ପ୍ରଶ୍ବାସରେ ବିଷ

ପ୍ରଶ୍ବାସରେ ବିଷ
Ipsita Picture
By: Ipsita
Published On

ସରିଛି ଦୀପାବଳି, ଆନନ୍ଦ ଉଲ୍ଲାସର ପର୍ବ । ହେଲେ ଦୀପାବଳିର ବାଣ ପୁଣି ଚିନ୍ତା ବଢାଇଛି । ବର୍ତ୍ତମାନ ସାରା ଦେଶରେ ବାୟୁ ପ୍ରଦୁଷଣ ଚିନ୍ତାର କାରଣ ପାଲଟିଛି, ଯାହାକୁ ନେଇ ତର୍କ ବିତର୍କ ଆରମ୍ଭ ହୋଇଛି ।

ଦୀପାବଳିରେ ଅନେକ ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି ପାଇଥିବାର ଖବର ସାମନାକୁ ଆସୁଛି । ଏଥିରେ ଦେଶର ଅନେକ ସହର ସାମିଲ ଅଛନ୍ତି । ଆମ ରାଜ୍ୟ ଭୁବନେଶ୍ବର ଠାରୁ ଆରମ୍ଭ କରି ଦେଶର ରାଜଧାନୀ ଦିଲ୍ଲୀ, ସମସ୍ତ ସହରରେ ବାୟୁର ଏକ୍ୟୁଆଇ ମାନ ବଢିବାରେ ଲାଗିଛି । ସୂଚନା ଅନୁସାରେ ନୈନିତାଲର ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ସୋମବାର ୮୫ ରେକର୍ଡ କରାଯାଇଛି । ଯାହା ଭାରତୀୟ ମାନକ ଅନୁଯାୟୀ ସନ୍ତୋଷଜନକ ଶ୍ରେଣୀରେ ରହିଛି ଏବଂ ଏଠାରେ ପିଏମ ୨.୫ର ମାତ୍ରା ପ୍ରାୟ ୨୦ ରହିଛି । ହେଲେ ସୂଚନା ଅନୁଯାୟୀ, ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ଅନେକ ସହରରେ ଏକ୍ୟୁଆଇ ୩୦୦ ପାର୍ କରିସାରିଛି ଏବଂ କେତେକ ଅଞ୍ଚଳରେ ଏହା ୩୬୮ ରେକର୍ଡ ହୋଇଛି, ଯାହା ଅତ୍ୟନ୍ତ ଖରାପ ଶ୍ରେଣୀ ଅନ୍ତର୍ଭୁକ୍ତ । ତେବେ, ନୈନିତାଲରେ ପବନର ଗତି ତୀବ୍ର ଥିବାରୁ ପ୍ରଦୂଷଣ ସେଠାରେ ତିଷ୍ଠି ପାରି ନଥିଲା ଏବଂ ପବନରେ ଉଡ଼ିଯାଇଥିଲା । ଏଭଳି ଖରାପ ଅବସ୍ଥା ଦୀପାବଳି ପରେ ଅନେକ ସ୍ଥାନରେ ଦେଖିବାକୁ ମିଳିଛି । ଯାହାକୁ ପରିବେଶବିଦ ଚିନ୍ତାର ପ୍ରକଟ କରିଛନ୍ତି ।  ଦିଲ୍ଲୀ ଓ ଏହାର ଆଖପାଖ ଉପଗ୍ରହ ସହରଗୁଡ଼ିକରେ ବର୍ଷସାରା ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷଣ ସ୍ତର ରେକର୍ଡ କରାଯାଇଥାଏ । ମାତ୍ର ଶୀତର ଆଗମନ ସହ ଏଠାକାର ବାୟୁ ପ୍ରଦୂଷଣର ମାତ୍ରା ଖୁବ ଅଧିକ ବଢିବାକୁ ଲାଗିଥାଏ । କମୁଥିବା ତାପମାତ୍ରା ଏବଂ ପବନ ଯୋଗୁଁ ପ୍ରଦୂଷକଗୁଡ଼ିକ ଉପରକୁ ନଯାଇ ଭୂପୃଷ୍ଠ ନିକଟରେ ହିଁ ଜମା ହୋଇ ରହିଯାଆନ୍ତି । ପଡ଼ୋଶୀ ରାଜ୍ୟଗୁଡ଼ିକରେ ନଡ଼ା ପୋଡ଼ିବା ଦ୍ୱାରା ନିର୍ଗତ ଧୂଆଁ ସାଙ୍ଗକୁ ଯାନବାହାନ, କାରଖାନାଗୁଡ଼ିକର ନିର୍ଗମନ ଏବଂ ନିର୍ମାଣ ସ୍ଥଳର ଧୂଳି ସ୍ଥିତିକୁ ଆହୁରି ଜଟିଳ କରିଦିଏ । ଏହାସହ ପାର୍ବଣ ସମୟରେ ଫୁଟାଯାଉଥିବା ବାଣ ବାୟୁ ଗୁଣବତ୍ତାକୁ ଆହୁରି ବିଗାଡ଼ିଦିଏ । ଫଳସ୍ୱରୂପ ବିଷାକ୍ତ ଧୂଆଁମୟ ବାୟୁ ସହ ସେହି ଗୋଟିଏ ପ୍ରଶ୍ନ ପୁନର୍ବାର ଉଠେ : ପ୍ରତିବର୍ଷ ପ୍ରଦୂଷଣ କାହିଁକି ଫେରିଆସେ ଏବଂ ଏହାର ସ୍ଥାୟୀ ସମାଧାନ ପାଇଁ କାହିଁକି ଦୃଢ଼ ପଦକ୍ଷେପ ନିଆଯାଉନାହିଁ? ଚଳିତ ବର୍ଷ ଦିଲ୍ଲୀ ସରକାର  ମାସେ ଆଗରୁ ନିଜର 'ଶୀତକାଳୀନ କାର୍ଯ୍ୟାନୁଷ୍ଠାନ ଯୋଜନା' ବା ୱିଣ୍ଟର ଆକ୍ସନ ପ୍ଲାନ ଘୋଷଣା କରିଥିଲେ । ଏହି ଯୋଜନା ନଭେମ୍ବର ୧ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ, ଯେଉଁ ସମୟରେ ସାଧାରଣତଃ ପ୍ରଦୂଷଣ ସର୍ବାଧିକ ବୃଦ୍ଧି ପାଇଥାଏ । ପୂର୍ବ ବର୍ଷଗୁଡ଼ିକରେ ବାୟୁ ଗୁଣବତ୍ତା ଅସମ୍ଭାଳ ହେବା ପରେ ହିଁ ପଦକ୍ଷେପ ନିଆଯାଉଥିବାରୁ, ବିଶେଷଜ୍ଞମାନେ ଏହି ପୂର୍ବପ୍ରସ୍ତୁତିକୁ ଏକ ସଠିକ ଦିଗରେ ନିଆଯାଇଥିବା ପଦକ୍ଷେପ ବୋଲି ମତ ଦେଇଥିଲେ । ହେଲେ ଦୀପାବଳି ପରର ଅବସ୍ଥା ଦେଖିଲେ ଏହା ଫେଲ ମାରିଚି ବୋଲି ଚର୍ଚ୍ଚା ହେବାରେ ଲାଗିଛି । ଏହି ଯୋଜନା ଲାଗୁ ହେବାର ମାତ୍ର କିଛି ଦିନ ମଧ୍ୟରେ ସହରଟି ପୁନର୍ବାର ସେହି ପୁରୁଣା, ନିରାଶାଜନକ ସ୍ଥିତି ଆଡ଼କୁ ଗତି କରୁଛି । କିଛି ସପ୍ତାହରେ ଦିଲ୍ଲୀ ଉପରେ ଏକ ଧୂସର ରଙ୍ଗର ଝାପସା ଆସ୍ତରଣ ଜମି ରହିବା ସହ ଏକ ବିଶିଷ୍ଟ ଧୂଆଁଳିଆ ଗନ୍ଧ ବାରିହେଉଛି । ଲୋକମାନେ ଆଖି ପୋଡ଼ାପୋଡ଼ି ହେବା, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଏବଂ ସବୁଠି କାଶ ଓ ଛିଙ୍କ ଶୁଣାଯାଉଥିବା ଅଭିଯୋଗ କରୁଛନ୍ତି । ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସକ୍ଷମ, ସେମାନଙ୍କ ପାଇଁ ଏୟାର ପ୍ୟୁରିଫାୟର ଘରୋଇ ଆବଶ୍ୟକତା ପାଲଟିଛି । ଘରୁ ବାହାରକୁ ବାହାରୁଥିବା ଲୋକମାନେ ମାସ୍କ ପିନ୍ଧି କିମ୍ବା ମୁହଁରେ କପଡ଼ା ବାନ୍ଧି ପ୍ରଦୂଷଣର ଭୟଙ୍କର ପ୍ରଭାବରୁ ରକ୍ଷା ପାଇବାକୁ ଚେଷ୍ଟା କରୁଛନ୍ତି । ବାୟୁମଣ୍ଡଳର ଧୂଳିକୁ ବସାଇବା ପାଇଁ ସହରରେ ଆଣ୍ଟି-ସ୍ମୋଗ ଗନ୍ ମାଧ୍ୟମରେ ପାଣି ସିଞ୍ଚନ କରାଯାଉଛି , ଯାହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ।

Tags: