ପ୍ଲାନିଂ ଦେଇଛି ବିଜୟ
ଖୁବ କମ ଦିନରେ ଏକ ନୂଆ ଦଳ ସହିତ ନିର୍ବାଚନ ଜିତିବା ଏତେ ସହଜ ନଥିଲା ବିଜୟଙ୍କ ପାଇଁ । ତାମିଲନାଡୁ ରାଜନୀତିରେ ସର୍ବଦା ପ୍ରଭାବଶାଳୀ ରହିଥିବା 'ଜାତିଗତ ଧ୍ରୁବୀକରଣ'ର ପୁରୁଣା ସୂତ୍ରକୁ ବିଜୟ ସିଧାସଳଖ ଚ୍ୟାଲେଞ୍ଜ କରିଥିଲେ । କାରଣ ସେ ଅନୁଭବ କରିଥିଲେ ଯେ ନୂତନ ପିଢ଼ି ନିଜ ଜାତି ଅପେକ୍ଷା ଆର୍ଥିକ ପରିଚୟକୁ ନେଇ ଅଧିକ ଚିନ୍ତିତ । ସେ 'ଗରିବ ବନ୍ନିୟାର' ଏବଂ 'ଗରିବ ଦଳିତ'ଙ୍କୁ ଏକାଠି କରି ଏକ ନୂଆ ବର୍ଗ ପ୍ରସ୍ତୁତ କରିଥିଲେ ଏବଂ ଭୋକ ଓ ବେକାରୀର କୌଣସି ଜାତି ନଥାଏ ବୋଲି ବାର୍ତ୍ତା ଦେଇ 'କାଷ୍ଟ ପ୍ରାଇଡ୍' ବଦଳରେ 'ଇକୋନୋମିକ ସିକ୍ୟୁରିଟି' ବା ଆର୍ଥିକ ସୁରକ୍ଷା ନାମରେ ଲୋକଙ୍କୁ ଏକଜୁଟ କରିଥିଲେ । ନିଜ ରାଜନୈତିକ ବିଚାରଧାରାକୁ ମଜବୁତ କରିବା ପାଇଁ ସେ ପେରିୟାରଙ୍କ 'ଆତ୍ମ-ସମ୍ମାନ ଆନ୍ଦୋଳନ' ସହ କାର୍ଲ ମାର୍କସଙ୍କ 'ଆର୍ଥିକ ସମାନତା'ର ଚିନ୍ତାଧାରାକୁ ଯୋଡ଼ି ଏକ 'ହାଇବ୍ରିଡ୍ ବିଚାରଧାରା' ଉପସ୍ଥାପନ କରିଥିଲେ । ଯାହା ପାରମ୍ପରିକ ରାଜନୀତିର ବିରୋଧ କରୁଥିବା ଯୁବପିଢ଼ିଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ଏଥିସହ ସେ ନିଜ ଦଳକୁ ଏକ ଫ୍ୟାନ୍ କ୍ଲବ ଭଳି ନୁହେଁ, ବରଂ ପୂର୍ବତନ ଆଇଏଏସ୍, ଆଇପିଏସ୍ ଅଧିକାରୀ ଏବଂ ଡାଟା ବୈଜ୍ଞାନିକମାନଙ୍କ ସହାୟତାରେ ଏକ କର୍ପୋରେଟ୍ ଓ ବ୍ୟୁରୋକ୍ରାଟିକ୍ ଢାଞ୍ଚାରେ ପରିଚାଳିତ କରିଥିଲେ । ଏହାସହ ବୁଥ୍ ସ୍ତରରେ 'ୱାନ୍ ଭୋଟର, ୱାନ୍ ଆପ୍' ଭଳି ଅତ୍ୟାଧୁନିକ କୌଶଳ ବ୍ୟବହାର କରି ପାରମ୍ପରିକ ଦଳଗୁଡ଼ିକର ମ୍ୟାନେଜମେଣ୍ଟକୁ ପଛରେ ପକାଇ ଦେଇଥିଲେ । ଏହାସହ ତାଙ୍କର ନିର୍ବାଚନୀ ଇସ୍ତାହାରରେ ଅନେକ ଏଭଳି ଘୋଷଣା ଥିଲା ଯାହା ଭୋଟରଙ୍କୁ ଆକୃଷ୍ଟ କଲାବୋଲି ଆଲୋଚନା ହେଉଛି । ଏହି ତାଲିକାରେ ଗ୍ରାଜୁଏଟ୍ଙ୍କୁ ମାସିକ ୪୦୦୦ ଟଙ୍କା ଏବଂ ଡିପ୍ଲୋମାଧାରୀଙ୍କୁ ୨୫୦୦ ଟଙ୍କାର ବେକାରୀ ଭତ୍ତା ସହ ୫୦୦୦ରୁ ୮୦୦୦ ଟଙ୍କା ପର୍ଯ୍ୟନ୍ତ ଇଣ୍ଟର୍ନସିପ୍ ଷ୍ଟାଇପେଣ୍ଡର ସହାୟତା ରାଶି ଘୋଷଣା କରାଯାଇଥିଲା । ଯାହା ତାଙ୍କୁ ବହୁତ ଫାଇଦା ଦେଇଥିଲା । ସେହିଭଳି ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସେ ମାସିକ ୨୫୦୦ ଟଙ୍କା ସହାୟତା, ଝିଅମାନଙ୍କ ବିବାହ ପାଇଁ ୮ ଗ୍ରାମ ସୁନା, ନବଜାତ ଶିଶୁଙ୍କ ପାଇଁ ସୁନା ମୁଦି ଏବଂ ବର୍ଷକୁ ୬ଟି ମାଗଣା ଏଲପିଜି ସିଲିଣ୍ଡର ଦେବାର ପ୍ରତିଶ୍ରୁତି ଦେଇଥିଲେ । ସମସ୍ତ ପ୍ରତିଶୃତି ଭୋଟରଙ୍କୁ ଆକୃଷ୍ଟ କରିଥିଲା ଯାହା ତାଙ୍କ ବିଜୟରେ ସହାୟତା ହୋଇଥିବା ଚର୍ଚ୍ଚା ହେଉଛି ।




