ମଲରେ ଧାନ ରୋପଣ

ମଲରେ ଧାନ ରୋପଣ
Ipsita Picture
By: Ipsita
Published On

 

ଚୀନର ନିଙ୍ଗବୋ ସହରରେ ଥିବା ଏକ ଶପିଂ ମଲ୍ରେ ଏକ ଅନନ୍ୟ ଧାନ ରୋପଣ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଯେଉଁଥିରେ ଅଂଶଗ୍ରହଣ କରିବା ପାଇଁ ୧,୦୦୦ରୁ ଅଧିକ ଲୋକ ନିଜର ପଞ୍ଜୀକରଣ କରିଥିଲେ । ଚୀନର ପ୍ରସିଦ୍ଧ ଫାର୍ମିଂ ରିଆଲିଟି ଶୋ' 'ବିକମ୍ ଏ ଫାର୍ମର' ଦ୍ୱାରା ଅନୁପ୍ରାଣିତ ହୋଇ ଆୟୋଜକମାନେ ସହରରେ ରହୁଥିବା ଲୋକଙ୍କୁ ଚାଷ କାର୍ଯ୍ୟ ଏବଂ ଖାଦ୍ୟ ଶସ୍ୟ ଉତ୍ପାଦନର ପ୍ରକ୍ରିୟା ସମ୍ପର୍କରେ ଅନୁଭୂତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ନିଆରା ପ୍ରୟାସ କରିଥିଲେ । ଏହି ପ୍ରତିଯୋଗିତା ପାଇଁ ମଲ୍ ଭିତରକୁ ପ୍ରାୟ ୫,୦୦୦ ଧାନ ଗଛ ଏବଂ ୪୦ ଟନ୍ ମାଟି ଅଣାଯାଇ ମଲ୍ର ମଧ୍ୟଭାଗକୁ ଏକ ଅସ୍ଥାୟୀ ଧାନ କ୍ଷେତରେ ପରିଣତ କରାଯାଇଥିଲା । ଯେଉଁଠାରେ ପ୍ରତିଯୋଗୀମାନଙ୍କୁ ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସଠିକ୍ ଭାବେ ଧାନ ରୋପଣ କରିବାକୁ ପଡ଼ିଥିଲା ଏବଂ କଠିନ ନିୟମ ଯୋଗୁଁ ପ୍ରତି ୧୦ ଜଣଙ୍କ ମଧ୍ୟରୁ କେବଳ ଜଣେ ପ୍ରତିଭାଗୀ ହିଁ ପରବର୍ତ୍ତୀ ରାଉଣ୍ଡକୁ ଯାଇପାରିଥିଲେ । ଏହି ଆୟୋଜନକୁ ନେଇ ସୋସିଆଲ ମିଡିଆରେ କିଛି ଲୋକ ଧାନ ଗଛ ନଷ୍ଟ ହେବା ସମ୍ପର୍କରେ ପ୍ରଶ୍ନ ଉଠାଇଥିବା ବେଳେ ଆୟୋଜକମାନେ ଏହାର ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ପ୍ରତିଯୋଗିତା ଶେଷ ହେବା ପରେ ଏହି ସମସ୍ତ ଗଛକୁ ପୁନର୍ବାର ପ୍ରକୃତ ଚାଷ ଜମିରେ ରୋପଣ କରାଯିବ ।

Tags: