ସବୁସହରରେ ବଢୁଛି ପ୍ରଦୂଷଣ
ଦେଶରେ ବାୟୁ ପ୍ରଦୂଷଣ ଏବେ କେବଳ ବଡ଼ ସହରଗୁଡ଼ିକର ସମସ୍ୟା ହୋଇ ରହିନାହିଁ । ଗାଁଗୁଡ଼ିକର ପବନ ମଧ୍ୟ ସମାନ ଭାବେ ବିଷାକ୍ତ ହେବାରେ ଲାଗିଛି । ଫିକିର ୨୦୨୬ ରିପୋର୍ଟ ଅନୁଯାୟୀ, ଦେଶର ୨୪ଟି ରାଜ୍ୟ ମଧ୍ୟରୁ ୨୨ଟିରେ ସହରାଞ୍ଚଳର ପ୍ରଦୂଷଣ ଗ୍ରାମାଞ୍ଚଳ ତୁଳନାରେ ଅଧିକ ରହିଛି । ମୁମ୍ବାଇରେ ସାମୁଦ୍ରିକ ପବନର ପ୍ରାକୃତିକ ସୁରକ୍ଷା କବଚ ମଧ୍ୟ ଦୁର୍ବଳ ହୋଇପଡ଼ିଛି । ଅକ୍ଟୋବର ୨୧ ତାରିଖରେ ମୁମ୍ବାଇର ବାୟୁ ଗୁଣବତ୍ତା ସୂଚକାଙ୍କ ଏକ୍ୟୁଆଇ ୧୬୫ ଥିବାବେଳେ ଦିଲ୍ଲୀର ଏକ୍ୟୁଆଇ ୧୬୪ ରହିଥିଲା। ସମଗ୍ର ବିଶ୍ୱ ତାଲିକାରେ ମୁମ୍ବାଇ ଚତୁର୍ଥ ସର୍ବାଧିକ ପ୍ରଦୂଷିତ ସହର ଭାବେ ରେକର୍ଡ କରାଯାଇଛି । ଅକ୍ଟୋବର ୨୪ ତାରିଖରେ ଏହାର ସ୍ତର ୩୨୨ରେ ପହଞ୍ଚିଥିଲା ।
ସେହିପରି ଅନେକ ଛୋଟ ସହରର ବାୟୁ ଦିଲ୍ଲୀ ଅପେକ୍ଷା ଅଧିକ ପ୍ରଦୂଷିତ ହୋଇଛି । ମେଘାଳୟରେ ଆସାମ ସୀମା ନିକଟରେ ଅବସ୍ଥିତ ଶିଳ୍ପାଞ୍ଚଳ ବର୍ଣ୍ଣିହାଟରେ ଏକ୍ୟୁଆଇ ସ୍ତର ୧୦୧.୧ ରେକର୍ଡ ହୋଇଥିବାବେଳେ ଦିଲ୍ଲୀରେ ଏହା ମାତ୍ର ୯୯.୬ ଥିଲା । ଚଳିତ ବର୍ଷ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ଗୁଜରାଟ ଏବଂ ଉତ୍ତର ମହାରାଷ୍ଟ୍ର ଉପରେ ଏକ ଆଣ୍ଟି-ସାଇକ୍ଲୋନ୍ (ପ୍ରତି-ଘୂର୍ଣ୍ଣିବଳୟ) ସୃଷ୍ଟି ହୋଇଥିଲା । ଏହାର ପ୍ରଭାବରେ ଅକ୍ଟୋବର ମାସରେ ପୂର୍ବା ପବନ ବୋହିବା ସହ ସମୁଦ୍ର ଆଡ଼ୁ ଆସୁଥିବା ଥଣ୍ଡା ପବନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୁର୍ବଳ ରହିଥିଲା । ଫଳରେ ସାମୁଦ୍ରିକ ପବନ ପ୍ରଦୂଷକ କଣିକାଗୁଡ଼ିକୁ ବିସ୍ତାର କରି ସହରର ବାୟୁକୁ ସ୍ୱଚ୍ଛ କରିବାରେ ସହାୟକ ହୋଇପାରି ନଥିଲା । ସାମୁଦ୍ରିକ ଏବଂ ସ୍ଥଳଭାଗ ପବନର ବେଗ ସହିତ ସୂକ୍ଷ୍ମ ଧୂଳିକଣା ସ୍ତରର ସିଧାସଳଖ ସମ୍ପର୍କ ରହିଛି । ସାମୁଦ୍ରିକ ପବନ ଦୁର୍ବଳ ହେଲେ ପିଏମ୍-୨.୫ ସ୍ତର ବୃଦ୍ଧି ପାଇଥାଏ ।
ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ଏକ୍ୟୁଆଇ
ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ବାୟୁ ଗୁଣବତ୍ତା ସୂଚକାଙ୍କ ଏକ୍ୟୁଆଇ ହେଉଛି ଏକ ପ୍ରକାର ମାପକ ଯନ୍ତ୍ର, ଯାହା ପବନ କେତେ ସ୍ୱଚ୍ଛ ଓ ନିର୍ମଳ ତାହା ମାପିଥାଏ । ଏହାର ସହାୟତାରେ ପବନରେ ଥିବା ବାୟୁ ପ୍ରଦୂଷକଗୁଡ଼ିକ ଆମ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ହୋଇପାରେ, ସେ ସମ୍ପର୍କରେ ମଧ୍ୟ ଆମେ ଆକଳନ କରିପାରୁ । ଏକ୍ୟୁଆଇ ମୁଖ୍ୟତଃ ୫ଟି ସାଧାରଣ ବାୟୁ ପ୍ରଦୂଷକର ସାନ୍ଦ୍ରତାକୁ ମାପିଥାଏ । ଏଥିରେ ଗ୍ରାଉଣ୍ଡ ଲେଭଲ୍ ଓଜୋନ୍, ପାର୍ଟିକିଲ୍ ପଲ୍ୟୁସନ୍ (ଧୂଳିକଣା ପ୍ରଦୂଷଣ), କାର୍ବନ ମନୋକ୍ସାଇଡ୍, ସଲଫର୍ ଡାଇଅକ୍ସାଇଡ୍ ଏବଂ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଅନ୍ତର୍ଭୁକ୍ତ ।
ଭୁବନେଶ୍ବରର ବି ବଢିଥିଲା ଏକ୍ୟୁଆଇ
ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ହ୍ରାସ ପାଇବା ଆରମ୍ଭ ହୋଇଥିବାରୁ ରାଜ୍ୟରେ ସାମାନ୍ୟ ଶୀତ ଅନୁଭୂତ ହେଉଥିବା ବେଳେ ଦୀପାବଳି ଅବସରରେ ବ୍ୟାପକ ବାଣ ଫୁଟା ଯୋଗୁଁ ଏହାପରେ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ସ୍ତର ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି । ଭୁବନେଶ୍ୱରରେ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ବାଣ ଧୂଆଁ ଯୋଗୁଁ ସହରର ବାୟୁ ଗୁଣବତ୍ତା ଗୁରୁତର ଭାବେ ପ୍ରଭାବିତ ହୋଇ ବିଭିନ୍ନ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ରାତି ସମୟରେ ସହରର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ ଏକ୍ୟୁଆଇ ୨୭୪ ରେକର୍ଡ କରାଯାଇଥିଲା । ଯେଉଁଥିରେ ଏଜି କଲୋନୀରେ ସର୍ବାଧିକ ୩୨୪, ଚିନ୍ତାମଣିଶ୍ୱରରେ ୩୦୭, ବିଜେବି ନଗରରେ ୨୯୭, ବାପୁଜୀ ନଗରରେ ୨୯୫, ବାଳକାଟିରେ ୨୯୪ ଏବଂ ଜାଗମରାରେ ୨୯୧ ରହିଥିଲା। ସେହିପରି ହଂସପାଳରେ ଏକ୍ୟୁଆଇ ୨୪୫ ଓ ନନ୍ଦନ ବିହାରରେ ୨୨୫ ରେକର୍ଡ ହୋଇଥିବା ବେଳେ ପ୍ରଦୂଷଣ ସ୍ତର ରାତି ପ୍ରାୟ ୧୧ଟା ବେଳକୁ ସର୍ବୋଚ୍ଚ ୧,୪୪୪ରେ ପହଞ୍ଚିଥିଲା। ଏହା ସକାଳ ୭ଟା ସୁଦ୍ଧା ହାରାହାରି ୧୯୭କୁ ଖସି ଆସିଥିଲା । ବାୟୁ ଓ ଶବ୍ଦ ପ୍ରଦୂଷଣ ବୃଦ୍ଧି ଯୋଗୁଁ ବିଶେଷକରି ଶ୍ୱାସରୋଗୀ ଓ ବୟସ୍କ ବ୍ୟକ୍ତିମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେହିଭଳି ଅନ୍ୟ ସହରରେ ମଧ୍ୟ ଦୀପାବଳି କାରଣରୁ ପ୍ରଦୂଷଣର ମାତ୍ରା ବଢିଥିବାର ଖବର ମିଳିଥିଲା ।




