ପ୍ରାଗ୍

ଆସ ବୁଲିଯିବା

ପ୍ରାଗ୍
Ipsita Picture
By: Ipsita
Published On

 

 

ଦେଶ ବୁଲିବାକୁ ପ୍ଲାନ କରୁଥିଲେ ପ୍ରାଗ ସହର ଆପଣଙ୍କ ପାଇଁ ଖୁବ ଭଲ ଅପସନ୍ ହୋଇପାରିବ । ଏଠାରେ ଅନେକ ଐତିହାସିକ ସ୍ଥାନ ରହିଥିବାବେଳେ ଅନେକ ଏଭଳି ସ୍ଥାନ ମଧ୍ୟ ରହିଛି ଯେଉଁଠାରେ ଆପଣ ନିଜ ପରିବାର ସହିତ ଖୁବ ମଜା କରିପାରିବେ । ତେଣୁ ନିଜର ତାଲିକାରେ ପ୍ରାଗ ସହରକୁ ସାମିଲ କରିବାକୁ ଯମାରୁ ଭୁଲନ୍ତୁ ନାହିଁ । ଚେକ୍ ରିପବ୍ଲିକର ରାଜଧାନୀ ପ୍ରାଗ୍ ହେଉଛି ଏକ ଐତିହାସିକ ସହର, ଯେଉଁଠାରେ ଆପଣଙ୍କୁ ଇତିହାସର ଏକ ଚମତ୍କାର ଅନୁଭୂତି ମିଳିବ। ଏହି ସହରର ମଝିରେ ବୋହିଯାଉଥିବା ଭଲ୍ଟାଭା ନଦୀ ଏହାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ଏଠାରେ ଅନେକସ୍ଥାନ ରହିଛି ଯାହା ଏହି ସହରର ପ୍ରମୁଖ ଆକର୍ଷଣ

ଚାର୍ଲ୍ସ ବ୍ରିଜ୍

ଏହା ପ୍ରାଗ୍ର ସବୁଠାରୁ ପୁରାତନ ଏବଂ ପ୍ରସିଦ୍ଧ ପୋଲ। ଏହି ପୋଲ ଉପରେ ଏବଂ ଏହାର ଆଖପାଖରେ ସନ୍ଥମାନଙ୍କର ପ୍ରାୟ ୩୦ଟି ବିଶାଳ ପ୍ରତିମା ରହିଛି, ଯାହା ଏହାକୁ ଏକ ଦାର୍ଶନିକ ରୂପ ପ୍ରଦାନ କରିଥାଏ। ଏହି ପୋଲର ନିର୍ମାଣ ୧୩୫୭ ମସିହାରେ ଆରମ୍ଭ ହୋଇ ୧୪୦୨ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା। ଏହି ପୋଲ ଉପରେ କେବଳ ପାଦରେ ଚାଲିବାର ଅନୁମତି ଅଛି।

ବୋଟିଂ

ଚାର୍ଲ୍ସ ବ୍ରିଜ୍ ପାଖରେ ଥିବା ନଦୀ କୂଳରୁ ଆପଣ ବୋଟ୍ ସାହାଯ୍ୟରେ ସହର ଭ୍ରମଣ କରିପାରିବେ। ପାଣି ଭିତରୁ ସହରର ଦୃଶ୍ୟ ଦେଖିବା ଏକ ଭିନ୍ନ ଅନୁଭୂତି ଦେଇଥାଏ। ଅନେକ ବୋଟ୍ରେ ସହରର ଇତିହାସ ଏବଂ ସ୍ଥାପତ୍ୟ କଳା ବିଷୟରେ ଗୀତ ଓ କାହାଣୀ ମାଧ୍ୟମରେ ସୂଚନା ଦିଆଯାଇଥାଏ, ଯାହା ପର୍ଯ୍ୟଟକଙ୍କୁ ସହର ବିଷୟରେ ଜାଣିବାରେ ସାହାଯ୍ୟ କରିଥାଏ।

ସେଣ୍ଟ ନିକୋଲାସ ଚର୍ଚ୍ଚ

ଚାର୍ଲ୍ସ ବ୍ରିଜ୍ ନିକଟରେ ଅବସ୍ଥିତ ଏହି ଚର୍ଚ୍ଚ ଏକ ସୁସଜ୍ଜିତ ବାରୋକ୍ ସ୍ଥାପତ୍ୟର ଉଦାହରଣ। ଏହାର ମୁଖ୍ୟ ଗମ୍ବୁଜର ବ୍ୟାସ ପ୍ରାୟ ୨୦ ମିଟର ଏବଂ ଏହା ସୁନ୍ଦର ଚିତ୍ରକଳାରେ ସଜାଯାଇଛି।  ଏହା ୧୭୩୨ ରୁ ୧୭୩୭ ମସିହା ମଧ୍ୟରେ ନିର୍ମିତ ହୋଇଥିଲା।

ପ୍ରାଗ୍ କ୍ୟାସଲ୍

୯ମ ଶତାବ୍ଦୀରେ ସ୍ଥାପିତ ପ୍ରାଗ୍ କ୍ୟାସଲ୍ ହେଉଛି ଦୁନିଆର ସବୁଠାରୁ ବଡ଼ ପ୍ରାଚୀନ ଦୁର୍ଗ ପରିସର। ଏହାର ବିଶାଳ କଳାକୃତି ଏବଂ ସ୍ଥାପତ୍ୟ ଦେଖିବା ଭଳି। ଏହି ପରିସର ମଧ୍ୟରେ ସେଣ୍ଟ ଭିଟସ୍ ଚର୍ଚ୍ଚ ଏବଂ ସେଣ୍ଟ ଜର୍ଜ ବେସିଲିକା ରହିଛି। ଏହା ଦେଖିବାକୁ ଖୁବ ସୁନ୍ଦର ହୋଇଥାଏ ।

ଜନ୍ ଲେନନ ୱାଲ୍

ଏହା ପ୍ରଖ୍ୟାତ ଗାୟକ ଜନ୍ ଲେନନଙ୍କ ସ୍ମୃତିରେ ନିର୍ମିତ ଏକ ରଙ୍ଗୀନ କାନ୍ଥ। ଏହି କାନ୍ଥରେ ବିଭିନ୍ନ ଚିତ୍ର ସହ ଶାନ୍ତିର ବାର୍ତ୍ତା ଲେଖାଯାଇଛି। ଏହି ସ୍ଥାନରେ ଘୋଡ଼ା ଗାଡ଼ି ଭଳି ଅନେକ ପୁରାତନ ଗାଡିରେ ବସି ସହର ଭ୍ରମଣ କରିବାର ସୁଯୋଗ ମଧ୍ୟ ମିଳିଥାଏ।

ପ୍ରାଗ୍ ଆଷ୍ଟ୍ରୋନୋମିକାଲ୍ କ୍ଲକ୍

ଏଠାରେ ଥିବା ଏହି ଖଗୋଳୀୟ ଘଣ୍ଟା ଏକ ପ୍ରମୁଖ ଆକର୍ଷଣ। ପ୍ରତି ଘଣ୍ଟାରେ (ସକାଳ ୮ଟାରୁ ରାତି ୧୧ଟା ପର୍ଯ୍ୟନ୍ତ) ଏହି ଘଣ୍ଟାରେ ଥିବା ପୁତ୍ତଳିକାଗୁଡ଼ିକ ଚାଲିବାକୁ ଲାଗନ୍ତି, ଯାହାକୁ ଦେଖିବା ପାଇଁ ହଜାର ହଜାର ପର୍ଯ୍ୟଟକ ଭିଡ ଯମାଇଥାଆନ୍ତି।

Tags: