ଭାଗ୍ୟ ବଦଳାଇବାକୁ ମୁହଁରେ ଲଗାଉଛନ୍ତି ସୁନା
ଥାଇଲାଣ୍ଡର ଆୟୁଥାୟା ଅଞ୍ଚଳରେ ନିଜ ଭାଗ୍ୟ ବଦଳାଇବା ଓ ସଫଳତା ପାଇବା ଆଶାରେ ଲୋକେ ମୁହଁରେ ସୁନାରେ ନିର୍ମିତ ପତ୍ର ଲଗାଇବାର ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି । ‘ନା ନା ଥୋଙ୍ଗ୍’ ନାମକ ଏହି ଶତାବ୍ଦୀରୁ ଅଧିକ ପୁରୁଣା ଆଧ୍ୟାତ୍ମିକ ଉତ୍ସବରେ ସାମିଲ ହୋଇ ଲୋକେ ମନ୍ତ୍ରୋଚ୍ଚାରଣ ସହ ନିଜ ମୁହଁରେ ସୁନେଲି ପତ୍ର ଲଗାଇ ଆଶୀର୍ବାଦ ଭିକ୍ଷା କରୁଛନ୍ତି । ଯାହା ଦ୍ୱାରା ଆତ୍ମବିଶ୍ୱାସ, ସଫଳତା ଓ ଲୋକପ୍ରିୟତା ବୃଦ୍ଧି ପାଏ ବୋଲି ବିଶ୍ୱାସ ରହିଛି । ‘ଲନ୍ନା’ ସମୁଦାୟ ସହ ଜଡ଼ିତ ଏହି ୧୦୦ ବର୍ଷରୁ ଉର୍ଦ୍ଧ୍ୱ ପୁରୁଣା ପରମ୍ପରାକୁ ପୂର୍ବରୁ କେବଳ ବ୍ରାହ୍ମଣମାନେ ସମ୍ପାଦନ କରୁଥିବା ବେଳେ ଏବେ ସାଧାରଣ ଲୋକେ ମଧ୍ୟ ଏଥିରେ ବହୁ ସଂଖ୍ୟାରେ ଭାଗ ନେଉଛନ୍ତି । ଏହି ମାନ୍ୟତା ଅନୁଯାୟୀ, ମାନବ ଶରୀରରେ ମାଟି, ପାଣି, ପବନ ଓ ନିଆଁ ଭଳି ଚାରୋଟି ମୂଳ ତତ୍ତ୍ୱ ଥିବା ବେଳେ ସୁନାକୁ ପଞ୍ଚମ ‘ମେଟାଲ୍ ଏଲିମେଣ୍ଟ’ ଭାବେ ଗ୍ରହଣ କରାଯାଏ । ଏହି ରୀତିନୀତି ମାଧ୍ୟମରେ ସେହି ତତ୍ତ୍ୱକୁ ଶକ୍ତିଶାଳୀ କରି ଜୀବନରେ ଖୁସି ଓ ସମୃଦ୍ଧି ଅଣାଯାଇପାରେ ବୋଲି ସ୍ଥାନୀୟ ଲୋକେ ଦୃଢ଼ ବିଶ୍ୱାସ କରନ୍ତି ।




