସୂକ୍ଷ୍ମ ଗାରଗୁଡ଼ିକ ପ୍ରମାଣ କରୁଛି ଯେ ପଥର ନିର୍ମିତ କ୍ଷୁଦ୍ର ଡ୍ରିଲ୍ ମେସିନ୍ ସାହାଯ୍ୟରେ ଦାନ୍ତକୁ ସଫା କରାଯାଇଥିଲା । ବୈଜ୍ଞାନିକମାନେ ଆଧୁନିକ ମଣିଷର ତିନୋଟି ଦାନ୍ତ ଉପରେ ପଥର ତିଆରି ମୁନିଆ ଉପକରଣ ଦ୍ୱାରା ପରୀକ୍ଷା କରି ଦେଖିଛନ୍ତି ଯେ, ଏହି ପ୍ରକ୍ରିୟାରେ ସୃଷ୍ଟି ହେଉଥିବା ଗାତ ଏବଂ ମାଇକ୍ରୋସ୍କୋପିକ୍ ଚିହ୍ନଗୁଡ଼ିକ ସେହି ପ୍ରାଚୀନ ଦାନ୍ତ ସହ ସମ୍ପୂର୍ଣ୍ଣ ମେଳ ଖାଉଛି । ଏପରିକି ଦାନ୍ତର ପାର୍ଶ୍ୱ ଭାଗରେ ଥିବା ସୂକ୍ଷ୍ମ ଦାଗରୁ ସେମାନେ ଦାନ୍ତକାଠି ବା ଟୁଥ୍ପିକ୍ ବ୍ୟବହାର କରୁଥିବାର ସଙ୍କେତ ମଧ୍ୟ ପାଇଛନ୍ତି । ଅତ୍ୟାଧୁନିକ ଇମେଜିଙ୍ଗ୍ ଟେକ୍ନୋଲୋଜି ଦ୍ୱାରା ଜଣାପଡ଼ିଛି ଯେ, ନିଆଣ୍ଡରଥାଲ୍ ବ୍ୟକ୍ତିଜଣକ ଜୀବିତ ଥିବା ସମୟରେ ହିଁ ତାଙ୍କ ଦାନ୍ତରୁ ସଂକ୍ରମିତ ଅଂଶ ବା ପଲ୍ପକୁ କାଢ଼ି ଦିଆଯାଇଥିଲା ଏବଂ ସେଠାରେ ହୋଇଥିବା ପରିବର୍ତ୍ତନଗୁଡ଼ିକ ପ୍ରାକୃତିକ ନୁହେଁ ବରଂ ସୁଚିନ୍ତିତ ଚିକିତ୍ସାର ପରିଣାମ ଥିଲା । ଏହି ଅଦ୍ଭୁତ ଆବିଷ୍କାର ପ୍ରମାଣିତ କରୁଛି ଯେ ଆଧୁନିକ ମାନବ ବ୍ୟତୀତ ଅନ୍ୟ ଏକ ଆଦିମ ପ୍ରଜାତିର ମଧ୍ୟ ରୋଗ ଚିହ୍ନଟ କରିବା, ଯନ୍ତ୍ରଣାର ଉତ୍ସ ଖୋଜିବା, ସଠିକ୍ ଚିକିତ୍ସା ନିଷ୍ପତ୍ତି ନେବା ଏବଂ ଅତି କୁଶଳତାର ସହ ଦାନ୍ତର ଅସ୍ତ୍ରୋପଚାର କରିବାର ସାମର୍ଥ୍ୟ ଥିଲା । ଯାହା ବର୍ତ୍ତମାନ ସୁଦ୍ଧା ମିଳିଥିବା ପୃଥିବୀର ସବୁଠାରୁ ପ୍ରାଚୀନ ଓ ସଫଳ ଦାନ୍ତ ଚିକିତ୍ସାର ପ୍ରମାଣ ଅଟେ ।




