ପୋଷାଜୀବଙ୍କ ଯତ୍ନ

ପୋଷାଜୀବଙ୍କ ଯତ୍ନ
Ipsita Picture
By: Ipsita
Published On

 

ବର୍ତ୍ତମାନ ପ୍ରବଳ ଗରମ ଓ ନୌତପା ଯୋଗୁଁ ତାପମାତ୍ରା ୪୫ଡିଗ୍ରୀ ପାର୍ କରୁଥିବାରୁ ମଣିଷଙ୍କ ସହ କୁକୁର ଓ ବିଲେଇ ଭଳି ଗୃହପାଳିତ ପଶୁଙ୍କ ପାଖରେ ମଧ୍ୟ ହିଟ୍ ଷ୍ଟ୍ରେସ୍ ଏବଂ ହିଟ୍ ଷ୍ଟ୍ରୋକର ଆଶଙ୍କା ବହୁଗୁଣା ବଢ଼ିଯାଇଥାଏ । କାରଣ ସେମାନଙ୍କ ଶରୀରରେ ମଣିଷ ଭଳି ଝାଳ ଗ୍ରନ୍ଥି ନଥିବାରୁ ସେମାନେ କେବଳ ପାଟି ଦ୍ୱାରା ଶରୀରର ଉତ୍ତାପ ବାହାର କରିଥାନ୍ତି । ସେହିଭଳି ସେମାନଙ୍କର ଶରୀରର ଲୋମ  ଯୋଗୁଁ ଉତ୍ତାପ ଭିତରେ ହିଁ ରହିଯାଇଥାଏ । ଏହି ସମୟରେ ସେମାନଙ୍କର ଖୁବ ଯତ୍ନନେବାର ଆବଶ୍ୟକତା ରହିଛି । ଦିନର ସବୁଠାରୁ ଗରମ ସମୟ  ଅର୍ଥାତ ସକାଳ ୧୧ରୁ ଅପରାହ୍ନ ୪ଟାରେ ସେମାନଙ୍କୁ ବାହାରକୁ ନନେଇ ସକାଳ ସନ୍ଧ୍ୟା ମଧ୍ୟରେ ବାହାରକୁ ନିଅନ୍ତୁ । ତାଙ୍କୁ ସର୍ବଦା ଥଣ୍ଡା ଓ ସଫା ପାଣି ପିଇବାକୁ ଦିଅନ୍ତୁ ଏବଂ ଦିନକୁ ୨ ରୁ ୩ ଥର ପାଣି ବଦଳାନ୍ତୁ, କିନ୍ତୁ ଅତ୍ୟଧିକ ଫ୍ରିଜ୍ ପାଣି ଦିଅନ୍ତୁ ନାହିଁ, ଯାହାଦ୍ୱାରା ବାନ୍ତି କିମ୍ବା ପେଟ ବ୍ୟଥା ହୋଇପାରେ । ଘରେ ଏସି ନଥିଲେ ବିଲକୁଲ୍ ସିଧାସଳଖ ସୂର୍ଯ୍ୟକିରଣ ପଡୁନଥିବା ଏକ ଥଣ୍ଡା, ପବନ ଚଳାଚଳ କରୁଥିବା ସ୍ଥାନରେ ସେମାନଙ୍କୁ ରଖନ୍ତୁ ।  ଖାଦ୍ୟରେ ସେମାନଙ୍କୁ ବାସି ଖାଦ୍ୟ ବଦଳରେ ହାଲୁକା ଓ ସତେଜ ଖାଦ୍ୟ ଦିଅନ୍ତୁ । ତରଭୁଜ (ମଞ୍ଜି ବିହୀନ), କାକୁଡ଼ି, କଖାରୁ କିମ୍ବା ଦହି ଭଳି ଜଳୀୟ ଅଂଶ ଥିବା ଉପାଦେୟ ଫଳ/ଖାଦ୍ୟ ଦେଇପାରିବେ । ହେଲେ ଚକୋଲେଟ୍, ଅଙ୍ଗୁର, ପିଆଜ କିମ୍ବା ମସଲାଯୁକ୍ତ ତେଲିଆ ଖାଦ୍ୟରୁ ଦୂରେଇ ରଖନ୍ତୁ । ସେମାନଙ୍କ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେମାନଙ୍କ ଗାଧୋଇ ଦିଅନ୍ତୁ । ଗରମ ବନ୍ଦ ଗାଡ଼ି କିମ୍ବା ଖରାରେ ସେମାନଙ୍କୁ ଏକୁଟିଆ ଛାଡ଼ିବା ଏବଂ ଅତ୍ୟଧିକ ବ୍ୟାୟାମ କରାଇବା ଭଳି ଭୁଲ୍ ଆଦୌ କରନ୍ତୁ ନାହିଁ । ଯଦି ସେମାନଙ୍କ ଠାରେ ପ୍ରବଳ ଧଇଁସଇଁ ହେବା, ପାଟିରୁ ଅତ୍ୟଧିକ ଲାଳ ବାହାରିବା, ନାଲି ଜିଭ,  ବାନ୍ତି କିମ୍ବା ବେହୋସ ହେବା ଭଳି ହିଟ୍ ଷ୍ଟ୍ରୋକର ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ତାଙ୍କୁ ଥଣ୍ଡା ଜାଗାକୁ ନେଇ ପେଟ, ପଞ୍ଝା ଓ ବେକରେ ଥଣ୍ଡା ପାଣି ଦେଇ ଶରୀରକୁ ଥଣ୍ଡା କରନ୍ତୁ । ଏହାସହ ବିନା ବିଳମ୍ବରେ ଡାକ୍ତରଙ୍କ ପାଖକୁ ନେଇଯାଆନ୍ତୁ ।

Tags: