ଗର୍ଭଧାରଣ ପୂର୍ବରୁ ସତର୍କତା
ଗର୍ଭ ଧାରଣ ପୂର୍ବରୁ କରାଯାଉଥିବା ଯୋଜନା ହେଉଛି ଜଣେ ହୃଦ୍ରୋଗୀ ମହିଳାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ସମୟରେ ନିମ୍ନଲିଖିତ ପଦକ୍ଷେପଗୁଡ଼ିକ ଗ୍ରହଣ କରାଯିବା ଉଚିତ ।
୧. ବିପଦର ଆକଳନ: ଯେଉଁ ମହିଳାମାନଙ୍କର ପୂର୍ବରୁ ହୃଦ୍ରୋଗ ଅଛି, ଗର୍ଭଧାରଣ ପୂର୍ବରୁ ସେମାନଙ୍କର ବିପଦର ମାତ୍ରା ନିର୍ଦ୍ଧାରଣ କରିବାର ଆବଶ୍ୟକତା ରହିଛି ।
୨ . ପରାମର୍ଶ ଓ ଆଲୋଚନା: ରୋଗୀଙ୍କ ସହ ଡାକ୍ତରଙ୍କର ଆଲୋଚନା ବେଶ ଫଳପ୍ରଦ ହୋଇଥାଏ । ରୋଗୀଙ୍କ ସହିତ ତାଙ୍କର ସମସ୍ତ ରୋଗ ସମ୍ପର୍କରେ କଥା ହୋଇ ଏହାପରେ ତାଙ୍କୁ ଉଯୁକ୍ତ ପରାମର୍ଶ ଦେବା ଖୁବ ଲାଭଦାୟକ ହୋଇଥାଏ ।
୩. ଶିକ୍ଷା ଓ ସଚେତନତା: ରୋଗୀଙ୍କୁ ତାଙ୍କର ନିର୍ଦ୍ଦିଷ୍ଟ ହୃଦ୍ରୋଗ ବିଷୟରେ ଶିକ୍ଷା ଦେବା ଏବଂ ଗର୍ଭାବସ୍ଥାରେ ଦେଖାଦେଉଥିବା ବିପଦର ସଙ୍କେତ ବିଷୟରେ ସଚେତନ କରାଇବା ।
୪ . ଯତ୍ନ ପାଇଁ ପ୍ରସ୍ତୁତି : ଗର୍ଭାବସ୍ଥା ସମୟରେ କ’ଣ ସବୁ ସମସ୍ୟା ଆସିପାରେ ଏବଂ ଚିକିତ୍ସା ପାଇଁ କେଉଁ ସ୍ୱାସ୍ଥ୍ୟକେନ୍ଦ୍ର ସବୁଠାରୁ ଉପଯୁକ୍ତ ହେବ, ସେ ବିଷୟରେ ପରାମର୍ଶ ଦେବା ।
୫ . ଔଷଧର ପରିବର୍ତ୍ତନ : ଯଦି ମହିଳା ଜଣକ ପୂର୍ବରୁ ଏପରି କିଛି ଔଷଧ ସେବନ କରୁଛନ୍ତି ଯାହା ଗର୍ଭସ୍ଥ ଶିଶୁ ପାଇଁ ଅସୁରକ୍ଷିତ, ତେବେ ତାହାକୁ ବନ୍ଦ କରିବା କିମ୍ବା ବଦଳାଇବା ।
୬ . ସ୍ୱାସ୍ଥ୍ୟର ଉନ୍ନତି : ଗର୍ଭଧାରଣ ପୂର୍ବରୁ ଉପଯୁକ୍ତ ଔଷଧ, ଅସ୍ତ୍ରୋପଚାର ବା ଚିକିତ୍ସା ଦ୍ୱାରା ରୋଗୀଙ୍କ ହୃତପିଣ୍ଡର ଅବସ୍ଥାକୁ ସୁଧାରିବା।
୭ . ଗର୍ଭନିରୋଧକ ପରାମର୍ଶ : ଗର୍ଭଧାରଣ ପୂର୍ବରୁ ଏବଂ ଦୁଇଟି ସନ୍ତାନ ମଧ୍ୟରେ ବ୍ୟବଧାନ ରଖିବା ପାଇଁ ଉପଯୁକ୍ତ ଗର୍ଭନିରୋଧକ ପଦ୍ଧତି ବିଷୟରେ ପରାମର୍ଶ ଦେବା ।
୮ . ଗର୍ଭଧାରଣରୁ ନିବୃତ୍ତ ରହିବା : ଯଦି ମହିଳାଙ୍କ ହୃଦ୍ରୋଗ ଅତ୍ୟଧିକ ଜଟିଳ ଏବଂ ଗର୍ଭଧାରଣ ଜୀବନ ପ୍ରତି ବିପଦ ସୃଷ୍ଟି କରେ, ତେବେ ଗର୍ଭଧାରଣ ନକରିବା ପାଇଁ ପରାମର୍ଶ ଦେବା ।



