ମାଟିରେ ମିଶିବ ପ୍ଲାଷ୍ଟିକ
ଆଜିକାଲି ପ୍ଲାଷ୍ଟିକ ସାରା ବିଶ୍ବର ମୁଣ୍ଡବିନ୍ଧାର କାରଣ ପାଲଟିଛି । ପ୍ଲାଷ୍ଟିକ ଆବର୍ଜନାକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାର ପନ୍ଥା ଆପଣାଉଛନ୍ତି । ସେହିକ୍ରମରେ ଚୀନ୍ର ବୈଜ୍ଞାନିକମାନେ ବାଉଁଶରୁ ଏଭଳି ଏକ ବାୟୋପ୍ଲାଷ୍ଟିକ୍ ପ୍ରସ୍ତୁତ କରିଛନ୍ତି, ଯାହା ଦେଖିବାକୁ ଏବଂ ବ୍ୟବହାରରେ ପେଟ୍ରୋଲିୟମରୁ ନିର୍ମିତ ସାଧାରଣ ପ୍ଲାଷ୍ଟିକ୍ ଭଳି । ହେଲେ ମାତ୍ର ୫୦ ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯିବବୋଲି ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି । ଏହାକୁ ଚୀନ୍ର 'ନର୍ଥଇଷ୍ଟ ଫରେଷ୍ଟ୍ରି ୟୁନିଭର୍ସିଟି'ର ଗବେଷକମାନେ ବାଉଁଶର ସେଲ୍ୟୁଲୋଜ୍ ବ୍ୟବହାର କରି ପ୍ରସ୍ତୁତ କରିଛନ୍ତି । ଯାହା ଅତ୍ୟନ୍ତ ମଜବୁତ ହେବା ସହିତ ଉଚ୍ଚ ତାପମାତ୍ରା ବା ଗରମ ମଧ୍ୟ ସହ୍ୟ କରିପାରେ। ଲାବୋରେଟୋରୀ ପରୀକ୍ଷଣରୁ ଜଣାପଡ଼ିଛି ଯେ, ଏହି ପ୍ଲାଷ୍ଟିକ୍ ମାଟିରେ ମିଶିବା ସମୟରେ ନିଜେ ନିଜେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥାଏ । ଏହାଦ୍ୱାରା ପରିବେଶରେ କୌଣସି ପ୍ରକାରର ବିଷାକ୍ତ କେମିକାଲ୍ ବା ଟକ୍ସିନ୍ ସୃଷ୍ଟି ହୁଏନାହିଁ । ଯାହାଫଳରେ ସାରା ବିଶ୍ୱରେ ବଢ଼ୁଥିବା ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସମସ୍ୟାର ସମାଧାନ ପାଇଁ ଏହାକୁ ଏକ ବଡ଼ ସଫଳତା ବୋଲି କୁହାଯାଉଛି । ଭବିଷ୍ୟତରେ ଯଦି ଏହାର ବ୍ୟାପକ ସ୍ତରରେ ଉତ୍ପାଦନ ଆରମ୍ଭ ହୁଏ, ତେବେ ପ୍ୟାକେଜିଂ ସାମଗ୍ରୀ, ଆସବାବପତ୍ର , ଇଲେକ୍ଟ୍ରୋନିକ୍ସ ଏବଂ ଅନ୍ୟାନ୍ୟ ଅନେକ ଶିଳ୍ପ କ୍ଷେତ୍ରରେ ଏହାର ବହୁଳ ବ୍ୟବହାର କରାଯାଇପାରିବ ।




