ବାଣର ବିକଳ୍ପ ପ୍ଲାଷ୍ଟିକ ବୋତଲ

ବାଣର ବିକଳ୍ପ ପ୍ଲାଷ୍ଟିକ ବୋତଲ
Ipsita Picture
By: Ipsita
Published On

 

ଅନେକ ଘଟଣା ଯେପରି ପର୍ବ ହେଉ କିମ୍ବା ବିବାହ କିମ୍ବା କୌଣସି ଉତ୍ସବ ବାଣ ବିନା ଏହା ଅଧୁରା ରହିଥାଏ । ତେବେ କିଛି ସମୟ ପାଇଁ ଖୁସି ଦେଉଥିବା ଏହି ବାଣ କିନ୍ତୁ  ଧୂଆଁର ବାଦଲ, ବାରୁଦର ଗନ୍ଧ ଏବଂ ପୋଡ଼ା ଅଳିଆ ଗଦା ସୃଷ୍ଟିର ପ୍ରଥମ କାରଣ ପାଲଟେ । ତେବେ ପ୍ଲାଷ୍ଟିକ ବୋତଲକୁ ବ୍ୟବହାର କରି ଏଭଳି ଏକ ଉଦ୍ଭାବନ ରହିଛି ଯାହା ବାଣର ବିକଳ୍ପ ହୋଇ ପାରିବ ।

ବର୍ତ୍ତମାନ ସମସ୍ତେ ପୃଥିବୀରୁ ପ୍ରଦୂଷଣ କମାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ତେବେ ବାଣରୁ ସବୁଠାରୁ ଅଧିକ ପ୍ରଦୂଷଣ ହେଉଥିବାରୁ ଏହାକୁ କିଭଳି ପ୍ରଦୂଷଣ ମୁକ୍ତ କରିହେବ ସେଥିପାଇଁ ସମସ୍ତେ ଚେଷ୍ଟା ଜାରି ରଖିଛନ୍ତି । ତେବେ ମୋହାଲିସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚର ରାସାୟନିକ ବୈଜ୍ଞାନିକ ଡାକ୍ତର ସମ୍ରାଟ୍ ଘୋଷ ଏହି ସମସ୍ୟାର ସମାଧାନ ପାଇଁ କିଛି ବାଟ ବାହାରକରିଛନ୍ତି, ଯାହା ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛି । ସେ ପ୍ଲାଷ୍ଟିକ ବୋତଲକୁ ବ୍ୟବହାର କରି ପ୍ରସ୍ତୁତ କରିଛନ୍ତି ସୁନ୍ଦର ବାଣ । ଆଇଆଇଏସଇଆର ମୋହାଲିର ରସାୟନ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ ଡାକ୍ତର ଘୋଷ ଦହନ ରସାୟନ ବା କମ୍ବସନ୍ କେମେଷ୍ଟ୍ରୀରେ ନିଜର ଦକ୍ଷତାକୁ ଉପଯୋଗ କରି ‘ଆଇଆଇଏସଇଆର - ଏମ ପ୍ରଦୂଷଣମୁକ୍ତ ବାଣ’ ବିକଶିତ କରିଥିଲେ । ଏହାର ପ୍ରଥମ ପ୍ରୋଟୋଟାଇପ୍ ପୁନଃବ୍ୟବହୃତ ପ୍ଲାଷ୍ଟିକ୍ ବୋତଲ ଏବଂ ଏକ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଦହନଶୀଳ ମିଶ୍ରଣକୁ ବ୍ୟବହାର କରି ତିଆରି କରାଯାଇଥିଲା । କାଗଜ ଖୋଳ ଭିତରେ ରାସାୟନିକ ପଦାର୍ଥ ଭର୍ତ୍ତି କରିବାର ପାରମ୍ପରିକ ବ୍ୟବସ୍ଥା ବଦଳରେ ତାଙ୍କର ଏହି ଉପକରଣଟି ଏକ ଛୋଟ ଲଞ୍ଚର୍ ମେକାନିଜମ ମାଧ୍ୟମରେ କାମ କରୁଥିଲା । ଯେତେବେଳେ ଏକ ସ୍ପାର୍କ ଦ୍ୱାରା ଏହାକୁ ସକ୍ରିୟ କରାଯାଏ, ସେତେବେଳେ ଦହନଶୀଳ ପଦାର୍ଥ ଜଳି ଉଠେ ଏବଂ ଚାପ ସୃଷ୍ଟି କରେ, ଯାହା ବୋତଲଟିକୁ ଏକ ରକେଟ୍ ଭଳି ଉପରକୁ ଠେଲି ଦିଏ ଏବଂ ଏକ ବଡ଼ ଶବ୍ଦ ସୃଷ୍ଟି କରି ପାରମ୍ପରିକ ବାଣର ରୋମାଞ୍ଚ ଭରିଦିଏ । ତେବେ ଏହାର ପାରିପାର୍ଶ୍ୱିକ ପ୍ରଭାବ ଖୁବ ସଫାଥିଲା । ଡାକ୍ତର ଘୋଷଙ୍କ ଏହି ଫର୍ମୁଲେସନରୁ କୌଣସି ଦୃଶ୍ୟମାନ ଧୂଆଁ କିମ୍ବା କ୍ଷତିକାରକ କଣିକା ବାହାରୁ ନଥିଲା ଏବଂ ଏହା ପଛରେ କୌଣସି ପୋଡ଼ା ଅଳିଆ ମଧ୍ୟ ନଥିଲା । ଏହାର ଆଉ ଏକ ଅସାଧାରଣ ବୈଶିଷ୍ଟ୍ୟ ଥିଲା ଯେ ଏହାର ଶବ୍ଦର ସ୍ତରକୁ ନିୟନ୍ତ୍ରଣ କରାଯାଇପାରୁଥିଲା, ଯାହା ଫଳରେ ବ୍ୟବହାରକାରୀମାନେ ବିସ୍ଫୋରଣ କେତେ ଜୋରରେ ହେବ ତାହା ନିଜ ଇଚ୍ଛାନୁସାରେ ସ୍ଥିର କରିପାରୁଥିଲେ । ଏପରିକି ଦହନଶୀଳ ମିଶ୍ରଣରେ ବ୍ୟବହୃତ ଉପାଦାନ ଉପରେ ନିର୍ଭର କରି ଏହି ଉପକରଣଟି ପବନରେ ସୁଗନ୍ଧ ମଧ୍ୟ ଭରିପାରୁଥିଲା ।  ତାଙ୍କ ଟିମ୍ ଉଭୟ ଆକାଶମାର୍ଗରେ ଫୁଟୁଥିବା ଏବଂ ଭୂମିରେ ଫୁଟୁଥିବା ପ୍ରୋଟୋଟାଇପ୍ ବିକଶିତ କରିଥିଲେ ଏବଂ ଏହି ପ୍ରକ୍ରିୟାରେ ବୋତଲଟି ନଷ୍ଟ ନହୋଇ କେବଳ ଉପରକୁ ଉତ୍‌କ୍ଷେପଣ ହେଉଥିବାରୁ ଏହାକୁ ବାରମ୍ବାର ବ୍ୟବହାର ଉପଯୋଗୀ ଭାବେ ଡିଜାଇନ୍ କରାଯାଇଥିଲା ।

ପ୍ରୋଟୋଟାଇପ୍ ବିକଶିତ କରିବାର ବର୍ଷକ ପରେ ଡାକ୍ତର ଘୋଷ ଏବଂ ତାଙ୍କ ଟିମ୍ ଏହି ଫର୍ମୁଲେସନକୁ ଅଧିକ ଶସ୍ତା କରିବାର ଉପାୟ ଖୋଜିବା ଆରମ୍ଭ କରିଥିଲେ ଏବଂ ତାଙ୍କର ପରବର୍ତ୍ତୀ ପରୀକ୍ଷଣରେ ପରିଶୋଧିତ ଗୋମୂତ୍ର ଭଳି ଏକ ଅପ୍ରତ୍ୟାଶିତ ଉପାଦାନ ସାମିଲ ହୋଇଥିଲା । ୨୦୧୯ ମସିହାରେ ତାଙ୍କ ଟିମ୍ ଏହି ଉପାଦାନ ବ୍ୟବହାର କରି ସବୁଜ ବାଣର ଏକ ଶସ୍ତା ସଂସ୍କରଣ ବିକଶିତ କରିଥିଲେ, ଯାହାଦ୍ୱାରା ଶବ୍ଦ, ଆଲୋକ ଏବଂ ଉଡ଼ାଣ କ୍ଷମତାରେ କୌଣସି ପରିବର୍ତ୍ତନ ନଆଣି ଉତ୍ପାଦନ ଖର୍ଚ୍ଚ ୫୦ ପ୍ରତିଶତ ହ୍ରାସ ପାଇଥିଲା ବୋଲି ଡାକ୍ତର ଘୋଷ କହିଥିଲେ । ଏହି ଜୈବିକ ଫର୍ମୁଲେସନରୁ କୌଣସି କ୍ଷତିକାରକ କଣିକା ନିର୍ଗତ ହୁଏ ନାହିଁ ବୋଲି ଟିମ୍ ଦାବି କରିଥିବା ବେଳେ ଦହନ ସମୟରେ ନିର୍ଗତ ଗ୍ୟାସର ବିଶ୍ଳେଷଣ ପାଇଁ ଆଇଆଇଏସଇଆରରେ ଏକ ଅଧ୍ୟୟନ ମଧ୍ୟ କରାଯାଉଥିଲା । ଏହି ପ୍ରଯୁକ୍ତିବିଦ୍ୟାକୁ ବ୍ୟାପକ ଭାବେ ଗ୍ରହଣୀୟ କରିବା ପାଇଁ ଏହାକୁ ଯଥେଷ୍ଟ ଶସ୍ତା କରିବା ହିଁ ଏହି ପରୀକ୍ଷଣର ମୂଳ ଉଦ୍ଦେଶ୍ୟ ଥିଲା ।

ଡାକ୍ତର ଘୋଷଙ୍କ ପାଇଁ ଏହାର ଉଦ୍ଦେଶ୍ୟ କେବଳ ଆଉ ଏକ ବାଣ ତିଆରି କରିବା ନଥିଲା, ବରଂ ପାରମ୍ପରିକ ବାଣ ସହ ଜଡ଼ିତ ସମସ୍ୟାଗୁଡ଼ିକର ସମାଧାନ କରି ଏକ ନିରାପଦ ଓ ପରିବେଶ ଉପଯୋଗୀ ବାଣ ପ୍ରସ୍ତୁତ କରିବାରଥିଲା । ତାଙ୍କର ଏହି ଉଦ୍ଭାବନର ଦୀପାବଳି ସହିତ ଅନ୍ୟକାର୍ଯ୍ୟ ଯେପରି କୃଷିକ୍ଷେତ୍ରରୁ ବନ୍ୟଜନ୍ତୁମାନଙ୍କୁ ଘଉଡ଼ାଇବା କିମ୍ବା ବିମାନବନ୍ଦର ରନୱେକୁ ପକ୍ଷୀମୁକ୍ତ ଓ ସଫା ରଖିବାରେ ଏହା ସହାୟକ ହୋଇପାରିବ। ୨୦୧୮ର ରିପୋର୍ଟ ଅନୁଯାୟୀ ଏହି ପ୍ରଯୁକ୍ତିବିଦ୍ୟା ସେତେବେଳେ ବିକାଶଧୀନ ଅବସ୍ଥାରେ ଥିଲା ଏବଂ ଏହାର ବ୍ୟବସାୟୀକରଣ ତଥା ବ୍ୟାପକ ବ୍ୟବହାର ପ୍ରତିଷ୍ଠିତ ହୋଇନଥିବାବେଳେ ଏହା ପେଟେଣ୍ଟ ଅପେକ୍ଷାରେ ରହିଥିଲା । ତେବେ ଏହିଭଳି ଆହୁରି ଗବେଷଣା କରାଗଲେ ଅନେକ ପ୍ରକାରର ସମାଧାନ ବାହାରିବ ବୋଲି ମତ ପ୍ରକାଶ ପାଇଛି ।

Tags: